ବଲାଙ୍ଗୀର: କୌଣସି ବଡ଼ କ୍ରିକେଟ୍‌ ପ୍ରତିଯୋଗିତା ଆରମ୍ଭ ହେଲେ ବଲାଙ୍ଗୀର ଜିଲ୍ଲାରେ ଅନ୍‌ଲାଇନ୍ ଜୁଆ (ବେଟିଂ) ସ୍ବତଃପ୍ରବୃତ୍ତ ଭାବେ ଆରମ୍ଭ ‌ହୁଏ। ଆଇପିଏଲ୍‌ ହେଉ ବା ବିଶ୍ବକପ୍; ବେଟିଂ କାରବାର ଜୋର୍‌ସୋର୍‌ ଚାଲେ। ଏବେ ଚାମ୍ପିଅନ୍‌ସ ଟ୍ରଫି ଆରମ୍ଭ ହେବା ପରେ ବେଟିଂ ମଇଦାନରେ ପ୍ରଚୁର ଟଙ୍କା ବାଜି ଲାଗିଛି। ଜିଲ୍ଲାର ପୁରୁଖା ବୁକିମାନେ ଏହାକୁ ପରିଚାଳନା କରୁଛନ୍ତି। ପ୍ରତି ମ୍ୟାଚ୍‌ରେ ପ୍ରାୟ କୋଟିଏ ଟଙ୍କା ଯାଏଁ ବାଜି ଲାଗୁଥିବା ଭିତିରି ମହଲରେ ଚର୍ଚ୍ଚା। ଶହେ ଟଙ୍କା ବେଟିଂ କଲେ ଦୁଇରୁ ୩ ଗୁଣା ଟଙ୍କା ଦିଆଯାଉଛି। ଛତିଶଗଡ଼, ମୁମ୍ୱାଇ ଏବଂ ଚେନ୍ନାଇସ୍ଥିତ ମାଫିଆମାନଙ୍କ ସହ ସିଧାସଳଖ ଯୋଗାଯୋଗ କରି ସ୍ଥାନୀୟ ଏଜେଣ୍ଟମାନେ ଗୋପନରେ ଏହି କାରବାର ଚଳାଉଛନ୍ତି। ଲାଭ ହେଉଥିବା ଟଙ୍କାର ସିଂହଭାଗ ଏଜେଣ୍ଟମାନେ ରଖି ବଳକା ଟଙ୍କା ବେଟିଂ ଲଗାଇଥିବା ଲୋକଙ୍କୁ ଦେଉଛନ୍ତି। ପଡ଼ୋଶୀ ରାଜ୍ୟର କିଛି ବ୍ୟକ୍ତି ବେଟିଂ ପାଇଁ ଏଜେଣ୍ଟ ସାଜିଛନ୍ତି।

Advertisment

ଅନ୍‌ଲାଇନ୍‌ ଜୁଆରେ ଉଡ଼ୁଛି ଟଙ୍କା; ବାଜି ଲାଗିଛି କୋଟି କୋଟି
ଛତିଶଗଡ଼, ମୁମ୍ୱାଇ, ଚେନ୍ନାଇ ଭାୟା ବଲାଙ୍ଗୀରକୁ ଲମ୍ବିଛି ରୢାକେଟ୍‌

 ମୋଟା ଅଙ୍କର ବେଟିଂକୁ ବାଦ୍‍ ଦେଲେ ସହରର ବିଭିନ୍ନ ସ୍ଥାନରେ ଆଇପିଏଲ୍‌ ମ୍ୟାଚ୍‍କୁ ନେଇ ଛୋଟମୋଟ ସଟ୍ଟାବାଜି ଚାଲୁଛି। ଗତ ମାସରେ କଣ୍ଟାବାଞ୍ଜିରେ କ୍ରିକେଟ୍‌ ବେଟିଂ ଚଳାଉଥିବା ଏକ ଗ୍ୟାଙ୍ଗ୍‌କୁ ପୁଲିସ ଧରିଥିଲା। ଏକ ଭଡ଼ାଘରୁ ୫ ଜଣ ଧରାପଡ଼ିଥିବାବେଳେ ସେମାନଙ୍କଠାରୁ ୩ଟି ଲାପ୍‌ଟପ୍‌ ଓ ୨୦ଟି ମୋବାଇଲ ଜବତ ହୋଇଥିଲା। ରୢାକେଟ୍‌ରେ ଧରାପଡ଼ିଥିବା ୩ଜଣ ବିହାରର ଓ ୨ଜଣ ସ୍ଥାନୀୟ ଅଞ୍ଚଳର ଥିଲେ। ସ୍ଥାନୀୟ ଅଞ୍ଚଳର ପୁରୁଣା କିଙ୍ଗ୍‌ପିନ୍ ଏସବୁ କାରବାର ନିୟନ୍ତ୍ରଣ କରୁଥିଲେ। ଏହି ଘଟଣାରୁ ବେଟିଂ ସାମ୍ରାଜ୍ୟକୁ ସ୍ଥାନୀୟ ଓ ପଡ଼ୋଶୀ ରାଜ୍ୟର ବୁକି ନିୟନ୍ତ୍ରଣ କରୁଥିବା ସ୍ପଷ୍ଟ। ଏଭଳି ରୢାକେଟ୍‌ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଲୁଥିଲେ ହେଁ ପୁଲିସ ଚଢ଼ଉ ଆଖିଦୃଶିଆ ହେଉନାହିଁ। ଅନ୍ୟପକ୍ଷରେ ଚଳିତ ଚାମ୍ପିଅନ୍‌ସ ଟ୍ରଫିରେ ଇଂଲଣ୍ଡ ଫେଭରିଟ୍‌ ଥିବାବେଳେ ଭାରତ ଦ୍ବିତୀୟ ସ୍ଥାନରେ ରହିଛି। ଭାରତ-ପାକିସ୍ତାନ ମ୍ୟାଚ୍‌ରେ କୋଟି କୋଟି ଟଙ୍କା ବେଟିଂ ଲାଗିବ ବୋଲି ଏକ ସୂତ୍ରରୁ ଜଣାଯାଇଛି।