ଭିଜିଲାନ୍ସ ଜାଲରେ ଯନ୍ତ୍ରୀ, ସିପାହୀ, ଫରେଷ୍ଟର୍‌

ସିପାହୀଙ୍କର କୋଟିଏ ୨୯ ଲକ୍ଷର ସଂପତ୍ତି ଠାବ
୧୦ ହଜାର ଲାଞ୍ଚ ନେଇ ସହକାରୀ ନିର୍ବାହୀଯନ୍ତ୍ରୀ ଗିରଫ
ଫରେଷ୍ଟରଙ୍କ ଘରୁ ମିଳିଲା ୯୦.୨୫ଲକ୍ଷ ଟଙ୍କାର ସମ୍ପତ୍ତି
ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ସଂପତ୍ତି କୋଟିଏ ୧୨ ଲକ୍ଷ

କଟକ/ଖୋର୍ଦ୍ଧା/ପାରଳାଖେମୁଣ୍ଡି : ଭିଜିଲାନ୍ସ ପକ୍ଷରୁ ଆଜି ଗୋଟିଏ ଦିନରେ ୪ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଘରେ ଚଢଉ କରାଯାଇ ବିପୁଳ ପରିମାଣର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରାଯାଇଛି। କେତେକ ମାମଲାରେ ଏବେ ବି ଛାନଭିନ୍ ଜାରି ରହିଛି। ଅନ୍ୟ ଏକ ମାମଲାରେ ଲାଞ୍ଚ ନେଉଥିବା ଜଣେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଗିରଫ କରାଯାଇଛି।

ଆୟ ବହିଃଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକସ୍ଥିତ ଓଏସ୍‌ଏପି ଷ‌ଷ୍ଠ ବାଟାଲିୟନର ସିପାହୀ ସହଦେବ ପରିଡାଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଇଥିଲା। ୫ଟି ସ୍ଥାନରେ ଚଢଉ କରାଯାଇ ତାଙ୍କ ପାଖରୁ ମୋଟ ୧ କୋଟି ୨୯ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରାଯାଇଛି। ଭିଜିଲାନ୍ସର ୫ଟି ଟିମ୍ ସିପାହୀ ଶ୍ରୀ ପରିଡାଙ୍କ ଓଏସ୍‌ଏପି ଷଷ୍ଠ ବାଟାଲିୟନ ପରିସରରେ ଥିବା ସରକାରୀ କ୍ବାର୍ଟର, କଟକ ନୂଆବଜାର, ତିନିଘରିଆରେ ଥିବା ତିନି ମହଲା କୋଠା, ଗଣ୍ଡରପୁରରେ ଥିବା ଆଜବେଷ୍ଟସ ଘର, ପୁରୀ, ତଳଜଙ୍ଗ, ଚନ୍ଦନପୁର ଥିବା ଘର, ମାଳତୀପାଟପୁରରେ ଥିବା ସଂପର୍କୀୟଙ୍କ ଘରେ ଏକକାଳୀନ ଚଡଉ କରାଯାଇଥିଲା। ଭିଜିଲାନ୍ସ ସ୍ପେଶାଲ ଜଜ୍‌ଙ୍କ ସର୍ଚ୍ଚ ଓ୍ପାରେଣ୍ଟ୍ ବଳରେ ଏହି ଚଢଉ କରାଯାଇଥିଲା। ଚଢଉ ବେଳେ ତିନିଘରିଆର ତିନି ମହଲା କୋଠା, ଚନ୍ଦନପୁର ତଳଜଂଗ‌ରେ ଥିବା ଏକ ମହଲା କୋଠା, ଗଣ୍ଡରପୁରରେ ଥିବା ଆଜବେଷ୍ଟସ୍‌ ଘର ସହିତ ତାଙ୍କ ନାମରେ ମୋଟ ୫ଟି ପ୍ଲଟ ରହିଥିବା ଜଣାପଡ଼ିଥିଲା। ମାଳତୀପାଟପୁରରେ ୨ଟି ପ୍ଲଟ୍, କଟକ ଗଣ୍ଡରପୁର, କଣ୍ଟିଲୋ(ନୂଆବଜାର), ଗୋପାଳପୁରରେ ତିନୋଟି ପ୍ଲଟ୍ ରହିଥିବା ଜଣାପଡ଼ିଥିଲା। ସିପାହୀଙ୍କ ଘରୁ ୪ଟି ଦୁଇ ଚକିଆ ଗାଡି, ୯.୫୪ଲକ୍ଷ ଟଙ୍କାର ବ୍ୟାଙ୍କ୍ ଜମା, ୫,୧୭ଲକ୍ଷ ଟଙ୍କାର ସୁନା, ରୁପା ଅଳଙ୍କାର, ୨ଲକ୍ଷ ୯୪ ହଜାର ୬୦୦ ଟଙ୍କାର ନଗଦ ଟଙ୍କା ଜବତ କରାଯାଇଛି। ୫ଟି ଟିମ୍‌ରେ ତିନି ଜଣ ଡିଏସପି, ୯ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ଚଢଉ ଜାରି ରଖିଛନ୍ତି।

ସେହିଭଳି ଖୋର୍ଦ୍ଧାର ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ କାମଦେବ ବିଶ୍ବାଳ ଜଣେ ଠିକାଦାରଙ୍କ ବିଲ୍ କରାଇ ଦେବାକୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ। ଭିଜିଲାନ୍ସ ଲାଞ୍ଚ ଟଙ୍କା ଜବତ କରିବା ସହିତ ତାଙ୍କୁ ଗିରଫ କରିଛି। ଭୁବନେଶ୍ବର ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।

ସେହିଭଳି ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଗଜପତି ଜିଲ୍ଲା ଅନ୍ତର୍ଗତ ଆର. ଉଦୟଗିରି, ନୂଆଗଡ ଫରେଷ୍ଟର ଗଣେଶ କୁମାର ପ୍ରଧାନଙ୍କ ଘରେ ଚଢଉ କରିଥିଲା। ଭିଜିଲାନ୍ସ ୫ଟି ସ୍ଥାନରେ ଚଢଉ କରିଥିଲା। ଚଢଉ ବେଳେ ଆନ୍ଧ୍ରପ୍ରଦେଶ ସିକାକୁଲମରେ ଦୁଇ ମହଲା କୋଠା, ଗଜପତି, ଗରାବନ୍ଧର ହରିଶ୍ଚନ୍ଦ୍ରପୁରରେ ୧୦ଟି ପ୍ଲଟ, ବ୍ରହ୍ମପୁର ମାଣ୍ଡିଆପଲ୍ଲୀରେ ପ୍ଲଟ୍, ସିକାକୁଲମରେ ଦୁଇଟି ପ୍ଲଟ୍ ଓ ଗଜପତିରେ ଆଉ ୭ଟି ପ୍ଳଟ୍ ଥିବା ଠାବ କରାଯାଇଛି। ତାଙ୍କ ପାଖରୁ ୯.୧୭ଲକ୍ଷ ଟଙ୍କାର ବ୍ୟାଙ୍କ୍ ଜମା, ୪.୫୦ଲକ୍ଷ ଟଙ୍କାର ସୁନା, ରୁପା ଅଳଙ୍କାର ସମେତ ମୋଟ ୯୦.୨୫ଲକ୍ଷ ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି। ଏହି ଚଢଉ ଜାରି ରହିଛି।

ଅନ୍ୟ ଏକ ଘଟଣାରେ ଭିଜିଲାନସ ସମ୍ବଲପୁର ଜିଲ୍ଲା, ଯୁଜୁମରା ବ୍ଲକ, ଝଙ୍କରପାଲି ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଚ୍ୟୁତାନନ୍ଦ ଖୁଣ୍ଟିଆଙ୍କ ଘରେ ଚଢଉ କରିଛି। ଭିଜିଲାନ୍ସର ୪ଟି ଟିମ ୪ଟି ସ୍ଥାନରେ ଚଢଉ କରି ମୋଟ ୧କୋଟି ୧୨ଲକ୍ଷ ଟଙ୍କାର ସ୍ଥାବର-ଅସ୍ଥାବର ସମ୍ପତ୍ତି ଠାବ କରିଛି।

ସମ୍ବନ୍ଧିତ ଖବର