କେନ୍ଦ୍ରାପଡ଼ା : ସରପଞ୍ଚଙ୍କ ବାଡ଼ିରେ ନଳକୂପ ଖୋଳିବା ମହଙ୍ଗା ପଡ଼ିଲା। ପଞ୍ଚାୟତିରାଜ ବିଭାଗ ଅତିରିକ୍ତ ସଚିବ ଏଥିପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ (ଆର୍‌ଡବ୍ଲୁଏସ୍‌ଏସ୍‌) କନିଷ୍ଠ ଯନ୍ତ୍ରୀ ସରୋଜ ମହାପାତ୍ରଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି।

Advertisment

ଗତ ୧୮ ତାରିଖରେ ସରକାରୀ ନିୟମ ଉଲ୍ଲଂଘନ କରିଥିବା ଦର୍ଶାଇ  ଶ୍ରୀ ମହାପାତ୍ରଙ୍କୁ ଚାକିରିରୁ ନିଲମ୍ବନ ପାଇଁ ନିର୍ବାହୀ ଯନ୍ତ୍ରୀ ଦିଲୀପ ଦେହୁରୀ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ସୁପାରିସ କରିଥିଲେ। ତଦନୁଯାୟୀ ଅଧୀକ୍ଷଣ ଯନ୍ତ୍ରୀ ଏହି ଫାଇଲ୍‌କୁ ବିଭାଗକୁ ପଠାଇବା ପରେ ଅତିରିକ୍ତ ସଚିବ ଯନ୍ତ୍ରୀ ଶ୍ରୀ ମହାପାତ୍ରଙ୍କ ନିଲମ୍ବନ ଉପରେ ମୋହର ମାରିବା ସହ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇଛନ୍ତି। ତେବେ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ବେଳେ ସରପଞ୍ଚଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ ହେବ ତାହାକୁ ନେଇ ପ୍ରଶ୍ନ ଉଠିଛି।

ଅନ୍ୟପକ୍ଷରେ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଦେହୁରୀ କହିଛନ୍ତି ଯେ, ଯନ୍ତ୍ରୀଙ୍କ ନିଲମ୍ବନ ରିପୋର୍ଟ ମିଳିଛି। ନିଲମ୍ବନ ସୁପାରିସ ଉପରେ ଅତିରିକ୍ତ ସଚିବ ମୋହର ମାରିବା ସହ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ସବୁ ନୀତିନିୟମକୁ ଜଳାଞ୍ଜଳି ଦେଇ ଡେରାବିଶ ବ୍ଲକ୍ ନହଙ୍ଗ ପଞ୍ଚାୟତରେ ସରପଞ୍ଚ ଉମାକାନ୍ତ ନାୟକଙ୍କ ବାଡ଼ିରେ ୨ଲକ୍ଷ ୩୨ହଜାର ଟଙ୍କା ବ୍ୟୟରେ ଏକ ସରକାରୀ ନଳକୂପ ବସାଯାଇଥିଲା। ଏହାକୁ ନେଇ 'ସମ୍ବାଦ'ରେ ଲଗାତର ତଥ୍ୟଭିତ୍ତିକ ଖବର ପ୍ରକାଶ ପାଇବା ପରେ ଜିଲ୍ଲାପାଳ ଘଟଣାର ତଦନ୍ତ ନିର୍ଦେଶ ଦେଇଥିଲେ।