ରାଉରକେଲା: ଶିଳ୍ପର ବିକାଶକୁ ପ୍ରାଥମିକତା ଦିଆଯାଉଥିବା ସରକାର ଡିଣ୍ଡିମ ପିଟୁଛନ୍ତି। ସୁନ୍ଦରଗଡ଼ ଜିଲ୍ଲାର ବାସ୍ତବ ଚିତ୍ର କିନ୍ତୁ ଓଲଟା। ‘ମେକ୍ ଇନ୍ ଇଣ୍ଡିଆ’ ଓ ‘ମେକ୍ ଇନ୍ ଓଡ଼ିଶା’ର ନାରା ଦେଉଥିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ରୁଗ୍ଣ ସ୍ଥିତିରେ ଚାଲିଥିବା ଉଦ୍ୟୋଗଗୁଡ଼ିକୁ ସେତେଟା ଗୁରୁତ୍ବ ନ ଦେବା ଉଦ୍ବେଗଜନକ। ଆବଶ୍ୟକ କଞ୍ଚାମାଲ ଓ ମାତ୍ରାଧିକ ବିଜୁଳି ବିଲ୍ ଯୋଗୁ ଯେନତେନ ପ୍ରକାର ଚାଲୁଥିବା କିଛି ଉଦ୍ୟୋଗ ବନ୍ଦ ହେବା ଉପରେ। ଅନ୍ୟ ପକ୍ଷରେ ପଡୋଶୀ ଝାଡ଼ଖଣ୍ଡ ଓ ଛତିଶଗଡ ସରକାର ଇସ୍ପାତ ଓ ଲୁହା ଉଦ୍ୟୋଗର ଅଭିବୃଦ୍ଧିକୁ ପ୍ରାଥମିକା ଦେଉଛନ୍ତି।
ଓଡ଼ିଶାରେ ଇସ୍ପାତ ଓ ଲୁହା ଉଦ୍ୟୋଗଗୁଡ଼ିକରୁ ୟୁନିଟ୍ ପିଛା ବିଦ୍ୟୁତ୍ ଶୁଳ୍କ ଯେତିକି ନିଆଯାଉଛି, ଛତିଶଗଡ ଓ ଝାଡ଼ଖଣ୍ଡର ଢ଼େର କମ୍ ରହିଛି। ଏହିପରି ଭାବେ ୧ ଟନ୍ ଇନ୍ଗଟ୍ ପ୍ରସ୍ତୁତି ପାଇଁ ୧୦୦୦ ୟୁନିଟ୍ ବିଜୁଳି ଖର୍ଚ୍ଚ ହେଉଛି, ଅର୍ଥାତ୍ ୭ରୁ ୮ ହଜାର ଦେବାକୁ ପଡୁଛି। ଯାହା ଝାଡ଼ଖଣ୍ଡ, ଛତିଶଗଡ ଓ ପଶ୍ଚିମବଙ୍ଗ ଠାରୁ ଢ଼େର ଅଧିକ ରହିଛି। ଏସବୁ କାରଣ ପାଇଁ ଓଡ଼ିଶାର ଚାଲିଥିବା ପ୍ରାୟ ୭୪ରୁ ଅଧିକ ଇସ୍ପାତ ଓ ଲୁହା ଉଦ୍ୟୋଗ ମଧ୍ୟରୁ ୪୨ଟି ବନ୍ଦ ହୋଇଯାଇଛି। ଏଥିମଧ୍ୟରୁ ପ୍ରାୟ ୮୦% ହେଉଛି ସୁନ୍ଦରଗଡ ଓ ସମ୍ବଲପୁର ଜିଲ୍ଲାରେ।
ସୁନ୍ଦରଗଡ଼ର ବଜରଙ୍ଗବାଲି ଆଲଏଜ୍ ପ୍ରାଇଭେଟ୍ ଲିମିଟେଡ, ଜୟ ଜଗନ୍ନାଥ କାଷ୍ଟିଂ, ମା’ ତାରିଣୀ ଇଣ୍ଡଷ୍ଟ୍ରିଜ୍, ପୱନଜୟ ଫର୍ଣ୍ଣେସ ଡିଭିଜନ୍, ରେକ୍ସନ ଷ୍ଟ୍ରିପ୍ ଲିମିଟେଡ୍, ଶିବା ରୋଲିଂ ମିଲ୍ ପ୍ରାଇଭେଟ୍ ଲିମିଟେଡ୍, ଶୁଭ ଇସ୍ପାତ, ଠାକୁର ପ୍ରସାଦ ଆଣ୍ଡ ସନ୍ସ ପ୍ରାଇଭେଟ୍ ଲିମିଟେଡ (ଫର୍ଣ୍ଣେସ ଡିଭିଜନ୍), ବିଶାଳ ଫେରା ଆଲାଏଜ୍ ଲିମିଟେଡ୍, କୁଆରମୁଣ୍ଡାର ସଂଘମିତ୍ରା ଆଇରନ୍, ରାଜଗାଙ୍ଗପୁରର ଅଷ୍ଟ ବିନାୟକ ଇଞ୍ଜିନିୟର୍ସ, ଚିକଟମାଟିର ମା’ ଲକ୍ଷ୍ମୀ ଷ୍ଟିଲ୍ସ, କାଂଶବାହାଲର ରାଘବେନ୍ଦ୍ର ଷ୍ଟିଲ, ସମ୍ବଲପୁର ବାମରାର ସଦପୁର ମେଟାଲ ଷ୍ଟିଲ ଆଇରନ୍ ଓ ଝାରସୁଗୁଡାର ଗଣପତି ଫେରୋ ଇଣ୍ଡିଆ ଲିମିଟେଡ୍ ଇତ୍ୟାଦି ମଧ୍ୟରୁ ପ୍ରାୟ ୮୦% ବନ୍ଦ ରହିଛି।
ଅଳ୍ପ କିଛି ଯେନତେନ ପ୍ରକାରେ ଚାଲିଛି। ଏଇ ମାସକ ମଧ୍ୟରେ ଆଇଡିସି କଲୁଙ୍ଗା ଶିଳ୍ପାଞ୍ଚଳରେ ଆଉ ୬ରୁ ୟୁନିଟ୍ ବନ୍ଦ ହୋଇଛି। ସେପଟେ ଗୋଟିଏ ପରେ ଗୋଟିଏ ଉଦ୍ୟୋଗ ବନ୍ଦ ଯୋଗୁ ଜିଲ୍ଲାରେ ୧୦,୦୦୦ରୁ ଅଧିକ ଶ୍ରମିକ କର୍ମଚାରୀ କର୍ମସଂସ୍ଥାନ ହରାଇ ସାରିଛନ୍ତି। ପରିବାର ପ୍ରତିପୋଷଣ ପାଇଁ ଅଧିକାଂଶ ଦାଦନ ଖଟିବାକୁ ବାହାରକୁ ଯାଇଛନ୍ତି। ସେମିତି ରୁଗ୍ଣ ସ୍ଥିତିରେ ଚାଲିଥିବା ପ୍ରାୟ ୨୫ରୁ ଅଧିକ ଷ୍ଟିଲ ଆଇରନ୍ ଉଦ୍ୟୋଗର ଭବିଷ୍ୟତକୁ ନେଇ ବି ଉଠିଛି ପ୍ରଶ୍ନବାଚୀ।
ଛତିଶଗଡ, ଝାଡଖଣ୍ଡ ସରକାର ଶିଳ୍ପର ଅଭିବୃଦ୍ଧି ପାଇଁ ବିଦ୍ୟୁତ୍ ଶୁଳ୍କ ହ୍ରାସ କରୁଥିବାବେଳେ ଓଡ଼ିଶା ସରକାର ଏଥିରେ ପଛଘୁଞ୍ଚା ଦେବା ଉଦ୍ୟୋଗପତିଙ୍କୁ ଚିନ୍ତାରେ ପକାଇଛି। ଗତ କିଛି ବର୍ଷ ହେବ ରାଉରକେଲା ବଣିକ ସଂଘ ସହଯୋଗରେ ଉଦ୍ୟୋଗପତିମାନେ ବାରମ୍ବାର ବିଭାଗୀୟ ମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। କିନ୍ତୁ ଏଯାଏଁ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। କ୍ଷତି ସହିବା ଅପେକ୍ଷା ବାଧ୍ୟ ହୋଇ ଜିଲ୍ଲାର କିଛି ଉଦ୍ୟୋଗପତି ଓଡ଼ିଶା ଛାଡି ଛତିଶଗଡ, ଝାଡ଼ଖଣ୍ଡ ଚାଲି ଗଲେଣି।
ଆଉ କିଛି ରୁଗ୍ଣ ସ୍ଥିତିରେ ଚାଲିଥିବା ଓଡ଼ିଶା ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି। ଉଦ୍ୟୋଗପତି କହିଛନ୍ତି, ଗୋଟିଏ ୟୁନିଟ୍ ସ୍ଥାପନ ପାଇଁ ୮ରୁ ୧୦ କୋଟି ଖର୍ଚ୍ଚ ହେଉଛି। ଏସବୁ ଇସ୍ପାତ ଉଦ୍ୟୋଗରେ ଇଣ୍ଡକ୍ସନ ଫର୍ଣ୍ଣେସ ୟୁନିଟ୍ର ପ୍ରମୁଖ ଭୂମିକା ରହିଥାଏ। ଗୋଟିଏ ଟନ୍ ଇନ୍ଗଟ୍ ପ୍ରସ୍ତୁତି ପାଇଁ ପ୍ରାୟ ୧ ହଜାର ୟୁନିଟ୍ ବିଜୁଳି, ଅର୍ଥାତ୍ ପାଖାପାଖି ୭ରୁ ୮ ହଜାର ବିଜୁଳି ଖର୍ଚ୍ଚ ହେଉଛି। ଜିଲ୍ଲାର ଇସ୍ପାତ ଶିଳ୍ପକୁ ବଞ୍ଚାଇବାକୁ ରାଜ୍ୟ ସରକାର ଠୋସ୍ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।