କଟକ ମେୟରଙ୍କୁ ଯନ୍ତ୍ରୀଙ୍କ ଜବାବ୍: ‘କିଏ କରିଛି, ଆମେ ଜାଣିନୁ’

ଗୋଟିଏ ରାତିରେ ମଧୁପାଟଣା-ବାଦାମବାଡ଼ି ମୁଖ୍ୟ ରାସ୍ତାରୁ ଉଠିଗଲା ଗୋଡ଼ି

କଟକ : ବୁଧବାର ରାତିରେ ମଧୁପାଟଣା-ବାଦାମବାଡି ଲିଙ୍କରୋଡ୍‌ କାମ ହେଲା। ଗୁରୁବାର ସକାଳକୁ କିନ୍ତୁ ରାସ୍ତାରେ ପିଚୁ ନାହିଁ, ମୁଖ୍ୟ ରାସ୍ତା ସାରା ଗୋଡ଼ି। କିନ୍ତୁ ଏଭଳି ଅତ୍ୟନ୍ତ ନିମ୍ନମାନର ରାସ୍ତା କିଏ ତିଆରି କରିଛି, ତାହା ନିଜେ କର୍ତ୍ତୃପକ୍ଷ ବି କହି ପାରୁନାହାନ୍ତି। ମେୟର ସୁବାସ ସିଂହଙ୍କ ଅଧ୍ୟକ୍ଷତାରେ ସିଏମ୍‌ସିରେ ବସିଥିବା ବୈଠକରେ କୌଣସି ବିଭାଗର ଅଧିକାରୀ ଏହି କାମର ଉତ୍ତରଦାୟିତ୍ବ ନ ନେବା ଘଟଣା ଅଭାବନୀୟ ସ୍ଥିତି ସୃଷ୍ଟି କରିଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, କିଏ କରିଛି ଆମେ ଜାଣୁନି ବୋଲି ଯନ୍ତ୍ରୀମାନେ ମେୟର୍‌ଙ୍କୁ ସଫାସଫା ଜବାବ ଦେଇଛନ୍ତି।

ଏଭଳି ରାସ୍ତାକାମକୁ ନେଇ ବିଭିନ୍ନ ମହଲରୁ ଅଭିଯୋଗ ଆସିବାପରେ ଆଜି ଅନୁଷ୍ଠିତ ବୈଠକରେ ମେୟର ଶ୍ରୀ ସିଂହ ଏହାକୁ ନେଇ ପ୍ରଶ୍ନ କରିଥିଲେ। ବୈଠକରେ ଉପସ୍ଥିତ ଥିବା ପୂର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀ ଓ ଜାଇକା ଯନ୍ତ୍ରୀ କିନ୍ତୁ ସେମାନେ ରାସ୍ତା କରିନାହାନ୍ତି ବୋଲି କହିଥିଲେ। ପୂର୍ତ୍ତ ବିଭାଗ ନିର୍ବାହିଯନ୍ତ୍ରୀ ଅନୁପ ବେହେରା ଏ ସଂପର୍କରେ ଜାଣି ନଥିବା କହିଥିବା ବେଳେ ଜାଇକା ଯନ୍ତ୍ରୀ ମଧ୍ୟ ସମାନ କଥା କହିଥିଲେ। ତେବେ, ଶ୍ରୀ ସିଂହ ତୁରନ୍ତ ରାସ୍ତାରେ ପଡ଼ିଥିବା ବଜୁରୀକୁ ଉଠାଇବା ସହିତ ଭଲଭାବେ ଏହାର ମରାମତି କରିବାକୁ ତାଗିଦ୍‌ କରିଥିଲେ। ଅବଶ୍ୟ ପରେ ଖୋଳତାଡ଼ରୁ ଏ କାମ ଜାଇକା କରିଥିବା କଥା ଜଣାପଡ଼ିଥଲା।

ଏ ସଂପର୍କରେ ପୂର୍ତ୍ତ ବିଭାଗ ବା ଆରଆଣ୍ଡବି ଡିଭିଜନ୍ ୧ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅନୁପ ବେହେରା କହିଛନ୍ତି ଯେ ଏଭଳି କାମ ତାଙ୍କ ବିଭାଗ କରିନାହିଁ। ଜାଇକା ଯେଉଁ ସ୍ଥାନରେ ମେନ୍ ହୋଲ ବା ସ୍ବରେଜ କାମ କରିଥିଲା, ସେ ସବୁ ସ୍ଥାନରେ ରାସ୍ତ‌ା ମରାମତି କରିବାକୁ ଯାଇ ଏଭଳି କରିଛି। ଏ ନେଇ ସେ ଜାଇକା ଯନ୍ତ୍ରୀଙ୍କ ସହିତ କଥା ହୋଇଛନ୍ତି। ମାତ୍ର, ଜାଇକା କର୍ତ୍ତୃପକ୍ଷ ଏ ସଂପର୍କରେ ଅବଗତ ନାହାନ୍ତି। ଠିକା କାମ କରୁଥିବା ଏଜେନ୍ସି କାହାକୁ ନ ପଚାରି ଏଭଳି କାମ କରିଥିବା କଥା ଜାଇକାର ଯନ୍ତ୍ରୀ ତାଙ୍କୁ କହିଛନ୍ତି ବୋଲି ଶ୍ରୀ ବେହେରା ସୂଚନା ଦେଇଛନ୍ତି। ‌କିନ୍ତୁ, ଆର୍‌ଆଣ୍ଡବି ରାସ୍ତାରେ ଖୋଳାପୋତା ଚାଲିଥିବାବେଳେ ବିଭାଗୀୟ ଅଧିକାରୀ ଏ ସଂପର୍କରେ ନ ଜାଣିବା, ଜାଇକାର ଠିକା ସଂସ୍ଥା ମନଇଚ୍ଛା କାମ କରିବା ଘଟଣା ସହରରେ ବ୍ୟବସ୍ଥାର ଦୁର୍ବଳତା ଧରାପଡ଼ିଯାଇଛି।

ସମ୍ବନ୍ଧିତ ଖବର