ଗରିବ ଆଦିବାସୀଙ୍କ ପାଇଁ ଦେବଦୂତ : ୪୦ଲକ୍ଷ ଟଙ୍କାର ଜମି କିଣି ଭୂମିହୀନଙ୍କୁ ବାଣ୍ଟିଲେ ଇଂଜିନିୟର

ଜଗତସିଂହପୁର : ଜମି ପାଇଁ ବାପ–ପୁଅ ଓ ଭାଇ ଭାଇ ମଧ୍ୟରେ ଲଢେ଼ଇ ହେଉଛି। ରକ୍ତାକ୍ତ ସଂଘର୍ଷ ଘଟୁଛି। ମାମଲା କୋର୍ଟ କଚେରିରେ ଗଡୁଛି। କିନ୍ତୁ ଜଗତସିଂହପୁର ବ୍ଲକ ଖେରାସ ଅ‌ଳର ଜଣେ ଇଂଜିନିୟର ପ୍ରୀତିରଂଜନ ମହାରଣା ଜମି କିଣି ଗରିବ ଆଦିବାସୀ ଭୂମିହୀନଙ୍କୁ ବାଣ୍ଟି ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ୨୫ ଆଦିବାସୀ ପରିବାରଙ୍କୁ ବାସଗୃହ ଯୋଗାଇ ଦେବା ପାଇଁ ସେ ନିଜ ପକେଟରୁ ଅର୍ଥ ଖର୍ଚ୍ଚ କରି ୨୭ ଡିସିମିଲ ଜମି କିଣିଛନ୍ତି। ଏହାର ବର୍ତ୍ତମାନର ବଜାର ମୂଲ୍ୟ ପ୍ରାୟ ୪୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି।

ପ୍ରୀତିରଂଜନଙ୍କ ବୟସ ଏବେ ୫୫। ସେ କଟକରେ ରହୁଥିବା ବେଳେ ନିଜ ବୃତ୍ତିରେ ବ୍ୟସ୍ତ ରହି ଗାଁକୁ ଆସି ପାରୁ ନଥିଲେ। ବାପା ଭୋଳାନାଥ ମହାରଣା ଜଣେ ଲୋକପ୍ରିୟ ଶିକ୍ଷକ ଥିଲେ। ତାଙ୍କର ପରଲୋକ ପରେ ଗାଁରେ ରହୁଥିବା ମା’ଙ୍କୁ ଦେଖାକରିବା ପାଇଁ ପ୍ରୀତିରଂଜନ ବେଳେ ବେଳେ ଗାଁକୁ ଆସନ୍ତି। ଚାରିପାଞ୍ଚ‌ ବର୍ଷ ତଳେ ଏମିତି ଗାଁକୁ ବୁଲିବାକୁ ଆସି କିଛି ଦିନ ସେ ଘରେ ରହିଥିଲେ। ସକାଳେ ଗାଁରେ ବୁଲିବା ସମୟରେ ଏହି ଆଦିବାସୀ ପରିବାରର ଜଣେ ଯୁବକ ତାଙ୍କର ଦେଖା ହୋଇଥିଲେ। ଯୁବକ ଜଣକ ଭୂମିହୀନ ଏବଂ ଘର କରିବା ପାଇଁ ସରକାର ଖଣ୍ତିଏ ଜାଗା ଦେଉ ନଥିବା ସେ ଜାଣିବାକୁ ପାଇଥିଲେ। ପ୍ରୀତିରଂଜନଙ୍କ ତାଙ୍କୁ ଜାଗା କିଣି ଦେବାର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ନିର୍ଦ୍ଦିଷ୍ଟ ଜମି ଖୋଜିବା ପାଇଁ ଏହି ଆଦିବାସୀ ପରିବାରକୁ ବର୍ଷେରୁ ଅଧିକ ସମୟ ଲାଗି ଯାଇଥିଲା। ପରେ ପାଟେଣି ଗାଁ ତ୍ରିନାଥ ମନ୍ଦିର ନିକଟରେ ଏହି ୨୭ ଡିସିମିଲ ଜାଗା କିଣିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏହି ଜମି କିଣିବା ପାଇଁ ପ୍ରୀତିରଂଜନ ରାଜି ହୋଇଯିବା ପରେ ଜଣେ ଯୁବକଙ୍କୁ କବଲା ପତ୍ର ତିଆରି କରିବା ଦାୟିତ୍ବ ଦେଇଥିଲେ। ମାତ୍ର ଯୁବକ ଜଣକ ମଧ୍ୟ ତାଙ୍କୁ ଠକିବାରୁ ଜମି ଏହି ଆଦିବାସୀଙ୍କ ପରିବାରକୁ ଆସିବାରେ ବିଳିମ୍ବ ହେଲା। ପରେ ନିଜେ ପ୍ରୀତିରଂଜନ ଜଗତସିଂହପୁରରେ ରହ‌ି ଏ ସମସ୍ତ କାର୍ଯ୍ୟ ଶେଷ କରିଥିଲେ। ଜମି କିଣିବା ପରେ ଆଦିବାସୀ ପରିବାରଙ୍କ ନାଁରେ କବଲା କରିଥିଲେ। ଭୂମିହୀନ ରେବତୀ ଦେଇ, ବାଲମା ମୁଣ୍ତା, ଶୁକରାମ ସିଂ, ମଧୁ ନାୟକ, ଲେମ୍ବ ହେମ୍ବ୍ରମ, ଲୁସା ଟୁଡୁ, ଜଗନ୍ନାଥ ଦାସ, ଲୁଡୁ ସିରିକା, ମକରା ସିରିକା, ରୀତା ପୂର୍ତ୍ତି, ଗୋବିନ୍ଦ ଚନ୍ଦ୍ର ଚାମ୍ପିଆ, ଅର୍ଜୁନ ଚାମ୍ପିଆ, ବାପିନା ଚାମ୍ପିଆ, ରାମ ସିଂ ମୁଣ୍ତା, ବଚନ ନାୟକ, କୃଷ୍ଣ ନାୟକ, ଲେମ୍ବ ହେମ୍ବ୍ରମ, ଗୋଲାପ ସିଂ, ପପ ମୁଣ୍ତା, ସାବିତ୍ରୀ ମୁଣ୍ତା, ପଦ୍ମିନୀ ନାୟକ ଓ ସାଗର ଚାମ୍ପିଆ ପ୍ରମୁଖଙ୍କ ନାମରେ ପ୍ରୀତିରଂଜନ ଜମି ଲେଖି ଦେଇଛନ୍ତି। ପ୍ରୀତିରଂଜନ କୁହନ୍ତି ଯେ, ଭଗବାନଙ୍କ କୃପାରୁ ତାଙ୍କ ପରିବାର ଭଲରେ ଅଛି। ଘର ନିକଟରେ ରହୁଥିବା ଅନ୍ୟମାନଙ୍କ ମୁହଁରେ ଟିକିଏ ହସ ଦେବା ପାଇଁ ଏମିତି କାର୍ଯ୍ୟ କରିଛି। ସମସ୍ତଙ୍କ ନାଁରେ କବଲା କରିସାରିଛି। ଏମିତିକି ଯେହେତୁ ସେମାନେ ଆଦିବାସୀ ଓ ଅଧିକାଂଶ ନିରକ୍ଷର ସେଥିପାଇଁ ଜମିରେ କାହାର କେଉଁ ଜାଗା ତାକୁ ଭଲ ଭାବେ ଚିହ୍ନଟ କରାଇ ଦେଇଛି। ସେହି ଜାଗା ଉପରେ କେମିତି ଏହି ଆଦିବାସୀ ପରିବାର ଘର ଖଣ୍ତିଏ କରିବାକୁ ସକ୍ଷମ ହେବେ ସେଥିପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଉ ବୋଲି ସେ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର