ସାଳନ୍ଦୀ କେନାଲ୍‌ ଡିଭିଜନ୍‌ର ଅଧୀକ୍ଷଣ ଯନ୍ତ୍ରୀ ଗିରଫ

ବାଲେଶ୍ବର/ଭଦ୍ରକ : ଭଦ୍ରକ ସାଳନ୍ଦୀ କେନାଲ୍‌ ଡିଭିଜନ୍‌ର ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀମନ୍ତ ସେଠୀଙ୍କୁ ଗିରଫ କରିଛି ଭିଜିଲାନ୍ସ ।

ଗୁରୁବାର ସକାଳେ ଶ୍ରୀ ସେଠୀ ତାଙ୍କ ଭିଣୋଇ କରୁଣାକର ସେଠୀଙ୍କୁ ନିଜ ସରକାରୀ ବାସଭବନକୁ ଡାକି ନଗଦ ୫ ଲକ୍ଷ ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ଟିମ୍‌ ସେଠାରେ ଅତର୍କିତ ଚଢ଼ାଉ କରି ତାଙ୍କଠାରୁ ଉକ୍ତ ଟଙ୍କା ଜବତ କରିଥିଲେ। ଏତେ ପରିମାଣର ଟଙ୍କା ସେ କେଉଁଠୁ ଆ‌ଣିଲେ ଓ ତାଙ୍କ ଭିଣୋଇଙ୍କୁ କାହିଁକି ଦେଉଥିଲେ, ସେ ସଂପର୍କରେ ଗୁଡ଼େଇତୁଡ଼େଇ ପ୍ରଶ୍ନ କରିଥିଲା ଭିଜିଲାନ୍ସ । ହେଲେ, ଶ୍ରୀ ସେଠୀ କିଛି ଉତ୍ତର ରଖି ପାରିନଥିଲେ। ପରେ ଭିଜିଲାନ୍ସ ପକ୍ଷରୁ ଭଦ୍ରକ ବାଇପାସ୍‌ସ୍ଥିତ ତାଙ୍କ ସରକାରୀ କାର୍ଯ୍ୟାଳୟ, ସରକାରୀ ବାସଭବନ, ଭୁବନେଶ୍ବର ଡେଲ୍‌ଟା କଲୋନି‌ରେ ଥିବା ସରକାରୀ ବାସଭବନ, ବାଲେଶ୍ବର ସହର ଅଙ୍ଗାରଗଡ଼ିଆରେ ଥିବା ନିଜ ଘର ଓ ଶ୍ବଶୁର ଘର, ସୁନହଟରେ ରହୁଥିବା ଭିଣୋଇ ଘର ଓ ବାଲେଶ୍ବର ସଦର ବ୍ଲକ୍‌ ଆଳଦିଆଠାରେ ଥିବା ପୈତୃକ ଘରେ ଏକକାଳୀନ ଚଢ଼ାଉ କରାଯାଇଥିଲା।

ସରକାରୀ କ୍ବାର୍ଟର୍ସରୁ ମିଳିଲା ନଗଦ ୫ ଲକ୍ଷ
ନିଜ ଭିଣୋଇଙ୍କୁ ଟଙ୍କା ଦେବାବେଳେ ଧରିଲା ଭିଜିଲାନ୍ସ
ପୈତୃକ ବାସଭବନ ସମେତ ୫ଟି ସ୍ଥାନରେ ଚଢ଼ଉ

ଭିଜିଲାନ୍ସର ସୂଚନା ମୁତାବକ, ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ସେଠୀ ଏକ ଠିକାସଂସ୍ଥାରୁ ବେଆଇନ୍‌ ଭାବେ ଟଙ୍କା ନେଇ ନିଜ ପାଖରେ ରଖିଥିଲେ। ଆଜି ନିଜ ଭିଣୋଇଙ୍କୁ ସରକାରୀ ବାସଭବନକୁ ଡାକି ତାଙ୍କ ହାତରେ ଉକ୍ତ ୫ ଲକ୍ଷ ଟଙ୍କା ଘରକୁ ପଠାଇବେ ବୋଲି ବିଶ୍ବସ୍ତ ସୂତ୍ରରୁ ଭିଜିଲାନ୍ସକୁ ଖବର ମିଳିଥିଲା। ବାଲେଶ୍ବର ଭିଜିଲାନ୍ସ ଏସ୍‌ପି ନରହରି ନାୟକଙ୍କ ନିର୍ଦ୍ଦେଶକ୍ରମେ ଭଦ୍ରକ ଭିଜିଲାନ୍ସ ଡିଏସ୍‌ପି ମହେଶ୍ବର ସେଠୀ ଓ ବିଭାଗୀୟ କର୍ମଚାରୀ ଚଢ଼ାଉ କରିବା ସହ ଶ୍ରୀ ସେଠୀଙ୍କୁ ନିଜ ହେପାଜତକୁ ନେଇଥିଲେ। ଶ୍ରୀ ସେଠୀଙ୍କ ନାଁରେ ଥିବା ବ୍ୟାଙ୍କଜମା, ଚେକ୍‌, ପାସବହି ସମେତ ବିଭିନ୍ନ ସ୍ଥାବର, ଅସ୍ଥାବର ସମ୍ପତ୍ତିର ଆକଳନ କରାଯାଉଛି। ଅଧିକ ଜେରା ପାଇଁ ଶ୍ରୀ ସେଠୀଙ୍କୁ ବାଲେଶ୍ବର ଭିଜିଲାନ୍ସ କାର୍ଯ୍ୟାଳୟକୁ ଅଣାଯାଇଥିବାବେଳେ କେସ୍ ନଂ ୨୬/୨୨ରେ ତାଙ୍କୁ ଗିରଫ କରାଯାଇଥିବା ବିଭାଗୀୟ ଏସ୍‌ପି ଶ୍ରୀ ନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର