ପଳାଶୁଣିରେ ଇଞ୍ଜିନିୟର ମୃତ୍ୟୁ ଘଟଣା: ଧରାପଡ଼ିଲା ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଚାଳକ, କହିଲା- ରାସ୍ତା ଗଡ଼ାଣି ଥିଲା, ବ୍ରେକ ଧରିଲାନି

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ପଳାସୁଣି ଛକରେ ସୋମବାର ସକାଳୁ ଟ୍ରକ୍‌ ଧକ୍କାରେ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟଣାରେ ଆଜି ସକାଳୁ ଖୋର୍ଦ୍ଧା ଜିଲ୍ଲା ବେଗୁନିଆରୁ ଗିରଫ ହୋଇଛି ଚାଳକ  ସୌଭାଗ୍ୟ ରଂଜନ ପାତ୍ର। ତାଙ୍କର ଅସାବଧାନ ଓ ବେପରୁଆ ଗାଡ଼ି ଚାଳନା ଯୋଗୁ ଇଂଜିନିୟରଙ୍କ ଗାଡ଼ି ଦୁଇଟି ଟ୍ରକ ମଧ୍ୟରେ ଚାପି ହୋଇ ଯାଇଥିଲା। ଗିରଫଦାରି ପରେ ଟ୍ରକ ଚାଳକ କହିଛନ୍ତି ଯେ, ସାମ୍ନାରେ ଯାଉଥିବା ଡମ୍ପରକୁ ଦେଖିକି ଗାଡ଼ି ଚଳାଉଥିଲି। ରାସ୍ତା ଗଡ଼ାଣି ଥିଲା। ସେଥିପାଇଁ ଗାଡ଼ି ଦ୍ରୁତଗତିରେ ମାଡ଼ି ଯାଇଥିଲା। ତେଣୁ ଜାଣିପାରି ନଥିଲି ଯେ ଆଗରେ କାରଟିଏ ଯାଉଛି। ଶେଷରେ ବ୍ରେକ୍‌ ମାରିବା ପରେ ମଧ୍ୟ ଗାଡ଼ି ଅଟକି ନ ଥିଲା। ଦୁର୍ଘଟଣା ଘଟିଥିଲା।

ଅନ୍ୟପଟରେ ଅଭିଯୁକ୍ତ ଚାଳକ ସୌଭାଗ୍ୟ କୁମାର ପାତ୍ରକୁ ଗିରଫ କରିବା ପରେ କମିସନରେଟ ପୁଲିସ କହିଛି ଯେ, ଅସାବଧାନତା ଓ ବେପାରୁଆ ଗାଡ଼ି ଚାଳନା ପାଇଁ ଦୁର୍ଘଟଣା ଘଟିଛି। ଟ୍ରକ୍‌ର କ୍ଷମତା ଠାରୁ ୬ ଟନ୍‌ରୁ ଅଧିକ ସାମଗ୍ରୀ ନେଇଯାଉଥିବାରୁ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଛି।

ଅତିରିକ୍ତ ଡିସିପି ତରୁଣ କୁମାର ଦାସ କହିଛନ୍ତି ଯେ, ହାଇୱାର ଓଜନ ୧୧୦୮୦ କିଲୋ। ହାଇୱାରେ ମାଲ ପରିବହନ ପାଇଁ ୨୫୦୦୦ କିଲୋକୁ ଅନୁମତି ମିଳିଥାଏ।ହାଇୱାରେ ମାଲ ଓଜନ ଅନୁମତି  ୩୬୦ କିଲୋ ହେବା କଥା। ଦୁର୍ଘଟଣା କରିଥିବା ହାଇୱା ଓ ସେଥିରେ ଥିବା ମାଲର ମୋଟ ଓଜନ ଥିଲା ୪୨,୭୯୦ କିଲୋ। ଯେତିକି ଅନୁମତି ଅଛି ତାଠୁ ୬୭୧୦ କିଲୋ ଅଧିକ ମାଲ ବୋଝେଇ କରି ନେଇଥିଲେ ଡ୍ରାଇଭର। ଦ୍ରୁତ ଓ ବେପରୁଆ ଗାଡିଚାଳନା ପାଇଁ ଏହି ଦୁର୍ଘଟଣା ଘଟିଛି।

ସୂଚନାଯୋଗ୍ୟ, ଗତ ସୋମବାର ସକାଳୁ ପଳାସୁଣି ଛକ ନିକଟରେ ଏକ ଟ୍ରକ ବ୍ରେକ୍ ଫେଲ ହୋଇ ରାସ୍ତାରେ ଠିଆ ହୋଇଥିଲା। ତାକୁ ଏକ କାର ଧକ୍କା ଦେଇଥିଲା। ତାପରେ ଆଉ ଏକ ଟ୍ରକ୍ କାରକୁ ପଛପଟୁ ଧକ୍କା ଦେଇଥିଲା। ୨ଟି ଟ୍ରକ ମଝିରେ କାର୍‌ଟି ଚାପି ହୋଇଯାଇଥିଲା। ତାପରେ ସେହି କାରର ଚାଳକ ତଥା ଯାଜପୁର ଜିଲ୍ଲା ଧର୍ମଶାଳା ବିଦ୍ୟୁତ୍‌ ବିଭାଗର ଏସଡିପିଓ ସୁମନ୍ତ ଦାସ ଚାପି ହୋଇଯାଇଥିଲେ। ଘଟଣାସ୍ଥଳରେ ଶ୍ରୀ ଦାସଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ପ୍ରାୟ ୫ ଘଣ୍ଟା ଧରି ରାସ୍ତା ଜାମ୍ ହୋଇଥିଲା। ଏଥିଯୋଗୁ ଶହଶହ ଗାଡ଼ି ରାସ୍ତାରେ ଅଟକି ରହିଥିବାର ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର