ଭୁବନେଶ୍ୱର : ରାଜ୍ୟରେ ଧୀରେ ଧୀରେ ସ୍ବାଭାବିକ ଅବସ୍ଥା ଫେରି ଆସୁଥିବାରୁ ଅନେକ କ୍ଷେତ୍ର ଉପରୁ ସରକାର କଟକଣା ହଟାଇବାରେ ଲାଗିଛନ୍ତି। ଏଭଳି ସ୍ଥିତିରେ ସାମ୍ବାଦିକଙ୍କ ଲୋକସେବା ଭବନରେ ପ୍ରବେଶ ଉପରେ ଦୀର୍ଘ ଦିନ ହେଲା ଲାଗିଥିବା କଟକଣାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଓଡ଼ିଶା ସାମ୍ବାଦିକ ୟୁନିଅନ (ଓୟୁଜେ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଦାବି କରିଛି।

Advertisment

ୟୁନିଅନର ସଭାପତି ତଥା ଭାତୀୟ ପ୍ରେସ କାଉନସିଲର ସଦସ୍ୟ ପ୍ରସନ୍ନ ମହାନ୍ତି ଏକ ବିବୃତିରେ କହିଛନ୍ତି ଯେ, ଦେଶର ଅଧିକାଂଶ ରାଜ୍ୟରେ ଆଉ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଉପରେ ଏଭଳି କଟକଣା ନଥିବା ବେଳେ ଓଡ଼ିଶାରେ ମଧ୍ୟ ଏହାର କୌଣସି ଆବଶ୍ୟକତା ଅନୁଭବ କରାଯାଉନାହିଁ। ଦୀର୍ଘ ଦିନଧରି ଲାଗି ରହିଥିବା କଟକଣା ଯୋଗୁଁ ଉଭୟ ଖବର କାଗଜ ଓ ଇଲେକ୍ଟ୍ରୋନିକ୍ସ ଗଣମାଧ୍ୟମର ସାମ୍ବାଦିକମାନେ ଖବର ସଂଗ୍ରହ କରିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାର ଅନେକ କ୍ଷେତ୍ର ଉପରୁ ପୂର୍ବ କଟକଣାକୁ ଉଠାଇ ନେଇଥିବାରୁ ସାମ୍ୱାଦିକମାନଙ୍କ ବୃତ୍ତିଗତ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଏଭଳି କଟକଣାକୁ ତୁରନ୍ତ ପ୍ରତ୍ୟାହାର କରି ନିଆଯିବାର ଆବଶ୍ୟକତା ରହିଛି। ସେହିଭଳି ସାମ୍ବାଦିକଙ୍କ ବିଧାନସଭା ପ୍ରେସ ଗ୍ୟାଲେରି ଓ ଲବି ପ୍ରବେଶ ଉପରେ ଥିବା କଟକଣାକୁ ମଧ୍ୟ ପ୍ରତ୍ୟାହାର କରିନିଆଯାଉ ଓ ଆଗାମୀ ଅଧିବେଶନ ଠାରୁ ଏହାକୁ ଲାଗୁ କରାଯାଉ ବୋଲି ଓୟୁଜେ ପକ୍ଷରୁ ଦାବି କରାଯାଇଛି।