ଲୋଇସିଂହା: ଗତ ୧୦ ତାରିଖରୁ ୨୬ ନମ୍ବର ଜାତୀୟ ରାଜପଥ ପ୍ରଶସ୍ତୀକରଣ ପାଇଁ ଜବରଦଖଲ ଉଚ୍ଛେଦ କରାଯାଉଛି। କଲେଜ ଛକଠାରୁ ସ୍ଥାନୀୟ ବ୍ୟାଙ୍କ ଛକ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବରେ ଦୋକାନୀମାନେ ରାସ୍ତା କଡ଼କୁ ଜବରଦଖଲ କରି ବ୍ୟବସାୟ କରି ଆସୁଥିଲେ। ଯଦ୍ବାରା ବିଶେଷ କରି ବ୍ଲକ୍ ଛକ, ବସ୍ଷ୍ଟାଣ୍ଡ ଓ ଚାରିଛକ ନିକଟରେ ନିୟମିତ ବହୁ ଭିଡ଼ ପରିଲକ୍ଷିତ ହେଉଥିଲା। ରାସ୍ତାରେ ଜନସାଧାରଣ ତଥା ସ୍କୁଲ ଛାତ୍ରଛାତ୍ରୀ ଯାତାୟାତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖା ଯାଉଥିଲା।
ରାସ୍ତା ପ୍ରଶସ୍ତୀକରଣ ହେବା ସୂଚନା ମିଳିବା ପରେ ସ୍ଥାନୀୟ ତହସିଲ ପକ୍ଷରୁ ପ୍ରାୟ ମାସକ ପୂର୍ବରୁ ଜବରଦଖଲକାରୀଙ୍କୁ ଉକ୍ତ ସ୍ଥାନ ଖାଲି କରିବାକୁ ନୋଟିସ ଦିଆଯାଇଥିଲା ଏବଂ ଗତ ୯ ତାରିଖ ସୁଦ୍ଧା ସ୍ଥାନ ଖାଲି ନକଲେ ଜାତୀୟ ରାଜପଥ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରାଯାଇଥିଲା। କେତେକ ଦୋକାନୀ ସରକାରୀ ନିର୍ଦେଶ ମାନି ଜବରଦଖଲ ସ୍ଥାନ ଛାଡ଼ି ଦେଇଥିଲେ। ମାତ୍ର କେତେକ ଘର ଭାଙ୍ଗି ନଥିବାରୁ ୧୦ ତାରିଖରେ ଏନ୍ଏଚ୍ ବିଭାଗ, ରାଜସ୍ବ ବିଭାଗ ଓ ପୁଲିସ ଉପସ୍ଥିତିରେ ମେସିନ ସାହାଯ୍ୟରେ ବସ୍ଷ୍ଟାଣ୍ଡ ପର୍ଯ୍ୟନ୍ତ ଘରଗୁଡ଼ିକ ଭଙ୍ଗାଯାଇଛି ଏବଂ ୩-୪ ଦିନ ପରେ ବ୍ୟାଙ୍କ ଛକ ପର୍ଯ୍ୟନ୍ତ ଖାଲି କରି ଦିଆଯିବ ବୋଲି ସୂଚନା ମିଳିଛି। ଏଥିରେ ରାସ୍ତା କଡ଼ରେ ଛୋଟ, ଛୋଟ ବ୍ୟବସାୟ କରି ଗୁଜୁରାଣ ମେଣ୍ଟାଉଥିବା ଲୋକେ ପ୍ରଭାବିତ ହୋଇଥିବା ପରିଲକ୍ଷିତ ହୋଇଛି।
ଅନ୍ୟପକ୍ଷରେ ବହୁ ପୂର୍ବରୁ ରାସ୍ତା କଡ଼ରେ ରହି ଆସିଥିବା ବହୁ ସରକାରୀ ଓ ଗୋଚର ଜମିକୁ ଅଞ୍ଚଳର କିଛି ପ୍ରଭାବଶାଳୀ ବ୍ୟକ୍ତି ପୂର୍ବ ସେଟଲମେଣ୍ଟରେ ନିଜ ନାମରେ ଦଖଲ କରି ନେଇଥିବାରୁ ସେମାନଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ି ନାହିଁ ଏବଂ ସରକାରୀ ଜମି କୌଣସି ପ୍ରକାରେ ପଟ୍ଟା ହେବା ନିୟମ ନଥିବା ବେଳେ ଏଠାରେ ସରକାରୀ/ଗୋଚର ଜମି ସବୁ କିପରି ପଟ୍ଟା କରି ଦିଆଯାଇଛି ବୋଲି ଅଞ୍ଚଳବାସୀଙ୍କ ମନରେ ବିସ୍ମୟ ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/edde663c-98e9-4635-80f8-a1f08eb2db3a.jpg)