ଛେଣ୍ଡିପଦା: ଜଣେ ଡାକ୍ତରାଣୀଙ୍କୁ ତାଙ୍କ ସରକାରୀ ବାସଭବନରେ ଦୁଷ୍କର୍ମ ହୋଇଛି। ଡାକ୍ତରାଣୀ ଏଥିନେଇ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଛେଣ୍ଡିପଦାର ଜଣେ ଢାବା ମାଲିକ ସୁକାନ୍ତ ବେହେରା।
ସୂଚନା ଅନୁସାରେ, ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତର ଏଠାରେ ତାଙ୍କୁ ମିଳିଥିବା ସରକାରୀ କ୍ବାର୍ଟର୍ସରେ ତାଙ୍କ ସାନଭାଇଙ୍କ ସହ ରହୁଥିଲେ। ଢାବା ମାଲିକ ସୁକାନ୍ତ ତାଙ୍କ ଘରକୁ ପ୍ରାୟ ସମୟରେ ଖାଦ୍ୟ ନେଇ ପହଂଚାଇଥାଏ। ଗତରାତିରେ ସାନଭାଇ ବାହାରକୁ ଯାଇଥିଲାବେଳେ ଏହି ଅବିବାହିତ ଡାକ୍ତରାଣୀ(୩୮ବର୍ଷ) ଜଣଙ୍କ ଘରେ ଏକୁଟିଆ ଥିଲେ। ରାତି ପ୍ରାୟ ୧୨ଟା ସମୟରେ ଅଭିଯୁକ୍ତ ଢାବା ମାଲିକ ସୁକାନ୍ତ(୩୪) ତାଙ୍କ ଘରକୁ ଖାଦ୍ୟ ଦେବାକୁ ଯାଇଥିଲା। ଡାକ୍ତରାଣୀ ଏକୁଟିଆ ଥିବା ଜାଣି ତା’ ମନରେ ପାପ ସବାର ହୋଇଥିଲା। ପରେ ଡାକ୍ତରାଣୀଙ୍କ ସହ ସେ ବଳପୂର୍ବକ ଦୁଷ୍କର୍ମ କରିଥିଲା। ଡାକ୍ତରାଣୀ ଚିତ୍କାର କରିବାରୁ ସେ ତାଙ୍କୁ ଧମକଚମକ ଦେଇ ଚୁପ୍ କରାଇ ଦେଇଥିଲା। ଦୁଷ୍କର୍ମ ସଂପର୍କରେ ବାହାରେ କହିଲେ ଜୀବନରୁ ମାରିଦେବା ପାଇଁ ଅଭିଯୁକ୍ତ ଧମକ ଦେଇ ଫେରାର୍ ହୋଇଯାଇଥିଲା। ଏଥିନେଇ ଡାକ୍ତରାଣୀ ଜଣଙ୍କ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସୁକାନ୍ତକୁ ଆଜି ଗିରଫ କରିଛି।