୪ ସାଙ୍ଗଙ୍କ ଆଖି ସାମ୍ନାରେ ସମୁଦ୍ରରେ ଭାସିଗଲେ ଇଂଜିନିୟରିଂ ଛାତ୍ର

ରାଜନଗର: ୪ ସାଙ୍ଗଙ୍କ ଆଖି ସାମ୍ନାରେ ଭାସିଗଲେ ବନ୍ଧୁ | ଯାଜପୁର ବିଞ୍ଝାରପୁରରୁ ପେଣ୍ଠରେ ସମୁଦ୍ରକୁ ବୁଲିବାକୁ ଆସିଥିବା ୫ଜଣ ସାଙ୍ଗଙ୍କ ମଧ୍ୟରୁ ଜଣେ ସାଙ୍ଗ ସମୁଦ୍ରରେ ଭାସିଯାଇ ନିଖୋଜ ହୋଇଯାଇଛନ୍ତି | ଦମକଳ ବାହିନୀ ସମୁଦ୍ରରେ ଖୋଜାଖୋଜି କରିଥିଲେ ମଧ୍ୟ ଛାତ୍ରଙ୍କ ପତା ମିଳିପାରିନାହିଁ । ମିଳିଥିବା ସୂଚନା ମୁତାବକ ଯାଜପୁର ଥାନା ବିଞ୍ଝାରପୁର ଥାନା ଅଂଚଳର ଜରି ଓ ବାଙ୍ଗରା ଗାଁର ଗୌରବ ରଥ (୨୪ ବର୍ଷ), ସତ୍ୟଜିତ ଥାଟୋଇ, ବିଶ୍ୱଜିତ ଥାଟୋଇ, ଅବିନାଶ ବିନୋଦ, ପ୍ରିୟବ୍ରତ ଧଳ ପ୍ରମୁଖ ୫ଜଣ ସାଙ୍ଗ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ପେଣ୍ଠ ସମୁଦ୍ର କୂଳକୁ ବୁଲିବାକୁ ଆସିଥିଲେ । ଦିନ ପ୍ରାୟ ୨ ଘଟିକା ସମୟରେ ସମୁଦ୍ରରେ ସାଙ୍ଗହୋଇ ଗାଧୋଉଥିଲେ । ଆଉ ଏହି ସମୟରେ ଗୌରବଙ୍କୁ ଜୁଆର ଭସାଇ ନେଇଥିଲା । ଗୌରବଙ୍କୁ ବଂଚାଇବାକୁ ସତ୍ୟଜିତ ଓ ବିଶ୍ୱଜିତ ଦୁଇଭାଇ ହାତ ଧରା ଧରି ହୋଇ ଉଦ୍ଧାର କରିବାକୁ ଆପ୍ରାଣ ଚେଷ୍ଟା କରିଥିଲେ ।

ଗୌରବଙ୍କ ହାତଧରି କୂଳକୁ ଟାଣି ଆଣିବା ବେଳେ ହଠାତ ଏକ ବଡ ଲହଡି ଆସିଥିଲା । ଏହି ଲହଡି ସମସ୍ତଙ୍କୁ ବୁଡାଇ ଦେଇଥିଲା । ଲହଡି ଚାଲିଯିବାବେଳେ ଦୁଇଭାଇ ଓ ଅଳ୍ପ ଦୂରରେ ଥିବା ଅନ୍ୟ ଦୁଇଜଣ ସାଙ୍ଗ ଗୌରବଙ୍କୁ ଆଉ ଦେଖିବାକୁ ପାଇନଥିଲେ । ସେଠାରେ ଗାଧୋଉଥିବା ଲୋକମାନେ ଖୋଜାଖୋଜି କରିଥିଲେ ମଧ୍ୟ ଗୌରବଙ୍କୁ ପାଇନଥିଲେ । ଖବରପାଇ ଦମକଳ ବାହିନୀର କର୍ମଚାରୀମାନେ ସମୁଦ୍ର ମଧ୍ୟରେ ଖୋଜାଖୋଜି କରିଥିଲେ ମଧ୍ୟ ଗୌରବଙ୍କ ଖୋଜ ଖବର ପାଇପାରିନାହାଁନ୍ତି । ୫ଜଣଙ୍କ ମଧ୍ୟରୁ ୩ଜଣ ପୂର୍ବରୁ ପେଣ୍ଠ ସମୁଦ୍ରକୁ ବହୁବାର ଆସିଥିଲେ ମଧ୍ୟ ଗୌରବ ଆଜି ପ୍ରଥମଥର ପାଇଁ ସେମାନଙ୍କ ସହ ଆସିଥିଲଲେ । ଗୌରବ ଛତାସ୍ଥିତ ସରକାରୀ ଇଂଜିନିୟରିଂ କଲେଜରେ ଡିପ୍ଲୋମା କରୁଛନ୍ତି । ସବୁଠୁ ବଡକଥା ହେଲା ପେଣ୍ଠ ସମୁଦ୍ର କୂଳକୁ ବଣଭୋଜି ଓ ଗାଧୋଇବା ପାଇଁ ପ୍ରତିଦିନ ଶହ ଶହ ଲୋକ ଯାଉଛନ୍ତି । ବିଶେଷକରି ଯୁବପିଢୀ ଅଧିକ ସଂଖ୍ୟାରେ ଯାଉଛନ୍ତି ।

କେଉଁଠି ଗାଧୋଇବା ଆବଶ୍ୟକ, କେତେଦୂର ଯାଏଁ ଯାଇହେବ ସେ ନେଇ କୌଣସି ସୂଚନା ନାହିଁ । ପର୍ଯ୍ୟଟନ ବିଭାଗ, ବନବିଭାଗ କିମ୍ବା ପୁଲିସ ପକ୍ଷରୁ କୌଣସି ପାଟ୍ରୋଲିଂ ନାହିଁ କିମ୍ବା କୌଣସି କର୍ମଚାରୀ ସେଠାରେ ଦାୟିତ୍ୱରେ ରହୁନାହାଁନ୍ତି । ପେଣ୍ଠ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇନଥିଲେ ବି ଭିତରକନିକା ଅପେକ୍ଷା ପେଣ୍ଠକୁ ଅଧିକ ସଂଖ୍ୟାରେ ପର୍ଯ୍ୟଟକ ଆସୁଛନ୍ତି । ଏଠାରେ ଲାଇଫଗାର୍ଡର ବ୍ୟବସ୍ଥା ସହିତ ସୂଚନା ଫଳକ ମରାଯିବା ଓ ପୁଲିସ ପକ୍ଷରୁ ନିୟମିତ ଭାବେ ଡ୍ୟୁଟି କରିବାକୁ ସାଧାରଣରେ ଦାବୀ ହୋଇଛି ।

ସମ୍ବନ୍ଧିତ ଖବର