ଏଣିକି ମଧ୍ୟାହ୍ନଭୋଜନରେ ପୁଷ୍ଟିଯୁକ୍ତ ଚାଉଳ

ଭୁବନେଶ୍ବର : ମାର୍ଚ୍ଚ ମାସ ସୁଦ୍ଧା‌ ରାଜ୍ୟର ପ୍ରତ୍ୟେକ ବିଦ୍ୟାଳୟର ମଧ୍ୟାହ୍ନଭୋଜନର ଲାଭାର୍ଥୀଙ୍କୁ ସେମାନଙ୍କ ପ୍ରାପ୍ୟ ଚାଉଳ ଓ ଟଙ୍କା ବଣ୍ଟା ଯାଇଛି। ପିଲାଙ୍କ ବ୍ୟାଙ୍କଖାତାକୁ କିମ୍ବା ବିଦ୍ୟାଳୟରେ ସେମାନଙ୍କୁ ପ୍ରତ୍ୟକ୍ଷ ଭାବେ ଟଙ୍କା ଦିଆଯାଇଥିବା ବେଳେ ପିଡିଏସ୍‌ ରିଟେଲରଙ୍କ ମଧ୍ୟରେ ଚାଉଳ ବଣ୍ଟନ ହୋଇଥିଲା। ଶିକ୍ଷକଙ୍କ ଦ୍ବାରା ପିଲାଙ୍କୁ ଆଇରନ୍ ବଟିକା ମଧ୍ୟ ଦିଆଯାଇଛି। ଏହି ସମୟରେ ୧୪ ହଜାର ୯୬୭ ବିଦ୍ୟାଳୟକୁ ମିଶନ ଶକ୍ତି ଦ୍ବାରା ଏଲ୍‌ପିଜି ସଂଯୋଗ କରାଯିବା ସହ ୩୧ ହଜାର ୫୦୦ ବିଦ୍ୟାଳୟରେ ପୁଷ୍ଟି-ବଗିଚା ହୋଇଛି। ଏବେ ସୁଦ୍ଧା ୪୭ ହଜାର ସ୍କୁଲକୁ ଏଲ୍‌ପିଜି ଏବଂ ୪୩ ହଜାର ସ୍କୁଲରେ ପୁଷ୍ଟି-ବଗିଚା ପାଇଁ ଅର୍ଥ ଯୋଗାଇ ଦିଆଯାଇଛି।

ବିଦ୍ୟାଳୟ ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମ ପାଇଁ ଉଦ୍ଦିଷ୍ଟ ରାଜ୍ୟସ୍ତରୀୟ ପରିଚାଳନା ଓ ତଦାରଖ କମିଟିର ୧୮ତମ ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଏହି ସୂଚନା ଦେଇଛନ୍ତି। ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ବୈଠ‌କରେ ଗତବର୍ଷ ମହାମାରୀ ସମୟରେ ମଧ୍ୟାହ୍ନଭୋଜନ କିପରି ସଫଳତାର ସହ କାର୍ଯ୍ୟକାରୀ ହୋଇପାରିଛି ତାହା ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା।

ଉନ୍ନୟନ କମିସନରଙ୍କ ନିର୍ଦ୍ଦେଶକ୍ରମେ ତିଆରି ହେବାକୁ ଥିବା ମଧ୍ୟାହ୍ନ ଭୋଜନ ରୋଷଶାଳାଗୁଡ଼ିକୁ ବିପର୍ଯ୍ୟୟ ପ୍ରତିରୋଧ ପ୍ରସ୍ତୁତି କରିବା ସହ ବିଦ୍ୟାଳୟରେ ଥିବା ପୁଷ୍ଟି-ବଗିଚାରେ ଡ୍ରିଫ୍ଟ ଜଳସେଚନର ବ୍ୟବହାର କରାଯିବ। ମଧ୍ୟାହ୍ନଭୋଜନରେ ଦିଆଯାଉଥିବା ଖାଦ୍ୟକୁ ଅଧିକ ପୁଷ୍ଟିଯୁକ୍ତ କରିବା ପାଇଁ ପୋଷଣଯୁକ୍ତ ବା ଫର୍ଟିଫାଏଡ୍‌ ଚାଉଳ ବ୍ୟବହାର ହେବ। ଏଥିପାଇଁ ରାଜ୍ୟ ପ୍ରକଳ୍ପ ଅଧିକାରୀଙ୍କ ନେତୃତ୍ବରେ ଏକ କମିଟି ଗଠନ କରାଯାଇ ଏହାର କାର୍ଯ୍ୟକାରିତାର ଦିଗ ଓ ଆର୍ଥିକ ଆବଶ୍ୟକତା ଉପରେ ବିଶଦ ଅନୁଧ୍ୟାନ କରାଯିବା ପରେ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ। ନିକଟରେ ରାଜ୍ୟ ମନ୍ତ୍ରୀମଣ୍ଡଳର ନିଷ୍ପତ୍ତି ଅନୁସାରେ ଛାତ୍ରଛାତ୍ରୀଙ୍କୁ ବିପର୍ଯ୍ୟୟ ପରିଚାଳନ ଉପରେ ଶିକ୍ଷା ଦେବାକୁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବଙ୍କୁ କୁହାଯାଇଛି। ଏହି ବୈଠକରେ ଖାଦ୍ୟ ଯୋଗାଣ ବିଭାଗର ପ୍ରମୁଖ ଶାସନ ସଚିବ ବୀରବିକ୍ରମ ଯାଦବଙ୍କ ସମେତ ଆଇସିଡିସି ନିର୍ଦେଶକ, ବିଶ୍ବଖାଦ୍ୟ କାର୍ଯ୍ୟକ୍ରମ, ୟୁନିସେଫ୍‌, ଆର୍‌ଏମ୍‌ଆର୍‌ସି ଓ ଏନ୍‌ଆଇଏନ୍‌ର ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର