ରେମୁଣା: ପ୍ରକୃତି ଆମକୁ ଏକ ସୁନ୍ଦର ପରିବେଶ ଦେଇଛି। ଏହାକୁ ସୁରକ୍ଷିତ ରଖିବା ଆମର ମୁଖ୍ୟ କର୍ତ୍ତବ୍ୟ। ହେଲେ ମଣିଷ ନିଜ ହାତରେ ଏହାକୁ ଧ୍ବଂସ କରିଚାଲିଛି। ଆଜି ପାଣି, ପବନ, ବାୟୁ ସବୁକିଛି ପ୍ରଦୂଷିତ। ରମ୍ୟ ରେମୁଣାର ଚମକ ଏବେ ମଳିନ ପଡ଼ିଯାଇଛି। ପରିବେଶ ଆଜି ଏଭଳି ସ୍ଥିତିରେ ପହଞ୍ଚିଲାଣି, ଆଉ କିଛି ବର୍ଷ ପ‌ରେ ହାତରେ ଅମ୍ଳଜାନ ଧରି ବୁଲିବାକୁ ପଡ଼ିବ। ତେଣୁ ଆମ ପ୍ରକୃତିକୁ ରକ୍ଷା କରିବା ପାଇଁ ସଚେତନତା ନୁହେଁ, ଏବେ ସଂଗ୍ରାମ କରିବାର ସମୟ ଆସିଛି। ସମସ୍ତେ ଏକାଠି ହେଲେ ଆମ ପରିବେଶକୁ ରକ୍ଷା କରିପାରିବା ବୋଲି ‘ସମ୍ବାଦ’ ପକ୍ଷରୁ ବାଲେଶ୍ବର ଜିଲ୍ଲା ରେମୁଣା ନିର୍ବାଚନମଣ୍ଡଳୀର ରେମୁଣା ହାଇସ୍କୁଲ‌ରେ ଅନୁଷ୍ଠିତ ‘ପରିବେଶ ପଞ୍ଚାୟତ’ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସରକାରୀ ଦଳର ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ କହିଛନ୍ତି।

‘ପରିବେଶ ସୁରକ୍ଷା ପାଇଁ ସଂଗ୍ରାମ ଦରକାର’

Advertisment

ଏହି ଅବସରରେ ଶ୍ରୀ ଦାସ କହିଛନ୍ତି, ପରିବେଶ ପ୍ରଦୂଷଣ ପାଇଁ ଆମେ ଦାୟୀ। ପୃଥିବୀ ମା’କୁ ବଞ୍ଚାଇବା ପାଇଁ ସରକାର ବି ଉଦ୍ୟମ କରିଚାଲିଛନ୍ତି। ସବୁ ନିର୍ବାଚନମଣ୍ଡଳୀ‌ରେ ଗଛ ଲଗାଇବା ପାଇଁ ଟାର୍ଗେଟ୍‌ ମଧ୍ୟ ଦିଆଯାଇଛି। ‘ସମ୍ବାଦ’ର  ଏଭଳି କାର୍ଯ୍ୟକ୍ରମ ସବୁ ପଞ୍ଚାୟତରେ ହେବା ଦରକାର ବୋଲି ସେ ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ‘ସମ୍ବାଦ ସାହିତ୍ୟଘର’ର ସଭାପତି ଭାଗବତ ପ୍ରସାଦ ଦାସ କହିଛନ୍ତି, ସାରା ରାଜ୍ୟରେ ପ୍ରଦୂଷଣ କ୍ଷେତ୍ରରେ ଯେଉଁ ୬ଟି ଜିଲ୍ଲା ରହିଛି, ଏଥିରେ ବାଲେଶ୍ବର ଜିଲ୍ଲା ସର୍ବାଗ୍ରେ ରହିଛି। ଜିଲ୍ଲାରେ ସବୁଠୁ ପ୍ରଦୂଷିତ ବ୍ଲକ ହେଉଛି ରେମୁଣା। ସୋନ, ଗଙ୍ଗାହାର ଓ ବୁଢ଼ାବଳଙ୍ଗ ନଦୀର ପାଣି ଆଜି ପ୍ରଦୂଷିତ। ବାଲିମାଫିଆଙ୍କ କବ୍‌ଜାରେ ନଦୀକୂଳ। ଯେଉଁ କଟକଣା ଭିତରେ କଳକାରଖାନାର ଦୂଷିତ ପାଣି ଓ ଧୂଆଁକୁ ଛଡ଼ାଯିବା କଥା, ଏହାକୁ  ଗୁରୁତ୍ବ ଦିଆଯାଉନାହିଁ। ଅନ୍ୟତମ ଅତିଥି ଭାବେ ପ୍ରକୃତିମିତ୍ର ତଥା ସୁବେଦାର ମେଜର ଗିରିଶ କୁମାର ଷଡ଼ଙ୍ଗୀ, ଗଛ ଲଗାଇବା ସହିତ ପ୍ଲାଷ୍ଟିକ୍‌ ବ୍ୟବହାରକୁ ବହୁମାତ୍ରାରେ କମାଇବା ଆବଶ୍ୟକ। ସରକାରଙ୍କ ହାତରେ ପରିବେଶ ସୁରକ୍ଷା ଦାୟିତ୍ବ ଦେଇଦେଲେ ହେବନାହିଁ, ଏଥିପାଇଁ ଆମେ ସମସ୍ତେ ଉଦ୍ୟମ କରିବା ଉଚିତ ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେ ଶିକ୍ଷାବିତ୍‌ ଯୋଗେଶ ଚନ୍ଦ୍ର ବେହେରା, ଶିଳ୍ପୀ କେସୁ ଦାସ, ପୂର୍ବତନ ସରପଞ୍ଚ ଷ୍ଟାଲିନ୍‌ ମିଶ୍ର, ବରିଷ୍ଠ ଆଇନଜୀବୀ ସରୋଜ କୁମାର ବେହେରା, ଏନ୍‌ଏସି କାଉନ୍‌ସିଲର ଶିବଶଙ୍କର ରାୟ, ସମାଜସେବୀ ଚକ୍ରଧର ଦାସ ପ୍ରମୁଖ ଯୋଗଦେଇ ପରିବେଶ ସୁରକ୍ଷା ସଂପର୍କରେ ବକ୍ତବ୍ୟ ରଖିଥିଲେ। 
‘ସମ୍ବାଦ’ ବାଲେଶ୍ବର ସଂସ୍କରଣ ମୁଖ୍ୟ ଚିତ୍ତରଞ୍ଜନ ଚିରଞ୍ଜିତ କାର୍ଯ୍ୟକ୍ରମ‌ରେ ଅଧ୍ୟକ୍ଷତା କରିଥିବା ବେଳେ ରେମୁଣା ପ୍ରତିନିଧି ମାନସ କୁମାର ପାଢ଼ୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଜିଲ୍ଲା ପ୍ରତିନିଧି ରି‌ତେନ୍ଦ୍ର ଛାଟୋଇ ଧନ୍ୟବାଦ ପ୍ରଦାନ କରିଥିଲେ।