ପରୀକ୍ଷା ସମୟରେ କପି: ଏହି ୩ଟି ହାଇସ୍କୁଲ ସେଣ୍ଟରରେ ଇଂରାଜୀ ପରୀକ୍ଷା ବାତିଲ ନିଷ୍ପତ୍ତି

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡର ଦଶମ ଶ୍ରେଣୀର କିଛି ଛାତ୍ରଛାତ୍ରୀମାନେ ସୋମବାର କପି କରିଥିବାରୁ ରାଜ୍ୟର ୩ଟି ହାଇସ୍କୁଲ ସେଣ୍ଟରରେ ଇଂରାଜୀ ପରୀକ୍ଷା ବାତିଲ ହୋଇଥିବା ନିଷ୍ପତ୍ତି ହୋଇଛି। ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ଜାହାନ ଆରା ବେଗମ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି।

ବୋର୍ଡ ସଭାପତି କହିଛନ୍ତି, ବଲାଙ୍ଗୀର ଜିଲ୍ଲାର ଘୁନୁସର ସରକାରୀ ହାଇସ୍କୁଲ, ଢେଙ୍କାନାଳ ଜିଲ୍ଲାର ପଳାସପିଠାର ପି.ଆର. ହାଇସ୍କୁଲ ଓ କଟକ ଜିଲ୍ଲାର ଗୋପୀନାଥପୁରସ୍ଥିତ କୃପାସିନ୍ଧୁ ନୋଡାଲ ହାଇସ୍କୁଲର ଇଂରାଜୀ ପରୀକ୍ଷା ବାତିଲ କରି ଦିଆଯାଇଛି। ଏହି ସ୍କୁଲ ଗୁଡ଼ିକରେ ଆଗାମୀ ଦିନରେ ହେବାକୁ ଥିବା ପାଇଁ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯିବ। ପୁଲିସ ସୁରକ୍ଷା ଯୋଗାଇ ଦେବା ପାଇଁ ଏସ୍‌ପିଙ୍କ ସହିତ ଆଲୋଚନା କରାଯିବ। ବାତିଲ ହୋଇଥିବା ୩ଟି ହାଇସ୍କୁଲର ଇଂରାଜୀ ପରୀକ୍ଷା କେବେ ହେବେ ସେନେଇ ବୋର୍ଡ କମିଟି ବୈଠକରେ ଆଗାମୀ ୭ ଦିନ ଭିତରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଆରମ୍ଭରୁ ବିଭ୍ରାଟ ଦେଖାଯାଇଛି। ପ୍ରଥମ ଦିନ ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ ହେବା ଘଟଣାରେ ୧୨ ଜଣ କର୍ମଚାରୀ ନିଲମ୍ବିତ ହୋଇଥିବା ବେଳେ ୫ ଜଣ ଗିରଫ ହୋଇଛନ୍ତି।

ସମ୍ବନ୍ଧିତ ଖବର