ବହି ତାଲିକା ପ୍ରକାଶ କରୁନାହାନ୍ତି ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ସମସ୍ୟାରେ ଅଭିଭାବକ ଓ ଛାତ୍ରଛାତ୍ରୀ

ପୁରୀ : ରାଜ୍ୟ ମାନବିକ ଅଧିକାର କମିସନଙ୍କ ଆଦେଶ ମୁତାବକ ରାଜ୍ୟ ସରକାର ଏନ୍‌ସିଇଆର୍‌ଟି ଓ ସିବିଏସ୍‌ଇ ପାଠ୍ୟପୁସ୍ତକ ତାଲିକାକୁ ସାର୍ବଜନୀନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଗତ ମଇ ମାସ ୧୦ ତାରିଖ ଦିନ ସମସ୍ତ ଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କୁ କମିସନଙ୍କ ଆଦେଶ ମୁତାବକ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ରାଜ୍ୟ ସରକାର ଉକ୍ତ ନିର୍ଦ୍ଦେଶକୁ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ମଧ୍ୟ ଜଣାଇ ଦେଇଥିଲେ। ଉକ୍ତ ନିର୍ଦ୍ଦେଶ ମୁତାବକ ପୁରୀ ଜିଲ୍ଲା ଶିକ୍ଷାଧିକାରୀ ଗତ ୪ ତାରିଖ ଦିନ ଚିଠିରେ ଜିଲ୍ଲାର ସମସ୍ତ ବ୍ଲକ ଶିକ୍ଷାଧିକାରୀ ଓ ଜିଲ୍ଲାର ସମସ୍ତ ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡ଼ିକୁ ଓଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ ପାଳନ କରିବାକୁ ଜଣାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କୌଣସି ଇଂରାଜୀ ମାଧ୍ୟମ ସ୍କୁଲ ଉକ୍ତ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରୁନାହାନ୍ତି। ଏହା ଫଳରେ ଅଭିଭାବକମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହା ଦ୍ବାରା ସେମାନଙ୍କର ମାନବିକ ଅଧିକାର ମଧ୍ୟ କ୍ଷୁର୍ଣ୍ଣ ହେଉଛି ବୋଲି ବରିଷ୍ଠ ଆଇନଜୀବୀ ମନୋଜ କୁମାର ଦାସ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ଓଏଚ୍‌ଆର୍‌ସିଙ୍କ ଗତ ଅପ୍ରେଲ ମାସ ୨୦ ତାରିଖ ଆଦେଶ ମୁତାବକ ପ୍ରତ୍ୟେକ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସେମାନଙ୍କ ୱେବ୍‌ସାଇଟ୍‌ରେ ଏନ୍‌ସିଇଆର୍‌ଟି ସିଲାବସ୍‌ ମୁତାବକ ପ୍ରତ୍ୟେକ‌ ଶ୍ରେଣୀର ବହି ତାଲିକା ପ୍ରକାଶ କରିବାକୁ ଆଦେଶ ପ୍ରଦାନ କରିଥିଲେ। ଆହୁରି ମଧ୍ୟ ଅଭିଭାବକମାନଙ୍କୁ ହ୍ବାଟ୍‌ସଆପ୍‌ ମାଧ୍ୟମରେ ବହି ତାଲିକା ଜଣାଇବାକୁ ଆଦେଶ ପ୍ରଦାନ କରିଥିଲେ। କିନ୍ତୁ ଇତି ମଧ୍ୟରେ ପୁରୀ ଜିଲ୍ଲାର ଅଧିକାଂଶ ଇଂରାଜୀ ମାଧ୍ୟମ ସ୍କୁଲ କେନ୍ଦ୍ର ସରକାରଙ୍କର ନିର୍ଦ୍ଦେଶକୁ ଅମାନ୍ୟ କରି ଏନ୍‌ସିଇଆରଟି ବହି ବଦଳରେ ଘରୋଇ ପ୍ରକାଶକମାନଙ୍କ ବହିଗୁଡ଼ିକ ଚଢ଼ା ଦରରେ ପ୍ରତ୍ୟେକ ଅଭିଭାବକମାନଙ୍କୁ ବିକ୍ରି କରି ଚାଲିଛନ୍ତି। ଏହି ବେଆଇନ କାର୍ଯ୍ୟକୁ ବିରୋଧ କରି ଆଇନଜୀବୀ ଦାସ ପୁରୀ ଓଏଏମ୍‌ ଜିଲ୍ଲା ୟୁନିଟ୍ ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀ ଏବଂ ଜିଲ୍ଲାପାଳଙ୍କୁ ମଇ ୧୮ ତାରିଖ ଚିଠିରେ ଜଣାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଇଂରାଜୀ ମାଧ୍ୟମ ବିଦ୍ୟାଳୟମାନଙ୍କର ଏହି ବେଆଇନ କାର୍ଯ୍ୟ ଦ୍ବାରା ଅଗଣିତ ଅଭିଭାବକ ଓ ପିଲାଙ୍କ ଶିକ୍ଷାଦାନରେ ଘୋର ସମସ୍ୟା ଦେଖାଦେଇଛି। ପିଲାଙ୍କ ଉପରେ ଅଯଥା ପାଠ୍ୟପୁସ୍ତକର ବୋଝକୁ ଲଦି ଦିଆଯାଉଛି। ଏ ଦିଗରେ ସରକାର ତୁରନ୍ତ ଦୃଷ୍ଟି ଦେବାକୁ ଶ୍ରୀ ଦାସ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର