ଭୁବନେଶ୍ବର: ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଏକକ ଶିକ୍ଷା କ୍ୟାଲେଣ୍ଡର ଲାଗୁ କରିବାକୁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଥିଲା। ଲକ୍ଷ୍ୟ ଥିଲା, ୨୦୨୩-୨୪ ଶିକ୍ଷାବର୍ଷରେ ଧାର୍ଯ୍ୟ ସମୟରେ ପାଠପଢ଼ା ଆରମ୍ଭ ସହ ଫର୍ମ ପୂରଣ, ପରୀକ୍ଷା ପରିଚାଳନା, ଫଳ ପ୍ରକାଶ କରିବା। ଏହାଦ୍ବାରା ଶିକ୍ଷାବର୍ଷ ଶେଷ ବେଳକୁ ପିଲାଙ୍କ ପାଠପଢ଼ା ସରିଥିବ ଏବଂ ଉଚ୍ଚଶିକ୍ଷା ଗ୍ରହଣ କରିବାରେ ସେମାନଙ୍କୁ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ନୂତନ ଶିକ୍ଷାବର୍ଷ ଆରମ୍ଭ ହେବା କ୍ଷଣି ବିଭାଗୀୟ ଅଧିକାରୀମାନେ ଶିକ୍ଷାବର୍ଷ କ୍ୟାଲେଣ୍ଡର ପ୍ରକାଶ କରି ତାହାକୁ ପାଳନ କରିବାକୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଉକ୍ତ ନିର୍ଦ୍ଦେଶନାମା କିଭଳି ପାଳନ ହେଉଛି ତାହା ଏବେ ସାମ୍ନାକୁ ଆସିଛି। ଖୋଦ୍‌ ଉଚ୍ଚଶିକ୍ଷା ବିଭାଗ ନିଜେ କରିଥିବା ନିୟମକୁ ଉଲ୍ଲଂଘନ କରିଚାଲିଛି। ଯେଉଁ ସମୟରେ ପ୍ରଥମ ସେମିଷ୍ଟର ଛାତ୍ରଛାତ୍ରୀଙ୍କ ପରୀକ୍ଷା ହେବା କଥା ସେତେବେଳେ ନାମଲେଖା ପ୍ରକ୍ରିୟା ଜାରି ରହିଛି। ଯାହାକି ଶେଷ ହେବାକୁ ଆହୁରି ୯ ଦିନ ସମୟ ଲାଗିବ। ନୂତନ ଭାବେ ନାମ ଲେଖାଉଥିବା ପିଲାମାନେ କେବେ ପଢ଼ିବେ ଓ କେମିତି ପରୀକ୍ଷା ଦେବେ ସେନେଇ ପ୍ରଶ୍ନ ଉଠିଛି।

Advertisment

ଏହାରି ଭିତରେ ବାର୍ଷିକ କ୍ରୀଡ଼ା/ସାଂସ୍କୃତିକ ପ୍ରତିଯୋଗିତା, ଅନ୍ତଃବିଶ୍ବବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା, ପ୍ରତି ସପ୍ତାହରେ ସେମିନାର ପରି କାର୍ଯ୍ୟକ୍ରମ କରିବାକୁ ଶିକ୍ଷାନୁଷ୍ଠାନଗୁଡ଼ିକୁ କୁହାଯାଇଛି। ଆଗକୁ ଆସୁଥିବା ସାଧାରଣ ନିର୍ବାଚନକୁ ନଜରରେ ରଖି ରାଜ୍ୟ ସରକାର ସରକାରୀ ଓ ଅନୁଦାନପ୍ରାପ୍ତ ୩୦୫ରୁ ଅଧିକ ଡିଗ୍ରି ମହାବିଦ୍ୟାଳୟରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏବାବଦରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଦୃଷ୍ଟିରୁ ପ୍ରତି ମହାବିଦ୍ୟାଳୟକୁ ୪ରୁ ୯ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଦିଆଯାଇଥିବା ଅର୍ଥରେ ନଭେମ୍ବର ଓ ଡିସେମ୍ବର ମାସରେ କ୍ରୀଡ଼ା, ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ ସହ ଜଡ଼ିତ ବିଭିନ୍ନ ପ୍ରତିଯୋଗିତା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜନ କରିବେ। କଲେଜରେ ଯେଉଁ କାର୍ଯ୍ୟକ୍ରମ ହେବ ତାହାର ନାଁ ‘#ନୂଆ-ଓ’ ରଖାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫଟୋ ଥିବା ଏକ ଫ୍ଲେକ୍ସ ଲଗାଇ କାର୍ଯ୍ୟକ୍ରମ କରିବା ସହ ତାହାର ଫଟୋ ଉଚ୍ଚଶିକ୍ଷା ବିଭାଗ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ନିଆଯାଇଛି। ଗୋଟିଏ ପଟେ ନାମଲେଖା ସରୁନି। ଆଉ ଅନ୍ୟପଟେ ଛାତ୍ରଛାତ୍ରୀଙ୍କ ସେମିଷ୍ଟର ପରୀକ୍ଷା ସାଙ୍ଗକୁ ‘#ନୂଆ-ଓ’ ଆୟୋଜନ କିଭଳି କରାଯିବ ସେନେଇ ଅଧ୍ୟକ୍ଷମାନେ ଦ୍ବନ୍ଦ୍ବରେ ପଡ଼ିଛନ୍ତି।

୫ ମାସ ହେଲା ସରୁନି ୟୁଜି ନାମଲେଖା
କଲେଜରେ ପାଠପଢ଼ା ହେବ କେମିତି?
‘#ନୂଆ-ଓ’ ପାଇଁ ହାତ ଖୋଲିଲେ ସରକାର
ପ୍ରତି ମହାବିଦ୍ୟାଳୟକୁ ୪ରୁ ୯ ଲକ୍ଷ ଟଙ୍କା ପ୍ରଦାନ

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ୟୁଜି(ସ୍ନାତକ) ନାମଲେଖା ପାଇଁ ଜୁନ୍‌ ୧୯ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଜୁଲାଇ ୪ ପର୍ଯ୍ୟନ୍ତ ଚାଲିଥିଲା। ୬ ରାଉଣ୍ଡରେ ହୋଇଥିବା ନାମଲେଖା ପ୍ରକ୍ରିୟା ଏତେ ଜଟିଳ ଥିଲା ଯେ ଆବେଦନକାରୀ କିଛି ବୁଝିପାରି ନ ଥିଲେ। ସ୍ଲାଇଡ୍‌, ପ୍ରିଜ୍‌, ଫ୍ଲୋଟ୍‌, ସାମ୍‌ସ ଷ୍ଟୁଡେଣ୍ଟ ଆକାଉଣ୍ଟ୍‌ ପୋର୍ଟାଲରେ ଅନ୍‌ଲାଇନ୍‌ ପେମେଣ୍ଟ ପରି ବ୍ୟବସ୍ଥା ସମ୍ପର୍କରେ ବୁଝିବା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପାଇଁ କଷ୍ଟକର ହୋଇପଡ଼ିଥିଲା। ପ୍ରତି ରାଉଣ୍ଡରେ ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଥିବା ନଜରକୁ ଆସିବା ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସେପ୍ଟେମ୍ବର ୨ରେ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ସହ ୧୧ ତାରିଖରେ ସଂଶୋଧିତ ଗାଇଡ୍‌ଲାଇନ୍‌ ଜାରି ହୋଇଥିଲା। ନଭେମ୍ବର ୧ରେ ତୃତୀୟ ପର୍ଯ୍ୟାୟ ନାମଲେଖା ଲାଗି ବିଜ୍ଞପ୍ତି ପ୍ରକାଶ ସହ ନାମଲେଖା ପ୍ରକ୍ରିୟା ଏବେ ମଧ୍ୟ ଜାରି ‌ରହିଛି। ସେପଟେ ଶିକ୍ଷା କ୍ୟାଲେଣ୍ଡର ଅନୁଯାୟୀ ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ଅଡ୍‌ ସେମିଷ୍ଟର(୧ମ/୩ୟ/୫ମ) ପରୀକ୍ଷା ହେବା କଥା। ମାତ୍ର ପିଲାଙ୍କ ନାମଲେଖା ଏପର୍ଯ୍ୟନ୍ତ ହୋଇପାରି ନାହିଁ।

ଲମ୍ବା ସମୟ(୫ ମାସ) ଧରି ନାମଲେଖା ପ୍ରକ୍ରିୟା ଦ୍ବାରା ଏବେ ସବୁ କିଛି ବିଗିଡ଼ିବାରେ ଲାଗିଛି। ଏପର୍ଯ୍ୟନ୍ତ ନାମଲେଖା ଶେଷ ହୋଇ ନ ଥିବାରୁ ଆଗକୁ ହେବାକୁ ଥିବା ପରୀକ୍ଷାରେ ଛାତ୍ରଛାତ୍ରୀ କିଭଳି ଅଂଶଗ୍ରହଣ କରିବେ ତାହାକୁ ନେଇ ପ୍ରଶ୍ନ ଉଠିଛି। କାରଣ ଏପର୍ଯ୍ୟନ୍ତ ଅଧିକାଂଶ ମହାବିଦ୍ୟାଳୟରେ କେଉଁଠି ଗୋଟିଏ ତ ଆଉ କେଉଁଠି ଦୁଇଟି ୟୁନିଟ୍‌ର ପାଠପଢ଼ା ସରିଛି। ତେଣୁ କିଭଳି ପ୍ରଶ୍ନ ଆସିବ ଏବଂ କିଭଳି ପରୀକ୍ଷା ଦେବେ ତାହାକୁ ନେଇ ଛାତ୍ରଛାତ୍ରୀ ଚିନ୍ତାରେ ପଡ଼ିଛନ୍ତି। ଏବେ କେତେକ କଲେଜରେ ସ୍ବାଗତ ଉତ୍ସବ ମଧ୍ୟ ଅନୁଷ୍ଠିତ ହେଉଥିବା ଜଣାପଡ଼ିଛି। ସେହିପରି ଚଳିତ ଶିକ୍ଷାବର୍ଷରେ ୧୮୦ ଦିନ ଛାତ୍ରଛାତ୍ରୀଙ୍କ ପାଠପଢ଼ା ହେବାକୁ ଧାର୍ଯ୍ୟ ହୋଇଛି। ଯଦି ଏଭଳି ପ୍ରତିଯୋଗିତା ଓ ‘#ନୂଆ-ଓ’ କାର୍ଯ୍ୟକ୍ରମ କରାଯିବ ତେବେ ପାଠପଢ଼ା ଓ ପରୀକ୍ଷା କେମିତି ହେବ ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।