ଭୁବନେଶ୍ବର: ରାଜ୍ୟର ସର୍ବବୃହତ୍ତ ଗଣମାଧ୍ୟମ ସଂସ୍ଥା (ମିଡିଆ ହାଉସ୍) ‘ସମ୍ବାଦ ଗ୍ରୁପ୍’ ପକ୍ଷରୁ ସବୁ ବର୍ଷ ପରି ଏଥରକ ମଧ୍ୟ ‘ବ୍ରାଣ୍ଡସ୍ ଅଫ୍ ଓଡ଼ିଶା, ପ୍ରାଇଡ୍ ଅଫ୍ ଇଣ୍ଡିଆ: ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡ:୨୦୨୦’ ପୁରସ୍କାର ପ୍ରଦାନ କରାଯିବ। ଏଥିପାଇଁ ଆଗ୍ରହୀ ଶିଳ୍ପସଂସ୍ଥା ଆବେଦନ କରିବାକୁ ‘ସମ୍ବାଦ ଗ୍ରୁପ୍’ ପକ୍ଷରୁ ଦରଖାସ୍ତ ଆହ୍ବାନ କରାଯାଇଛି।
ଉଲ୍ଲେଖଯୋଗ୍ୟ, ରାଜ୍ୟର ଯେଉଁ ଶିଳ୍ପଗୁଡ଼ିକ ରାଜ୍ୟ ମଧ୍ୟରୁ ସେମାନଙ୍କ ଉତ୍ପାଦ ଆରମ୍ଭ କରି ସର୍ବଭାରତୀୟ ସ୍ତରରେ ସେମାନଙ୍କର ସୁଖ୍ୟାତି ଓ ପ୍ରତିଷ୍ଠା ସୃଷ୍ଟି କରି ପାରିଛନ୍ତି ଓ ସର୍ବଭାରତୀୟ ସ୍ତରରେ ସେମାନଙ୍କର ଏହି ସଫଳତା ପାଇଁ ଓଡ଼ିଶାକୁ ଜାତୀୟ ସ୍ତରରେ ଗର୍ବିତ କରାଇ ପାରିଛନ୍ତି; କେବଳ ମାତ୍ର ସେଇମାନେ ହିଁ ଏହି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହେବେ।
ପାଞ୍ଚଟି ବିଭାଗରେ ଏହି ପୁରସ୍କାର ପ୍ରଦାନ କରାଯିବ। ଗତ ଥର ଭଳି ଏଥର ବ୍ରାଣ୍ଡ ଅଫ୍ ଦ’ ଇୟର (ସିଏସ୍ଆର୍) ବା ସାମାଜିକ ଦାୟିତ୍ବବୋଧ, ବ୍ରାଣ୍ଡ ଅଫ୍ ଦ’ ଇୟର (ଲାର୍ଜ) ବା ବୃହତ୍ତ ଶିଳ୍ପ, ବ୍ରାଣ୍ଡ ଅଫ୍ ଦ’ ଇୟର (ମିଡିୟମ) ବା ମଧ୍ୟମ ଶିଳ୍ପ, ବ୍ରାଣ୍ଡ ଅଫ୍ ଦ’ ଇୟର (ସ୍ମଲ୍) ବା କ୍ଷୁଦ୍ର ଶିଳ୍ପ ଏବଂ ବ୍ରାଣ୍ଡ ଅଫ୍ ଦ’ ଇୟର (ଏର୍ମଜିଂ/ ଷ୍ଟାର୍ଟଅପ୍) ବା ନୂତନ ଭାବେ ଗଢ଼ି ଉଠୁଥିବା କମ୍ପାନି ଲାଗି ପୁରସ୍କାର ପ୍ରଦାନ କରାଯିବ। ପ୍ରତି ବିଭାଗରେ ପ୍ଲାଟିନମ୍, ଗୋଲଡ୍ ଓ ସିଲଭର ଏହିପରି ତିନି ତିନିଟି ପୁରସ୍କାର ପ୍ରଦାନ କରାଯିବ।
ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ଚାହୁଁଥିବା ଶିଲ୍ପଗୁଡ଼ିକୁ ଏ ବାବଦରେ କୌଣସି ପ୍ରକାରର ଦେୟ ଦେବାକୁ ପଡ଼ିବ ନାହିଁ। ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ଚାହୁଁଥିବା ଶିଳ୍ପସଂସ୍ଥା ସମ୍ବାଦ ଗ୍ରୁପ୍ର ଆଧିକାରିକ ୱେବ୍ସାଇଟ୍ www.sambadawards.com କୁ ଯାଇ ନିଜ ନିଜର ମନୋନୟନ ପତ୍ର ବା ଆବେଦନ ଭରି ପାରିବେ। ଆବେଦନ କରିବାର ଶେଷ ତାରିଖ ରହିଛି ୬ ଜାନୁଆରି, ୨୦୨୦।
ଏହି ପୁରସ୍କାର ନିମନ୍ତେ ହସ୍ତଗତ ହୋଇଥିବା ଆବେଦନ ବା ମନୋନୟନ ସବୁକୁ ଏକ ସ୍ବାଧୀନ ବିଚାରକ ମଣ୍ଡଳୀ ଯାଞ୍ଚ କରିବା ସହ ସେମାନଙ୍କ ମଧ୍ୟରୁ ପ୍ରତିଯୋଗୀଙ୍କୁ ଚୟନ କରିବେ । ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ଶିଳ୍ପସଂସ୍ଥାକୁ ଆସନ୍ତା ଜାନୁଆରି ୧୭, ୨୦୨୦ରେ ହେଟେଲ ମେ’ ଫେୟାର କନ୍ଭେନ୍ସନ ହଲରେ ଆୟୋଜିତ ହେବାକୁ ଥିବା ଏକ ସ୍ବତନ୍ତ୍ର ଉତ୍ସବରେ ପୁରସ୍କୃତ କରାଯିବ ବୋଲି ‘ସମ୍ବାଦ ଗ୍ରୁପ୍’ ପକ୍ଷରୁ ଆଜି ଅପରାହ୍ଣରେ ଜାରି ଏକ ପ୍ରେସ୍ ବିବୃତିରେ କୁହାଯାଇଛି।