ନରସିଂହପୁର: ନରସିଂହପୁର ବ୍ଲକ୍ର କନିଷ୍ଠ ଯନ୍ତ୍ରୀ ଅଜୟ ସାମଲ (୫୫)ଙ୍କର ମୃତଦେହ ତାଙ୍କ ସରକାରୀ ବାସଭବନରୁ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଛି। ଆଜି ସକାଳେ ବ୍ଲକ କଲୋନିରେ ଥିବା ବାସଭବନରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହକୁ ନରସିଂହପୁର ଥାନା ପୁଲିସ ଉଦ୍ଧାର କରିଛି। ତେବେ ମୃତ ଯନ୍ତ୍ରୀଙ୍କ ପତ୍ନୀ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି। ଅନ୍ୟପଟେ ପୁଲିସ ଜବତ କରିଥିବା ସୁଇସାଇଡାଲ ନୋଟ୍ରେ ଅଫିସ କାମ କରି ପାରୁ ନଥିବାରୁ ଆତ୍ମହତ୍ୟା କରୁଥିବା ଉଲ୍ଲେଖ ରହିଛି। ସୂଚନା ଅନୁଯାୟୀ ଅଜୟ ସରକାରୀ କ୍ବାର୍ଟର୍ସରେ ଏକା ରହୁଥିଲେ। ଆଜି ସକାଳେ ତାଙ୍କ ପତ୍ନୀ ବାରମ୍ବାର ଫୋନ୍ କରିଥିଲେ ବି ସେ ଉଠାଇ ନଥିଲେ। ଫଳରେ ସେହି କ୍ବାର୍ଟର୍ସ ନିକଟରେ ରହୁଥିବା କନିଷ୍ଠ ଯନ୍ତ୍ରୀ ବିନୟ ସାହୁଙ୍କୁ ସେ ଜଣାଇଥିଲେ। ଶ୍ରୀ ସାହୁ ଯାଇ ଦେଖିବା ବେଳକୁ କ୍ବାର୍ଟର୍ସ କବାଟ ଭିତରୁ ବନ୍ଦ ଥିଲା ଏବଂ ଭିତରେ ମୃତଦେହ ଝୁଲନ୍ତା ଅବସ୍ଥାରେ ରହିଥିଲା। କନିଷ୍ଠ ଯନ୍ତ୍ରୀ ବିନୟ ସାହୁଙ୍କ କହିବା ଅନୁଯାୟୀ ସାଗର ପଞ୍ଚାୟତରେ ମନରେଗା କାର୍ଯ୍ୟକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏ ନେଇ ଅଜୟ ମାନସିକ ଚିନ୍ତାରେ ରହୁଥିଲେ। ଅଜୟ ବ୍ଲକର ସାଗର, ଅଲରା, କାଞ୍ଜିଆପଦା ପଞ୍ଚାୟତ ଦାୟିତ୍ୱରେ ଥିଲେ।
ପତ୍ନୀ ଆଣିଲେ ହତ୍ୟା ଅଭିଯୋଗ
ସୁଇସାଇଡାଲ୍ ନୋଟ୍ ଜବତ
‘ମୁଣ୍ଡ ଖରାପ ଥିବାରୁ ଅଫିସ୍ କାମ କରିପାରୁନି’
ଘଟଣା ସଂପର୍କରେ ସୂଚନା ପାଇ ଆଠଗଡ଼ ଏସ୍ଡିପିଓ ରବୀନ୍ଦ୍ର କୁମାର ମଲ୍ଲିକ, ନରସିଂହପୁର ଥାନା ଅଧିକାରୀ ଭବାନୀ ଶଙ୍କର ଖୁଣ୍ଟିଆ, ବିଡିଓ ପ୍ରଳୟାନନ୍ଦ ଶତପଥୀ, ତହସିଲଦାର ବିଶ୍ବ ରଞ୍ଜନ ବିଶ୍ୱାସ, ଅତିରିକ୍ତ ତହସିଲଦାର କୌସ୍ତୁଭ ଷଡ଼ଙ୍ଗୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ତଥା ତହସିଲଦାର ଶ୍ରୀ ବିଶ୍ୱାସଙ୍କ ଉପସ୍ଥିତିରେ ମୃତଦେହକୁ ପୁଲିସ ଜବତ କରି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲା। ଘଟଣାସ୍ଥଳରେ ବିଧାୟକ ବିଜୟ କୁମାର ଦଳବେହେରା ମଧ୍ୟ ପହଞ୍ଚି ଘଟଣାର ଉପଯୁକ୍ତ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି। ମୃତ କନିଷ୍ଠ ଯନ୍ତ୍ରୀଙ୍କର ଘର ବଡ଼ମ୍ବା ବ୍ଲକ ଅନ୍ତର୍ଗତ ବଡବାରସିଂହ ଗ୍ରାମରେ। ତିନି ବର୍ଷ ହେବ ସେ ନରସିଂହପୁର ବ୍ଲକରେ କାର୍ଯ୍ୟରତ ଥିଲେ। ଗତକାଲି ସନ୍ଧ୍ୟାରେ ବ୍ଲକ ସମ୍ମିଳନୀ କକ୍ଷରେ ଭିସି ମିଟିଂରେ ସେ ଉପସ୍ଥିତ ଥିଲେ। କେଉଁ କାରଣରୁ ତାଙ୍କର ମୃତ୍ୟୁ ଘଟିଛି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ ବୋଲି ବିଡିଓ ଶ୍ରୀ ଶତପଥୀ କହିଛନ୍ତି। ତେବେ ସ୍ବାମୀଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ପତ୍ନୀ ସୁଜାତା ସାମଲ। ପୂର୍ବ ସରକାରରେ ବାକିଥିବା ପୁରୁଣା ବିଲ୍କୁ ମଞ୍ଜୁର କରାଇ ଦେବାକୁ ତାଙ୍କ ଉପରେ ଚାପ ପକାଯାଉଥିଲା। ଏନେଇ ଗତକାଲି ରାତିରେ ଅଜୟ ଝିଅ ଓ ତାଙ୍କ ସହ ଆଲୋଚନା କରିଥିଲେ ବୋଲି ମଧ୍ୟ ସୁଜାତା କହିଛନ୍ତି। ପୁଲିସ ଘର ଭିତରୁ ଏକ ସୁଇସାଇଡାଲ୍ ନୋଟ୍ ଜବତ କରିଛି। ସେଥିରେ ଲେଖା ଅଛି ଯେ, ‘ମୋର ମୁଣ୍ଡ ଖରାପ ଥିବାରୁ ମୁଁ ଅଫିସ କାର୍ଯ୍ୟ କରିପାରୁ ନାହିଁ। ଏଣୁ ମୁଁ ସୁଇସାଇଡ୍ କରୁଛି। କୌଣସି ଘରୋଇ କିମ୍ବା ଅଫିସିଆଲ୍ ସମସ୍ୟା ନାହିଁ।’