ଭୁବନେଶ୍ବର : ପାଇକ‌ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ କେନ୍ଦ୍ର ସରକାର ଅରାଜି ହେବାରୁ ଆଜି ରାଜ୍ୟର ବିଭିନ୍ନମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ନିଖିଳ ଓଡ଼ିଶା ପାଇକ ମହାସଂଘ ଏକ ପ୍ରେସ୍‌ ବିବୃତିରେ କୁହାଯାଇଛି କେନ୍ଦ୍ର ସରକାର ହୀନ ରାଜନୀତି କରୁଛନ୍ତି। ମହାସଂଘ ପକ୍ଷରୁ ଆଜି ଆୟୋଜିତ ଏକ ଗୁପ୍ତ ବୈଠକରେ ଏ ସଂପର୍କରେ ବିଶଦ୍‌ ଆଲୋଚନା ହେବା ସହ ଆଗାମୀ କାର୍ଯ୍ୟପନ୍ଥା ନିର୍ଧାରଣ କରାଯାଇଛି। ମହାସଂଘ ପକ୍ଷରୁ କୁହାଯାଇଛି ଯେ ୧୮୧୭ ମସିହାରେ ଇଂରେଜ ସରକାରଙ୍କ ବିରୋଧରେ ନିଜ ମାଟି, ମା’ର ସୁରକ୍ଷା ପାଇଁ ଖୋର୍ଦ୍ଧା ମାଟିରୁ ଆରମ୍ଭ ହୋଇଥିବା ‘ପାଇକ ବିଦ୍ରୋହ’ ଭାରତବର୍ଷର ପ୍ରଥମ ସ୍ବାଧୀନତା ସଂଗ୍ରାମ। ଏହାର ୨୦୦ବର୍ଷ ପୂର୍ତ୍ତି ଅବସର‌ରେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବର୍ତ୍ତମାନର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଏହାକୁ ସମସ୍ତେ ଅକୁଣ୍ଠ ଚିତ୍ତରେ ସ୍ବୀକାର କରିଥିଲେ। କିନ୍ତୁ ଏବେ ରାଜ୍ୟସଭାରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଷାନ ରେଡ୍ଡୀ ଏହାକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦେବାକୁ ମନା କରୁଛନ୍ତି। କେନ୍ଦ୍ର ସରକାରଙ୍କ ଏଭଳି ଦୋମୁହାଁ ନୀତି ଓଡ଼ିଶାବାସୀ ତଥା ସମଗ୍ର ପାଇକକୁଳକୁ ବ୍ୟଥିତ କରିଛି। ତେଣୁ ଏ ଦିଗରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ। ନଚେତ୍‌ ଏ ହୀନ ରାଜନୀତି ବିରୋଧରେ ଆଉ ଏକ ପାଇକ ବିଦ୍ରୋହ କରାଯିବ ବୋଲି ମହାସଂଘ ଚେତାବନୀ ଦେଇଛି।

Advertisment

ଆଜିର ଏହି ବୈଠକରେ ମହାସଂଘର ରାଜ୍ୟ ସଭାପତି ଅଶୋକ ପାଲଟାସିଂହ, ପ୍ରଫେସର ଗାୟନ ସାମଲ, ପାଇକଗୁରୁ କେଦାର ଦାସ, ଦଳବେହେରା ‌ମନୋରଞ୍ଜନ ପଶ୍ଚିମକବାଟ, ବରିଷ୍ଠ ପାଇକଗୁରୁ ଭାଷ୍କର ସୁନ୍ଦରାୟ, ଖୋର୍ଦ୍ଧାଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ପାଟଶାଣୀ କଟକ ସଭାପତି ରାଜକିଶୋର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ସେହିପରି ଉତ୍କଳ ସମ୍ମିଳନୀର ମଞ୍ଚେଶ୍ବର ଶାଖା ମଧ୍ୟ କେନ୍ଦ୍ର ସରକାରଙ୍କ ଏହି ହୀନ ରାଜନୀତି ବିରୋଧରେ ବିଷୋଦ୍‌ଗାର କରିଛି। ଶାଖାର ସଭାପତି ଦିଲ୍ଲୀପ ଦାଶଶର୍ମା ଏକ ପ୍ରେସ୍‌ ବିବୃତିରେ କହିଛନ୍ତି ଯେ ସ୍ବାଧୀନତାର ପ୍ରଥମ ଯୁଦ୍ଧ ପାଇକ ବିଦ୍ରୋହକୁ ମାନ୍ୟତା ନଦେବା ଦୁର୍ଭାଗ୍ୟଜନକ ତଥା ଅତ୍ୟନ୍ତ ନିନ୍ଦନୀୟ। କେଉଁ ଆଧାର‌େର‌ ଏହାକୁ ଭାରତବର୍ଷର ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦିଆଯାଇ ପାରିବ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

ସୂଚନାଯୋଗ୍ୟ, ୧୮୧୭ ମସିହାରେ ଇଷ୍ଟଇଣ୍ଡିଆ କଂପାନି ବିରୋଧରେ ସଂଘଟିତ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ କୁହାଯାଇପାରିବ ନାହିଁ ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଷନ ରେଡ୍ଡୀ କହିଥିଲେ। ଗତକାଲି ରାଜ୍ୟସଭ‌ାରେ ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦଙ୍କ ଏକଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଷନ ରେଡ୍ଡୀ ଏହି ସୂଚନା ଦେଇଥିଲେ।

ପାଇକ ବିଦ୍ରୋହ ଭଳି ଐତିହାସିକ ଘଟଣାକୁ ୨୦୦ବର୍ଷ ପୂରିଥିଲେ ବି ଏହାକୁ ପ୍ରଥମ ସ୍ବାଧୀନତା ସଂଗ୍ର‌ାମ ଘୋଷଣା ପାଇଁ ଓଡ଼ିଶା ସରକାରଙ୍କ ପ୍ରସ୍ତାବ ସଂସ୍କୃତି ମନ୍ତ୍ରାଳୟ ପାଖରେ କାହିଁକି ପଡ଼ି ରହିଛି କି ବୋଲି ସାଂସଦ ଶ୍ରୀ ନନ୍ଦ ପ୍ରଶ୍ନ କରିଥିଲେ। ସାଂସଦଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ରେଡ୍ଡୀ କହିଥିଲେ, ଭାରତୀୟ ଇତିହାସ ଅନୁସନ୍ଧାନ ପରିଷଦ (ଆଇସିଏଚ୍‌ଆର୍‌) ପକ୍ଷରୁ ଏହି ପ୍ରସଙ୍ଗରେ ମିଳିଥିବା ରିପୋର୍ଟ ଅନୁସାରେ ପାଇକ ବିଦ୍ରୋହକୁ ସ୍ବାଧୀନତାର ପ୍ରଥମ ସଂଗ୍ରାମ କହିହେବ ନାହିଁ। ଏହା ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ (ବର୍ତ୍ତମାନର ଶିକ୍ଷା ମନ୍ତ୍ରାଳୟ) ଅଧୀନସ୍ଥ ଆଇସିଏଚ୍‌ଆର୍‌ ଗବେଷକଙ୍କ ଦ୍ବାରା ତର୍ଜମା କରାଯାଇଥିଲା। ଆଇସିଏଚ୍‌ଆର୍‌ ଦେଇଥିବା ମତାମତ ଆଧାରରେ ଓଡ଼ିଶାର ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ କୁହାଯାଇପାରିବ ନାହିଁ। କେନ୍ଦ୍ର ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରି କହିଛନ୍ତି, ଐତିହାସିକ ଦୃଷ୍ଟିକୋଣରୁ ୧୮୧୭ ମସିହାରୁ ୧୮୨୫ ପର୍ଯ୍ୟନ୍ତ ଚାଲିଥିବା ପାଇକ ବିଦ୍ରୋହ ଦେଶର ଆଭିଜାତ୍ୟ ବର୍ଗ ଓ ସାଧାରଣ ଲୋକଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିଲା ଓ ଭବିଷ୍ୟତ ଆନ୍ଦୋଳନ ପାଇଁ ମାର୍ଗ ଦେଖାଇଥିଲା। ତେଣୁ ଅଷ୍ଟମ ଶ୍ରେଣୀ ଇତିହାସ ପାଠ୍ୟ ପୁସ୍ତକରେ ଏହାକୁ ‘କେସ୍‌ ଷ୍ଟଡି’ ଭାବେ ସ୍ଥାନ ଦେବା ପାଇଁ ନିଷ୍ପତ୍ତି ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ ଉତ୍ତରରେ କହିଥିଲେ।