ସୂର୍ଯ୍ୟମନ୍ଦିର ପ୍ରବେଶ ଟୋକନ୍‌ରେ କଳାବଜାରୀ, ଏଏସ୍‌ଆଇ ପକ୍ଷରୁ ଥାନାରେ ଅଭିଯୋଗ 

କୋଣାର୍କ : ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ପ୍ରବେଶ ପାଇଁ ଆବଶ୍ୟକ ପଡୁଥିବା ଟିକେଟ/ଟୋକନ୍‌ରେ ବ୍ୟାପକ କଳାବଜାରୀ ହେଉଥିବା ନେଇ ଦୀର୍ଘଦିନ ଧରି  ଅଭିଯୋଗ ହେଉଥିଲା। ଏ ସମ୍ପର୍କରେ ବିଧିବଦ୍ଧ ଭାବେ ଘଟଣା ପଦାକୁ ଆସିବା ପରେ ମନ୍ଦିରର ରକ୍ଷଣାବେକ୍ଷଣା ଦାୟିତ୍ୱରେ ଥିବା ଏଏସ୍‌ଆଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଏ ନେଇ ପୁଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି।

ମିଳିଥିବା ସୂଚନା ମୁତାବକ, ସୂର୍ଯ୍ୟମନ୍ଦିରରେ ପ୍ରବେଶ ସମୟରେ ହିଁ ପର୍ଯ୍ୟଟକଙ୍କ ନିକଟରୁ ଟୋକ୍‌ନଗୁଡ଼ିକ ସଂଗ୍ରହ କରି ରଖି ଦିଆଯାଇଥାଏ। ଅନ୍ୟପକ୍ଷରେ କେତେକ ଟୋକନ୍‌କୁ ସ୍କାନିଂ ନକରାଯାଇ ପର୍ଯ୍ୟଟକଙ୍କୁ କଳାବଜାରୀରେ ବିକ୍ରି କରାଯାଉଥିବା ବାରମ୍ବାର ଅଭିଯୋଗ ହୋଇଆସୁଥିଲା। ଏପରିକି ନିକଟରେ ମନ୍ଦିର ପରିଦର୍ଶନରେ ଆସିଥିବା ଏଏସ୍‌ଆଇ  ଏଡିଜି ଏସମ୍ପର୍କରେ ଅବଗତ ହେବାପରେ ସ୍ଥାନୀୟ ଅଧିକାରୀଙ୍କ ଉପରେ ବର୍ଷିଥିଲେ। ତାଜମହଲକୁ ଅଧିକ ପର୍ଯ୍ୟଟକଙ୍କ ଆଗମନ ହେଉଥିଲେ ମଧ୍ୟ ସେଠାରେ ଟୋକନ୍‌ ହେରଫେର୍‌ ହେଉନଥିବା ସମୟରେ କୋଣାର୍କରେ କାହିଁକି ହେଉଛି ସେନେଇ ସେ କୈଫିୟତ ତଲବ କରିଥିଲେ। ଏହା ପରେ କିଛିଦିନ ଟୋକନ ବ୍ୟବସ୍ଥା ସୁରୁଖୁରୁରେ ଚାଲିବା ପରେ ପୁଣି ଘୋଟଲା ଆରମ୍ଭ ହୋଇଛି। ଗତକାଲି ଜଣେ ପର୍ଯ୍ୟଟକଙ୍କୁ ଜଣେ ଫଟୋଗ୍ରାଫର୍‌ ଟିକେଟ୍‌ କଲବଜାରୀ କରୁଥିବା ଜଣାପଡ଼ିଥିଲା। ଏଥିରେ ମନ୍ଦିର ସୁରକ୍ଷା ଦାୟିତ୍ବରେ ଥିବା ଏକ ଘରୋଇ ସଂସ୍ଥାର ଜଣେ ସୁରକ୍ଷାକର୍ମୀ ମଧ୍ୟ ସାମିଲ ଥିବା ଅଭିଯୋଗ ହୋଇଥିଲା।

ଏ ସମ୍ପର୍କରେ ଏଏସ୍‌ଆଇର ବରିଷ୍ଠ ଅଧିକାରୀଙ୍କ ନିକଟରେ ଅଭିଯୋଗ ହେବା ପରେ ସ୍ଥାନୀୟ ଅଧିକାରୀ ଥାନାରେ ଅଭିଯୋଗ କରିଛନ୍ତି। ଏଏସ୍‌ଆଇର ଟିକେଟ୍‌ କାଉଣ୍ଟରରୁ ପ୍ରତ୍ୟେହ ୫୦ରୁ ୧୦୦ ଟୋକନ୍‌ ଏଟିଏମ୍‌ ସ୍ୱାଇପ୍‌ କରାଯାଇ ୩୫ ଟଙ୍କା ଦରରେ ଅଣାଯାଇ ଫଟୋଗ୍ରାଫର,ବ୍ୟବସାୟୀ ଓ ଦଲାଲଙ୍କ ମାଧ୍ୟମରେ ପର୍ଯ୍ୟଟକଙ୍କୁ ୪୦ ଟଙ୍କା ଦରରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି। ସୂର୍ଯ୍ୟମନ୍ଦିର ଭଳି ଏକ ବିଶ୍ୱ ଐତିହ୍ୟ ସ୍ଥଳୀରେ ଟିକେଟ୍‌ ହେରଫେର କରି ପର୍ଯ୍ୟଟକଙ୍କୁ ଶୋଷଣ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର