ମନରେଗା ଦୁର୍ନୀତିରେ କାର୍ଯ୍ୟାନୁଷ୍ଠାନ: ଯନ୍ତ୍ରୀ, ପିଇଓ, ଜିଆରଏସ୍‌ ନିଲମ୍ବିତ

ଯାଜପୁର/ସିଂହପୁର/ବିଂଝାରପୁର : ଯାଜପୁରର ବିଂଝାରପୁର ବ୍ଳକ୍‌ ଅନ୍ତର୍ଗତ ଜରୀ ପଞ୍ଚାୟତର ମନରେଗା ଦୁର୍ନୀତି ଘଟଣାରେ ୩ ଜଣଙ୍କୁ ନିଲମ୍ବିତ କରାଯାଇଛି। ୩ ଜଣ ହେଲେ; କନିଷ୍ଠ ଯନ୍ତ୍ରୀ ତୁଷାର ପାତ୍ର, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ପ୍ରକାଶ ଜେନା ଓ ଜିଆରଏସ ପାର୍ଥସାରଥୀ ଥାଟୋଇ। ୩ ଜଣଙ୍କ ବିରୋଧରେ ଅନେକ ପ୍ରକଳ୍ପ ନାମରେ ମିଥ୍ୟା ବିଲ୍ କରି ସରକାରୀ ଅନୁଦାନ ହଡ଼ପ କରାଯାଇଥିବା ନେଇ ଅଭିଯୋଗ ରହିଥିଲା। ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଏହି ଦୁର୍ନୀତି ଅଭିଯୋଗରେ ତିନିଜଣ କର୍ମଚାରୀଙ୍କୁ ନିଲମ୍ବିତ କରିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ୨୦୧୮-୧୯, ୨୦୧୯-୨୦ ଓ ୨୦-୨୦୨୧ ଆର୍ଥିକ ବର୍ଷରେ ଜରୀ ପଞ୍ଚାୟତରେ ମୋଟ୍‌ ୨୨ଟି ପ୍ରକଳ୍ପରେ ଆଦୌ କାମ କରାଯାଇନାହିଁ। ଅଥଚ ମିଥ୍ୟା ଭାଉଚର କରି ଶ୍ରମିକଙ୍କ ନାମରେ ୩୦ ଲକ୍ଷରୁ ଅଧିକ ଟଙ୍କା ହଡ଼ପ କରିଥିବାର ଅଭିଯୋଗ ହୋଇଥିଲା। ପଞ୍ଚାୟତର ସମିତିସଭ୍ୟ ଭୁବନାନନ୍ଦ ସାମଲଙ୍କ ସମେତ କାମ ନପାଇ ଭୋକ ଉପବାସରେ ଦିନ କାଟୁଥିବା ଶହ ଶହ ଶ୍ରମିକ ଓ ପଞ୍ଚାୟତବାସୀ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ଗତ ଜୁନ ମାସ ୨୮ ତାରିଖରେ ଆମରଣ ଅନଶନରେ ବସିଥିଲେ। ଜିଲ୍ଲାପାଳ ଶ୍ରୀ ରାଠୋର ତଦନ୍ତ ପାଇଁ ନି‌ର୍ଦ୍ଦେଶ ଦେଇଥିଲେ। କନିଷ୍ଠ ଯନ୍ତ୍ରୀ ତୁଷାର ପାତ୍ର, କାର୍ଯ୍ୟରତ ପିଇଓ ପ୍ରକାଶ କୁମାର ଜେନା, ଜିଆରଏସ ପାର୍ଥସାରଥୀ ଥାଟୋଇ ଦୁର୍ନୀତିରେ ସଂପୃକ୍ତି ଥିବା ତଦନ୍ତକାରୀ ଅଧିକାରୀ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ଏହି ରିପୋର୍ଟ ଆଧାରରେ ଗତକାଲି ଜିଲ୍ଲାପାଳ ୩ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି।

ଅନ୍ୟପକ୍ଷ‌ରେ, ୩ଜଣଙ୍କୁ ଜିଲ୍ଲାପାଳ ଶ୍ରୀ ରାଠୋର ନିଲମ୍ବିତ କରିବା ଫଳରେ ଅସାଧୁ କାରବାରରେ ଲିପ୍ତ ଲୋକପ୍ରତିନିଧି ଓ କର୍ମଚାରୀମାନେ ଏବେ ପ୍ରମାଦ ଗଣିବାକୁ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର