୨ ଲକ୍ଷ ପାଇଁ ପ୍ରେମିକାର ଭାଇର ବ୍ଲାକ୍‌ମେଲ୍‌ : ସାଙ୍ଗ ସହ କିଶୋର ରଚିଥିଲା ନିଜ ଅପହରଣ ନାଟକ

ବୁଗୁଡ଼ା : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହର ଇରିଗେସନ୍‌ କଲୋନି ବାସିନ୍ଦା କିଶୋର କୁମାର ପଟ୍ଟନାୟକ ଅପହରଣ ଘଟଣାରେ ଆଜି ଯବନିକା ପଡ଼ିଛି। ପ୍ରେମିକାର ଭାଇ ଧମକଚମକ ଦେବା ସହ ୨ ଲକ୍ଷ ଟଙ୍କା ଦେବାକୁ ବ୍ଲାକ୍‌ମେଲିଂ କରୁଥିଲା। ସେ ନିରୁପାୟ ହୋଇ ସାଙ୍ଗ ସହ ମିଶି ନିଜେ ନିଜ ଅପହରଣ ନାଟକ ରଚିଥିଲେ ବୋଲି ଘରକୁ ଫେରିବା ପରେ କିଶୋର କହିଛନ୍ତି। ଆଜି ବୁଗୁଡ଼ା ଥାନା ପୁଲିସ କିଶୋରଙ୍କୁ ବାଲିପଦରର ଏକ ଘରୋଇ ବସ୍‌ରୁ ତାଙ୍କୁ ଉଦ୍ଧାର କରି ଘରକୁ ହସ୍ତାନ୍ତର କରିଛି। କିଶୋର ଫେରିବା ପରେ ବାପା କାହ୍ନଚରଣ ଓ ପରିବାର ଲୋକେ ଆଶ୍ୱସ୍ତ ହୋଇଛନ୍ତି।

ଘରକୁ ଫେରିବା ପରେ ଆଇଟିଆଇ ଛାତ୍ର କିଶୋର କହିଛନ୍ତି, ଭୁବନେଶ୍ୱରର ଏକ ଘରୋଇ ଅନୁଷ୍ଠାନକୁ ସେ କୋର୍ସ କରିବାକୁ ସମୟରେ ସେଠାରେ ଜଣେ ଝିଅ ସହ ତାଙ୍କର ପ୍ରେମ ସଂପର୍କ ଗଢି ଉଠିଥିଲା। ଦିନେ ଭୁବନେଶ୍ୱରର ଏକ ପାର୍କରେ ସେ ପ୍ରେମିକାଙ୍କ ସହ ବସିଥିଲେ। ଏହି ସମୟରେ ପ୍ରେମିକାଙ୍କ ଭାଇ ଉଭୟଙ୍କୁ ସେଠାରେ ଦେଖିବା ସହ ଫଟୋ ଉଠାଇ ଦେଇ ଥିଲା। ଏହା ପରଠୁ ସେ କିଶୋରଙ୍କୁ ସେ ବ୍ଲାକ୍‌ମେଲିଂ କରି ଦୁଇ ଲକ୍ଷ ଟଙ୍କା ଦେବାକୁ କହିଥିଲା। ଫଳରେ କିଶୋର ଭୟରେ ଭୁବନେଶ୍ୱରରୁ ଅଧାରୁ ପାଠ ଛାଡ଼ି ଚାଲି ଆସିଥିଲେ। ତଥାପି ପ୍ରେମିକାର ଭାଇ ତାଙ୍କୁ ବାରମ୍ବାର ଫୋନ୍‌ କରି ହଇରାଣ କରିବା ସହ ଟଙ୍କା ମାଗୁଥିଲା।

ଭୟଭୀତ କିଶୋର ଟଙ୍କା ଯୋଗାଡ଼ ପାଇଁ ବ୍ୟସ୍ତ ହୋଇ ଉଠିବା ସହ ଏବିଷୟରେ ନିଜର ଜଣେ ବନ୍ଧୁକୁ ସବୁ ଜଣାଇଥିଲେ। ବନ୍ଧୁଙ୍କ ଯୋଜନା ଅନୁସାରେ ଉଭୟ ମିଶି ଅପହରଣ ନାଟକ ଯୋଜନା ତିଆରି କରିଥିଲେ। ଗତ ୧୯ ତାରିଖରେ ଉକ୍ତ ବନ୍ଧୁଙ୍କ ବାଇକ୍‌ରେ କିଶୋର ବ୍ରହ୍ମପୁର ଚାଲି ଆସିଥିଲେ। ଆଉ ଖମ୍ବେଶ୍ୱରୀ ନାମକ ଏକ ଲଜିଂରେ ରହିବା ସହ ବନ୍ଧୁଙ୍କ ମାଧ୍ୟମରେ ୨୦ ତାରିଖ ଦିନ ଦୁଇଟି ଭିନ୍ନ ଭିନ୍ନ ମୋବାଇଲ୍‌ ନମ୍ବରରୁ ବାପା କାହ୍ନଚରଣଙ୍କୁ ଧମକଭରା କଲ୍‌ କରି ୩ ଲକ୍ଷ ଟଙ୍କା ଦେବାକୁ ଦାବି କରିଥିଲେ। ଏହା ମଧ୍ୟରେ ପରିବାର ଲୋକେ ବ୍ୟସ୍ତ ହୋଇ ଥାନାରେ ଏତଲା ଦେଇଥିଲେ।

ସମ୍ବନ୍ଧିତ ଖବର