ଟିକା ନେବା ପାଇଁ କିଶୋରଙ୍କ ମଧ୍ୟରେ ଉତ୍ସାହ: ୩ ଦିନରେ ଟିକା ନେଲେଣି ଅଢ଼େଇ ଲକ୍ଷରୁ ଅଧିକ

ଭୁବନେଶ୍ବର : ରାଜ୍ୟରେ କିଶୋର(୧୫-୧୮ବର୍ଷ)ଙ୍କ ଟିକାକରଣରେ ବେଶ୍‌ ଉତ୍ସାହ ଜାରି ରହିଛି। ବୁଧବାର ଦିନ ୮୦,୯୨୭ କିଶୋର ନିଜର ପ୍ରଥମ ଡୋଜ୍ ଟିକା ନେଇଛନ୍ତି। ଗତ ୩ଦିନ ଭିତରେ ରାଜ୍ୟରେ ୨ଲକ୍ଷ ୬୪ହଜାର ୬୯୦ କିଶୋର ଟିକା ନେଇ ସାରିଲେଣି। ଆସନ୍ତା ୧ମାସ ଭିତରେ ସମସ୍ତ କିଶୋରଙ୍କ ଟିକାକରଣ ଶେଷ ହେବ ବୋଲି ଆଶା କରାଯାଉଛି।

ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ ତୁରନ୍ତ ଟିକା ନେବା ଲାଗି ବିଶେଷଜ୍ଞମାନେ ଜୋର ଦେଉଛନ୍ତି। ଚଳିତମାସ ୩ତାରିଖଠାରୁ କିଶୋରଙ୍କ ଟିକାକରଣ ଆରମ୍ଭ ହୋଇଛି। ରାଜ୍ୟରେ ୨୩ଲକ୍ଷରୁ ଅଧିକ କିଶୋର ରହିଛନ୍ତି। ଏଥିପାଇଁ ଅନେକ ସ୍ଥାନରେ ସ୍ବତନ୍ତ୍ରଭାବେ ଟିକାକରଣ କେନ୍ଦ୍ରରେ କିଶୋରଙ୍କୁ ଟିକା ଦିଆଯାଉଛି। ବୁଧବାର ଦିନ ରାଜ୍ୟରେ ୩ଲକ୍ଷ ୯ହଜାର ୭୦୬ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ଏଥିରେ ଉଭୟ କିଶୋର ଓ ୧୮ବର୍ଷରୁ ଅଧିକ ବର୍ଗର ଲୋକ ରହିଛନ୍ତି। ଏହାସହ ଯୁବ ବର୍ଗ(୧୮-୪୪) ୫୦,୭୯୩ ପ୍ରଥମ, ୧,୦୦,୨୬୧ ଦ୍ବିତୀୟ, ୪୫ବର୍ଷରୁ ଅଧିକ ୧,୦୨,୨୮୮ ପ୍ରଥଥମ ୬୫,୪୩୫ ଦ୍ବିତୀୟ ଡୋଜ୍ ନେଇଛନ୍ତି। ଏଥିରେ ୧୭୧୩ ଗର୍ଭବତୀ ମହିଳା ରହିଛନ୍ତି। ଗତ ୧ବର୍ଷ ଭିତରେ ରାଜ୍ୟରେ ୫କୋଟି ୧୨ଲକ୍ଷ ୮୭ହଜାର ୧୨୪ ଡୋଜ୍ ଟିକା ଦିଆଗଲାଣି। ଆସନ୍ତା ୧୫ତାରିଖ ସୁଦ୍ଧା ରାଜ୍ୟ ସରକାର ସବୁ ହିତାଧିକାରୀ ଅତିକମ୍‌ରେ ପ୍ରଥମ ଡୋଜ୍ ଟିକା ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର