ସ୍ନାତକୋତ୍ତରରେ ଏକକ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର: ଉଚ୍ଚଶିକ୍ଷାରେ ଆମୂଳଚୁଳ ପରିବର୍ତନ ଲାଗି ଅଣ୍ଟା ଭିଡ଼ିଛି ଉଚ୍ଚଶିକ୍ଷା ବିଭାଗ। ୪ ମାସ ତଳେ କୁଳପତିମାନଙ୍କୁ ନେଇ ଗଠିତ କମିଟିର ମାନସମନ୍ଥନ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଛି। ନାମଲେଖାରେ ସଂସ୍କାର ଆଣିବା ଲାଗି ୨୦୧୯-୨୦ ଶିକ୍ଷାବର୍ଷରୁ ସ୍ନାତକୋତ୍ତର ପାଠ୍ୟକ୍ରମ ଲାଗି ଏକକ ପ୍ରବେଶିକା ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଛି। ଏହି ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବା ନିମନ୍ତେ ଉଚ୍ଚଶିକ୍ଷା ପରିଷଦ ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ସାମ୍‌ସ ମାଧ୍ୟମରେ ଯୁକ୍ତ୩ କଲେଜଗୁଡ଼ିକ ଲାଗି ହେଉଥିବା ନାମଲେଖା ପ୍ରକ୍ରିୟା ଅଗଷ୍ଟ ୧୪ ମଧ୍ୟରେ ସରିବ। ଅଗଷ୍ଟ ୧୫ରୁ ପାଠପଢ଼ା ଆରମ୍ଭ କରିବାକୁ କୁହାଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ଫଳ ମେ’ ମାସ ଶେଷ ତଥା ଜୁନ୍‌ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ। ରେଜଲ୍ଟ ବାହାରିବା କ୍ଷଣି ଯୁକ୍ତ୩ରେ ନାମଲେଖା ଲାଗି ପ୍ରକ୍ରିୟା ପ୍ରକି୍ରିୟା ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି। ଗୋଟିଏ ପର୍ଯ୍ୟାୟରେ ନାମଲେଖା ସୀମିତ ରହିବ। ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରେ ଅପରିବର୍ତ୍ତନୀୟ ଏକାଡେମିିକ୍‌ କ୍ୟାଲେଣ୍ଡର ପ୍ରଚଳନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଆଜି ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କୁ ନିର୍ଦେଶ ଦେଇଛନ୍ତି। ଅନ୍ୟ ଏକ ନିଷ୍ପତ୍ତିିକ୍ରମେ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏକକ ପାଠ୍ୟକ୍ରମ ଓ ପରୀକ୍ଷା ପଦ୍ଧତି ଅନୁସରଣ କରାଯିବ। ଏବେ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟରେ ବିଭିନ୍ନ ପାଠ୍ୟକ୍ରମ ରହିଛି। ଯେଉଁଥିପାଇଁ ଛାତ୍ରଛାତ୍ରୀ ଯୁକ୍ତ୩ ପଢ଼ି ସାରିବା ପରେ ସ୍ନାତକୋତ୍ତରରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତାହାକୁ ଦୃଷ୍ଟିରେ ରଖି ଏକକ ପାଠ୍ୟକ୍ରମ ଓ ପରୀକ୍ଷା ପଦ୍ଧତି ହେବ। ସ୍ୱୟଂଶାସିତ କଲେଜର କ୍ଷମତାକୁ ହ୍ରାସ କରାଯିବ। ସେମିଷ୍ଟାର ପରୀକ୍ଷାରେ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ ପାଇଁ ନୀତିଗତ ନିଷ୍ପତ୍ତି ଗ୍ରହଣ କରାଯାଇଛି। ନିର୍ଧାରିତ ସମୟ ମଧ୍ୟରେ ପରୀକ୍ଷା କରାଇବା, ମୂଲ୍ୟାୟନ, ଫଳ ପ୍ରକାଶ ଓ ସାର୍ଟିଫିକେଟ୍‌ ପ୍ରଦାନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।

୨୦୧୯-୨୦ ଶିକ୍ଷାବର୍ଷରୁ ଲାଗୁ କରିବାକୁ ନିଷ୍ପତ୍ତି
ଅଗଷ୍ଟ ୧୪ ସୁଦ୍ଧା ଯୁକ୍ତ୩ ପାଠ୍ୟକ୍ରମରେ ନାମଲେଖା
ନେଟ୍‌ ପରୀକ୍ଷା ଲାଗି ଦିଆଯିବ ସ୍ୱତନ୍ତ୍ର କୋଚିଂ

ସର୍ବଭାରତୀୟସ୍ତରରେ ଅନୁଷ୍ଠିତ ହେଉଥିବା ପ୍ରତିଯୋଗିତାମୂଳକ ପରୀକ୍ଷା ତଥା ନେଟ୍‌ ପରୀକ୍ଷାରେ ଓଡ଼ିଶାର ଛାତ୍ରଛାତ୍ରୀ କିଭଳି ଭଲ ପ୍ରଦର୍ଶନ କରିବେ ସେଥିପ୍ରତି ମଧ୍ୟ ଗୁରୁତ୍ୱାରୋପ କରାଯାଇଛି। ସଫଳତା ହାସଲ କରିବା ଲାଗି ମେଧାବୀ ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର କୋଚିଂ ପ୍ରଦାନ ନିମନ୍ତେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଦାସ ଗୁରୁତ୍ୱାରୋପ କରିଛନ୍ତି। ଉଚ୍ଚଶିକ୍ଷା କ୍ଷେତ୍ରରେ ସଂସ୍କାର ଲାଗି ଆଜି ପୂର୍ବାହ୍ନରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସଚିବାଳୟସ୍ଥିତ ପ୍ରକୋଷ୍ଠରେ ୧୨ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ନେଇ ହୋଇଥିବା ସମ୍ମିଳନୀରେ ଏଭଳି ନିଷ୍ପତ୍ତିି ହୋଇଛି। ଗତ ୨୦୧୭ ନଭେମ୍ବର ୧୬ରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କୁଳପତି ସମ୍ମିଳନୀରେ ଉଚ୍ଚଶିକ୍ଷାରେ ସୁଧାର ଆଣିବା ପାଇଁ ପାଞ୍ଚଟି କମିଟି ଗଠନ କରାଯାଇଥିଲା। ଉକ୍ତ କମିଟି ଦ୍ୱାରା ଦିଆଯାଇଥିବା ରିପୋର୍ଟକୁ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଦାସ ତର୍ଜମା କରି ନିଷ୍ପତ୍ତି ଗ୍ରହଣ କରିବା ପାଇଁ ବୈଠକରେ ଆହ୍ଵାନ କରିଥିଲେ। ଉକ୍ତ ବୈଠକରେ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜିଭିଭି ଶର୍ମା, ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ସଚିବ ବିନୋଦ କୁମାର, ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ, ଯୁଗ୍ମ ଶାସନ ସଚିବ ପରମେଶ୍ୱର ବି, ଅତିରିକ୍ତ ଶାସନ ସଚିବ ଅକ୍ଷୟ କୁମାର ମହାନ୍ତି ଏବଂ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଧୀରେନ ପଟ୍ଟନାୟକଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର