ବ୍ରାହ୍ମଣୀରେ ବୁଡ଼ିଗଲେ ଇଂଜିନିୟର

କଣିହାଁ : ସମଲ ବ୍ୟାରେଜ୍‌ ତଳମୁଣ୍ଡରେ ବ୍ରାହ୍ମଣୀ ନଦୀରେ ଆଜି ଏକ ଡଙ୍ଗା ବୁଡ଼ିଯିବାରୁ ଦୁଇଜଣ ବ୍ୟକ୍ତି ନିଖୋଜ ହୋଇଯାଇଛନ୍ତି। ଡଙ୍ଗାରେ ଥିବା ୫ ଜଣଙ୍କ ମଧ୍ୟରୁ ଅନ୍ୟ ତିନିଜଣ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି। ସେମାନେ ଅନୁଗୁଳସ୍ଥିତ ଜିନ୍ଦଲ ଇସ୍ପାତ କାରଖାନାକୁ ପାଇପ ଯୋଗେ ଲୁହାଗୁଣ୍ଡ ଯୋଗାଣ ଲାଗି ସର୍ଭେ ଚଳାଇଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ନିଖୋଜଙ୍କ ମଧ୍ୟରେ ଜଣେ ଯନ୍ତ୍ରୀ ଥିବା ଜଣାପଡ଼ିଛି। ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀମାନେ ନଦୀରେ ଖୋଜାଖୋଜି ଚଳାଇଛନ୍ତି। ତେବେ ବିଳମ୍ବିତ ରାତି ସୁଦ୍ଧା ଦୁଇ ନିଖୋଜଙ୍କର କୌଣସି ସନ୍ଧାନ ମିଳି ପାରି ନଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ବଡ଼ବିଲରୁ ଅନୁଗୁଳ ଜିନ୍ଦଲ୍‌ ଇସ୍ପାତ କାରଖାନାକୁ ପାଇପ୍‌ ଯୋଗେ ଲୁହାଗୁଣ୍ଡ ପରିବହନ ଲାଗି ଯୋଜନା କରାଯାଉଛି। ଏହି ପାଇପ୍‌ ସମଲ ବ୍ୟାରେଜ ତଳେ ବ୍ରାହ୍ମଣୀ ନଦୀରେ ଆଣିବାର ସ୍ଥିର ହୋଇଛି। କଟକ ମହାନଦୀ ବିହାର ଶିଖରପୁର ଅଞ୍ଚଳର ‘ଅର୍‌ବିଟାଲ୍‌’ ନାମକ ଏକ କମ୍ପାନି ଏଥିଲାଗି ସର୍ଭେ ଚଳାଇଛି। କମ୍ପାନିର ୫ ଜଣ କର୍ମଚାରୀ ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ୨ଟା ବେଳେ

ଡଙ୍ଗାରେ ସମଲ ବ୍ୟାରେଜ୍‌ ତଳମୁଣ୍ଡ ବ୍ରାହ୍ମଣୀ ନଦୀରେ ସର୍ଭେ କରୁଥିଲେ। ବ୍ୟାରେଜର ୨ଟି ଗେଟ୍‌ ଏବଂ ଓପିସିଏଲ୍‌ ଟନେଲ୍‌ରୁ ପାଣି ଖଲାସ ହେଉଥିବା ସ୍ଥାନରେ ନଦୀ ଖୁବ୍‌ ଗଭୀର। ସର୍ଭେ ବେଳେ ସେହି ଗଣ୍ଡରେ ଡଙ୍ଗାଟି ହଠାତ୍‌ ବୁଡ଼ିଯାଇଥିଲା। ସେଥିରେ ଥିବା ୩ ଜଣ କର୍ମଚାରୀ ପହଁରି ପହଁରି କୂଳକୁ ଚାଲି ଆସିଥିଲେ। ତେବେ ଏହି ଦଳରେ ଥିବା ବ୍ରହ୍ମପୁରର ଯନ୍ତ୍ରୀ ରମେଶ ଶତପଥୀ(୨୭) ଏବଂ ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା କମର ଗାଁର ଅଶୋକ ଆଇଚ(୩୦) ନିଖୋଜ ହୋଇ ଯାଇଥିଲେ।

ସମ୍ବନ୍ଧିତ ଖବର