ଲାଞ୍ଚ ନେଇ ଯନ୍ତ୍ରୀ, କିରାଣି ଗିରଫ

ଭୁବନେଶ୍ବର/ପଟ୍ଟାମୁଣ୍ଡାଇ : ୩୫ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭୁବନେଶ୍ବର ଭିଜିଲାନ୍ସ ଡିଭିଜନ ଢେଙ୍କନାଳର ଉଠା ଜଳ ସେଚନ ବିଭାଗ ସହକାରୀ ଯନ୍ତ୍ରୀଙ୍କୁ ଗିରଫ କରିଛି। ତାଙ୍କ ନାଁ ସତ୍ୟନାରାୟଣ ଦାଶ। ଏଠାରେ ସେ ଲକ୍ଷ୍ମୀସାଗର ଥାନା ଅଧୀନ ଝାରପଡ଼ା ବାଲାଜୀ କମ୍ପ୍ଲେକ୍ସରେ ରହୁଥିଲେ। ଭିଜିଲାନ୍ସ ତାଙ୍କୁ ଗିରଫ କରିବା ପରେ ତାଙ୍କ ଭୁବନେଶ୍ବର ଓ ଢେଙ୍କାନାଳ ଘରେ ଚଢ଼ଉ କରିଛି। ତାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଆକଳନ ଆରମ୍ଭ କରିଛି ଭିଜିଲାନ୍ସ। ସେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଛନ୍ତି କିମ୍ବା ନାହିଁ ଭିଜିଲାନ୍ସ ତଦନ୍ତ କରିବ। ଏ ନେଇ ସତ୍ୟନାରାୟଣଙ୍କ ନାଁରେ ଆଉ ଏକ ମାମଲା ରୁଜୁ କରାଯିବ ବୋଲି ଭିଜିଲାନ୍ସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଜମି ପଟ୍ଟା କରାଇଦେବାକୁ କହି ୧ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ତହସିଲ୍ ଅଫିସ୍‌ କିରାଣି ଲିଙ୍ଗରାଜ ମିଶ୍ର ଭିଜିଲାନ୍‌ସ ହାତରେ ଧରା ପଡ଼ିଛନ୍ତି। ଭିଜିଲାନ୍‌ସ ତାଙ୍କୁ ଗିରଫ କରି ପଚରାଉଚରା କରୁଛି। ମିଳିଥିବା ସୂଚନା ଅନୁସାରେ, ପଟ୍ଟାମୁଣ୍ଡାଇ ବ୍ଲକ ଓଉପଦା ପଞ୍ଚାୟତ ବାଘତଇଳା ଗ୍ରାମର ନିରଞ୍ଜନ ପାତ୍ର ଜମି ପଟ୍ଟା କରାଇବା ପାଇଁ ତହସିଲ ଅଫିସକୁ ଯାଇଥିଲେ। ପଟ୍ଟା କରାଇଦେବା ପାଇଁ କାର୍ଯ୍ୟାଳୟର କିରାଣି ଶ୍ରୀ ମିଶ୍ର ତାଙ୍କୁ ୧ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ସମ୍ପର୍କରେ ନିରଞ୍ଜନ ଭିଜିଲାନ୍ସ ବିଭାଗରେ ଜଣାଇଥିଲେ। ଭିଜିଲାନ୍‌ସ ଅଧିକାରୀଙ୍କ ଯୋଜନା ମୁତାବକ ନିରଞ୍ଜନ ଆଜି ତହସିଲ ଅଫିସରେ ପହଞ୍ଚି କିରାଣି ଶ୍ରୀ ମିଶ୍ରଙ୍କୁ ୧ ହଜାର ଟଙ୍କା ଲାଞ୍ଚ ଦେଇଥିଲେ। ଶ୍ରୀ ମିଶ୍ର ତାହା ଗ୍ରହଣ କରୁଥିବା ବେଳେ ଭିଜିଲାନ୍‌ସ ଟିମ୍ ତାଙ୍କୁ ଧରିଥିଲେ।

ସମ୍ବନ୍ଧିତ ଖବର