ଇଞ୍ଜିନିୟରରୁ ସଫଳ ଚାଷୀ: ୫ ଶହ କୁଇଣ୍ଟାଲ୍‌ ତରଭୁଜ ଫଳାଇଲେ ରୂପକ

କୁଳିଦା: ଚାକିରିକୁ ଭରସା ନକରି ଚାଷକୁ ଅପଣେଇନ୍ତି ଜଣେ ଇଞ୍ଜିନିୟର। ଫଳରେ ନିଜେ ସ୍ୱାବଲମ୍ବୀ ହେବା ସହ ଅନେକଙ୍କୁ ଦେଖାଇଛନ୍ତି ରୋଜଗାରର ବାଟ। ବାଲେଶ୍ୱର ଜିଲ୍ଲା ସଦର ବ୍ଲକ୍‌ ଅଧୀନ ରୂପ୍‌ସା ସାମିଲହାସନପୁର ଗ୍ରାମର ରୂପକ ବେହେରା। ଇଞ୍ଜିନିୟରିଂ ପାଠ ପଢ଼ି ସାରିବା ପରେ ସେ ଏକ ଘରୋଇ କମ୍ପାନିରେ ଚାକିରି କରିଥିଲେ। କିନ୍ତୁ ଚାକିରି ଅର୍ଥରେ ସନ୍ତୁଷ୍ଟ ନଥିଲେ। କରୋନା ବେଳେ ଲକ୍‌ଡାଉନ୍‌ ଯୋଗୁ କମ୍ପାନିଗୁଡ଼ିକର ଦୁରବସ୍ଥା ଦେଖି ରୂପକ ଚାକିରି ଛାଡ଼ିଦେଲେ।

ଭାବିଲେ ଚାଷ କରିବେ। ଫଳରେ ସେ କିଛି ସାଙ୍ଗଙ୍କ ସହ ମିଶି ଆରମ୍ଭ କଲେ ଏକ ଫାର୍ମ। ‌ଯେଉଁଥିରେ ଛତୁ, କଲରା, ତରଭୁଜ, କାକୁଡ଼ି, କଖାରୁ ପ୍ରଭୃତି ଚାଷ କଲେ। ସେଥିରୁ ଲାଭବାନ ହେବା ପରେ ଏବେ ରୂପକ ୫ ଏକର ଜିମିରେ ତରଭୁଜ ଚାଷ କରିଛନ୍ତି। ଏଥିପାଇଁ ସେ ୪ରୁ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ବେଳେ ୭ରୁ ୮ ଲକ୍ଷ ଟଙ୍କା ରୋଜଗାର ହେବ ବୋଲି ଆଶା ରଖିଛନ୍ତି। ଏବେ ସୁଦ୍ଧା ୨ ଶହ କୁଇଣ୍ଟାଲ୍‌ ତରଭୁଜ ଉତ୍ପାଦନ ହୋଇ ସାରିଥିବା ବେଳେ ଆହୁରି ୩ ଶହ କୁଇଣ୍ଟାଲ୍ ତରଭୁଜ ଉତ୍ପାଦନ ହେବ ବୋଲି ରୂପକ କହିଛନ୍ତି। ଉତ୍ପାଦନ ହେଉଥିବା ତରଭୁଜଗୁଡ଼ିକୁ ପଶ୍ଚିମବଙ୍ଗର ଗଡ଼ବେତା, ପଉଁଶକୁଡ଼, ଖଡ଼ଗପୁର, ମେଦିନୀପୁର ପ୍ରଭୃତି ସ୍ଥାନକୁ ଅଧିକ ରତ୍ପାନୀ ହେଉଛି। କାରଣ ସ୍ଥାନୀୟ ବ୍ୟବସାୟୀମାନେ ତରଭୁଜ କୁଇଣ୍ଟାଲ୍‌ ପିଛା ୧ ହଜାରରୁ ୧୫ ଶହ ଟଙ୍କା ଦରରେ କିଣୁଥିବା ବେଳେ ପଶ୍ଚିମବଙ୍ଗର ବ୍ୟବସାୟୀମାନେ ୧୮ ଶହରୁ ୨ ହଜାର ଟଙ୍କା ଦରରେ କିଣୁଛନ୍ତି। ତେବେ ଭବିଷ୍ୟତରେ ରୂପକ ଉନ୍ନତମାନର ବରକୋଳି, କାଶ୍ମିରୀ ସେଓ, ପପେୟା, ପିଜୁଳି, ଥାଇଲାଣ୍ଡ କୋଳି ପ୍ରଭୃତି ଚାଷ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ଉଚ୍ଚଶିକ୍ଷିତ ରୂପକ ଆଜି ଯାହା କରି ଦେଖାଇଛନ୍ତି, ତାହା ଅନ୍ୟମାନଙ୍କ ପାଇଁ ଉଦାହରଣ ନିଶ୍ଚିତ। ଯେଉଁମାନେ ଚାକିରି ପଛରେ ଗୋଡ଼ାଇ ହତାଶ ହେଉଛନ୍ତି, ସେମାନଙ୍କ ପାଇଁ ସେ ପ୍ରେରଣା। କେବଳ ଚାକିରି ନୁହେଁ, ଚାଷ ଓ ବ୍ୟବସାୟ କରି ବି ଯେ ସଫଳତା ସାଉଁଟି ହେବ, ତାହା ରୂପକ ପ୍ରମାଣିତ କରି ଦେଖାଇଛନ୍ତି।

ସମ୍ବନ୍ଧିତ ଖବର