ଲାଞ୍ଚ ନେଇ ଧରାପଡ଼ିଲେ ଯନ୍ତ୍ରୀ

କପ୍ତିପଦା/ଶାଳଚୁଆ/ଉଦଳା-୧ : ମାତ୍ର ୧୩ ଶହ ଟଙ୍କା ଲାଞ୍ଚ ନେଇ ଫସିଗଲେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ନେସ୍କୋ ବିଦ୍ୟୁତ୍ ଡିଭିଜନର କନିଷ୍ଠଯନ୍ତ୍ରୀ ଅଶ୍ବିନୀ କୁମାର ଦାସ ଅଧିକାରୀ (୩୬)। ବିଦ୍ୟୁତ୍‌ ବିଭାଗକୁ ଭଡ଼ାରେ ଗାଡ଼ି ଯୋଗାଇଥିବା ବ୍ୟକ୍ତିଙ୍କ ବିଲ୍‌ ପାସ୍‌ ପାଇଁ ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଆଜି ଭିଜିଲାନ୍ସ ଟିମ୍‌ ଗିରଫ କରିଛି।

ସୂଚନା ଅନୁଯାୟୀ, କପ୍ତିପଦା ନେସ୍କୋ ଡିଭିଜନ୍ ରଥିପୁର ଗ୍ରୀଡ୍‌ କାର୍ଯ୍ୟାଳୟରେ ସ୍ଥାନୀୟ ଜନକପୁର ଗ୍ରାମର ଦଶରଥ ନାୟକଙ୍କ ବୋଲେରୋ (ଓଡି୦୧ଡି-୦୧୧୭) ଭଡ଼ାସୂତ୍ରରେ ଲାଗିଛି। ଦଶରଥଙ୍କ ପୁଅ ଶିଶିର ନିଜେ ଉକ୍ତ ଗାଡ଼ି ଚଳାନ୍ତି। ତେବେ ପ୍ରତି ମାସ ଭଡ଼ା ବାବଦରେ ବିଲ୍ ପ୍ରଦାନ ବେଳେ ତାଙ୍କୁ ଲାଞ୍ଚ ମାଗୁଥିଲେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଅଶ୍ବିନୀ କୁମାର ଦାସଅଧିକାରୀ (୩୬)। ଶିଶିରଙ୍କର ମୋଟ୍‌ ୩୦ ହଜାର ଟଙ୍କାର ବିଲ୍‌ ବାକି ଥିବାବେଳେ ଏଥିପାଇଁ ୧୩ ଶହ ଟଙ୍କା ଲାଞ୍ଚ ମାଗିଥିଲେ କନିଷ୍ଠଯନ୍ତ୍ରୀ। ଶିଶିର ଟଙ୍କା ଦେବାକୁ ଅସମର୍ଥ ହେବାରୁ ତାଙ୍କ ବିଲ୍ ପାସ୍‌ କରି ନଥିଲେ। ଏ ନେଇ ବାଲେଶ୍ବର ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ ଶିଶିର। ପୂର୍ବ ଯୋଜନା ମୁତାବକ ଆଜି ଦିନ ପ୍ରାୟ ୧୧ଟା ସମୟରେ ଶିଶିର କନିଷ୍ଠଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଇ ଟଙ୍କା ଦେଇଥିଲେ। ଯନ୍ତ୍ରୀ ଟଙ୍କା ଗଣି ନିଜ ଡ୍ରରେ ରଖିବାବେଳେ ତାଙ୍କୁ କାବୁ କରିନେଇଥିଲେ ବାରିପଦା ଓ ବାଲେଶ୍ବର ଭିଜିଲାନ୍ସ ଟିମ୍। ତାଙ୍କ ନିକଟରୁ ରଙ୍ଗବୋଳା ୨ଟି ୫ ଶହ ଟଙ୍କିଆ, ଗୋଟିଏ ୨ ଶହ ଟଙ୍କିଆ ଓ ଗୋଟିଏ ଶହେ ଟଙ୍କିଆ ନୋଟ୍‌ ଜବତ ହୋଇଥିଲା। ପରେ ତାଙ୍କୁ ଉଦଳାସ୍ଥିତ ବିଦ୍ୟୁତ୍ ବିଭାଗ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟକୁ ନେଇ ଜେରା କରିଥିଲା ଭିଜିଲାନ୍ସ। ଏଥିସହ ଉଦଳା-କପ୍ତିପଦା ରାସ୍ତାରେ ଥିବା ତାଙ୍କ ଭଡ଼ାଘର ଓ ବାଲେଶ୍ବରସ୍ଥିତ ଘରେ ମଧ୍ୟ ଚଢ଼ଉ କରାଯାଇଛି। ଜଣେ ଡିଏସ୍‌ପିଙ୍କ ନେତୃତ୍ବରେ ବାଲେଶ୍ବର-ବାରିପଦା ଭିଜିଲାନ୍ସ ଟିମ୍‌ ଏହି ଚଢ଼ଉ କରିଥିଲା।

ସମ୍ବନ୍ଧିତ ଖବର