କେନ୍ଦୁଝର/ପର୍ଜଙ୍ଗ: ଘଟଗାଁ ମା’ ତାରିଣୀ ଦର୍ଶନ କରିବାକୁ ସାଙ୍ଗ ସହିତ ବାଇକ୍‌ରେ ଯାଉଥିବା ବେଳେ କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ଜୁଡ଼ିଆଘାଟିରେ ଆଜି ସକାଳେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍‌ କୁସୁମି ଗ୍ରାମର ଓମପ୍ରକାଶ ନାୟକ (୨୧)।

Advertisment

ସୂଚନା ଅନୁସାରେ ଓମପ୍ରକାଣ ସରାଙ୍ଗ ଆଇଜିଆଇଟିରେ ମେକାନିକାଲ ଡିପ୍ଲୋମାର ଦ୍ୱିତୀୟ ବର୍ଷ ଛାତ୍ର ଥିଲେ। ସେ ବାପାମା’ଙ୍କ ଏକମାତ୍ର ପୁଅ। ଆଜି ୬ଜଣ ସାଙ୍ଗ ଶକ୍ତିରଞ୍ଜନ ସାହୁ (୨୨), ରିତେଶ ସାହୁ (୧୭), ଶୁଭ୍ରଜ୍ୟୋତି ସାହୁ (୧୮), ଚନ୍ଦ୍ରମଣି ମୁର୍ମୁ (୨୩), ପିଣ୍ଟୁ ନାୟକ (୨୨) ଏବଂ ଅମ୍ବୁଜ ଚରଣ ବିଶ୍ୱାଳ ତିନିଟି ବାଇକ୍‌ରେ ଘଟଗାଁ ମା’ ତାରିଣୀଙ୍କ ଦର୍ଶନ ପାଇଁ ଆସୁଥିଲେ। ସକାଳ ୭ଟାବେଳେ ଘନ କୁହୁଡ଼ି ଯୋଗୁଁ ରାସ୍ତା ଠିକ୍‌ରେ ଦେଖାଯାଉ ନଥିଲା। ଏକ ଟ୍ରକ୍‌ ହଠାତ୍‌ ସମ୍ମୁଖକୁ ଚାଲି ଆସିବାରୁ ବାଇକ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ପଥରରେ ଧକ୍କା ହୋଇଥିଲା। ଫଳରେ ଓମପ୍ରକାଶ ଓ ତାଙ୍କ ସାଙ୍ଗ ଅମ୍ବୁଜ ବାଇକ୍‌ରୁ ଛିଟିକି ପଡ଼ିଥିଲେ। ପଛରେ ଆସୁଥିବା ଅନ୍ୟ ସାଙ୍ଗମାନେ ସେମାନଙ୍କୁ ଉଦ୍ଧାର କରି ଏକ କାର୍‌ରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଓମପ୍ରକାଶଙ୍କ ମୃତ୍ୟୁ ଘଟିଛି। ବାଇକ୍‌ ଚଳାଉଥିବା ଅମ୍ବୁଜ ହେଲ୍‌ମେଟ୍‌ ପିନ୍ଧି ଥିବାରୁ ସାମାନ୍ୟ ଆହତ ହୋଇଛନ୍ତି। ଟାଉନ ଥାନା ପୁଲିସ ଦୁର୍ଘଟଣାଗ୍ରସ୍ତ ବାଇକ୍‌ (ଓଡି-୦୬-ଜେ-୫୯୧୬) ଜବତ କରିବା ସହ କେସ୍‌ ନମ୍ବର ୧୩୬/୨୦୨୪ରେ ଏକ ମା‌ମଲା ରୁଜୁ କରିଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ଏକ ମାତ୍ର ଓମ୍‌ ପ୍ରକାଶଙ୍କ ମୃତ୍ୟୁ ଖବର ପାଇ କୁମୁସୀ ଗାଁରେ ଶୋକାକୁଳ ପରିବେଶ ଦେଖାଯାଇଛି। ପୁଅ ଓମ୍‌ ପ୍ରକାଶଙ୍କୁ ଇଂଜିନିୟର କରିବେ ବୋଲି ଗରିବ ବାପା-ମା ସ୍ବପ୍ନ ଦେଖିଥିଲେ। ସେହି ସ୍ବପ୍ନ ଏବେ ଚୁରମାର ହୋଇଯାଇଛି।