ଇଂରାଜୀ ପୁସ୍ତକ ‘ଦି ଟାଇନି ଆଷ୍ଟ୍ରୋନଟ’ ପ୍ରକାଶିତ

କିଶୋର କବି ଅମ୍ଳାନ ଅକ୍ଷୟାନ୍ସୁ ସାହୁଙ୍କ କମାଲ

ଭବାନୀପାଟଣା : କିଶୋର କବି ଅମ୍ଳାନ ଅକ୍ଷୟାନ୍ସୁ ସାହୁଙ୍କର ପ୍ରଥମ ଇଂରାଜୀ କବିତା ସଂକଳନ “ଦି ଟାଇନି ଆଷ୍ଟ୍ରୋନଟ/କ୍ଷୁଦ୍ର ମହାକାଶଚାରୀ” ଯୁକ୍ତରାଷ୍ଟ୍ର ଆମେରିକାର ଡବଲୀନ ସ୍ଥିତ ବ୍ଲାକ ଇଗଲ ବୁକ୍ସ ନାମକ ଏକ ଆନ୍ତର୍ଜାତିକ ପ୍ରକାଶନ ସଂସ୍ଥା ଦ୍ୱାରା ଗତ ତା ୪.୦୮.୨୦ ରିଖରେ ପ୍ରକାଶିତ ହୋଇଯାଇଛି । ଅନଲାଇନ ଆମାଜନ ଦ୍ୱାରା ପୃଥିବୀର ଯେ କୌଣସି ସ୍ଥାନରୁ ଇଂରାଜୀ କବିତାରେ ରୁଚି ରଖୁଥିବା ପାଠକ ପାଠିକା ମାନଙ୍କ ପାଇଁ ଉପଲବ୍ଧ ଏହି କବିତା ପୁସ୍ତକଟିରେ ଅମ୍ଳାନଙ୍କ ୫୧ଟି କବିତା ସଙ୍କଳିତ ହୋଇଛି । ଶବ୍ଦ, ଭାବ ଓ ଗାମ୍ଭିର୍ଯ୍ୟର ପରିପାଟିରେ ସମୃଦ୍ଧ ପ୍ରତ୍ୟେକଟି କବିତା ଆମେ ଜିଉଁଥିବା ଜୀବନ ପ୍ରତି ଏକ କୈଶୋର ଦୃଷ୍ଟିଭଙ୍ଗୀର କାବ୍ୟିକ ପରିପ୍ରକାଶ । ଜୀବନ ଦର୍ଶନର ବିଭିନ୍ନ ଦିଗକୁ ଉନ୍ମୋଚିତ କରୁଥିବା ଏହି ଇଂରାଜୀ କବିତା ଗୁଡିକ ଉଭୟ ବାସ୍ତବ ଓ କଳ୍ପନାର ତାରକସି ମିଶ୍ରଣ । ପୁସ୍ତକରେ ସନ୍ନିହିତ ୫୧ଟି କବିତା ମଧ୍ୟରୁ ପ୍ରତ୍ୟେକ କବିତା ଜୀବନ ସହିତ ଜଡିତ ବିଭିନ୍ନ ଘଟଣା ପ୍ରବାହର ଜୀବନ୍ତ କାବ୍ୟିକ ଅନୁଶୀଳନ । ସଂକଳନସ୍ଥ ‘କ୍ରିବ୍ ଡ୍’ କବିତାରେ ବାସ୍ତବ ଜୀବନର ଅପୂର୍ଣ୍ଣତାର ସୌନ୍ଦର୍ଯ୍ୟ, ‘ ହିଅର ଲାଏଜ୍ ଏ ହ୍ୟୁମାନ୍’ କବିତାରେ ଅବଶ୍ୟମ୍ଭାବି ମୃତ୍ୟୁର ଚିରନ୍ତନ ସତ୍ୟତା, ‘ଏମ୍ପଟି ଷ୍ଟାର୍ ସ୍’ ରେ ଭ୍ରୁଣହତ୍ୟା ସମ୍ପର୍କିତ ବର୍ଣ୍ଣନା, ‘ଉଇଣ୍ଡୋ’ କବିତାରେ ଝରକାର ରୂପକଳ୍ପ ମାଧ୍ୟମରେ ଜୀବନ ବୋଧର ସୂକ୍ଷ୍ମ ବିଶ୍ଳେଷଣ ଅମ୍ଳାନ ଅକ୍ଷୟାନ୍ସୁଙ୍କର କବିସୁଲଭ ଦୃଷ୍ଟିଭଙ୍ଗୀ ଓ ସୃଜନଶୀଳତାର ଭାବସ୍ନାତ ପ୍ରମାଣ ।

ଜୀବନର ଶବ୍ଦଛବି କବିତା ପୁସ୍ତକ ‘ଦ ଟାଇନି ଆଷ୍ଟ୍ରୋନଟ’ ବିଶ୍ଵବ୍ୟାପୀ ଇଂରାଜୀ କବିତା ପ୍ରେମୀ ପାଠକଙ୍କ ନିକଟରେ ବେଶ୍ ଆଦୃତ ହେବା ସହ ବିପୁଳ ପାଠକୀୟ ଶ୍ରଦ୍ଧା ଲାଭ କରିବା ବୋଲି ଆଶା କରାଯାଉଛି ।

ସମ୍ବନ୍ଧିତ ଖବର