ପରିବେଶ ଲୁଟେରା ଏବେ ସକ୍ରିୟ: ମୁଷ୍ଟିମେୟ ନେତା, ପ୍ରଶାସକ ଓ ବିରୋଧି ସାମିଲ !

ଝାରସୁଗୁଡ଼ା (ପ୍ରଶାନ୍ତ ମିଶ୍ର): ଶିଳ୍ପନଗରୀ କୁହାଯାଉଥିବା ଝାରସୁଗୁଡ଼ା ସହର ସମେତ ସାରା ଜିଲ୍ଲାର ପରିବେଶକୁ ଲୁଟି ଚାଲିଛନ୍ତି ଏକ ଶକ୍ତଶାଳୀ ନିର୍ଦ୍ଧଷ୍ଟ ଗୋଷ୍ଠୀ। ସୁରକ୍ଷା ଢ଼ାଲ ମଧ୍ୟରେ ଥିବା ଏହି ଗୋଷ୍ଠୀ ସହିତ ମୁଷ୍ଟିମେୟ ନେତା, ଅସାଧୁ ପ୍ରଶାସକ ଓ କିଛି ବିରୋଧି ସାମିଲ ହୋଇ ପରିବେଶକୁ ଲୁଟି ମାଲେମାଲ ହେଉଥିବା ଅଭିଯୋଗ କେବେ‌ଠାରୁ ଉଠିଲାଣି। କ୍ଷମତାର ଢ଼ାଲ ଆଗରେ ହାର ମାନିଛି ଜିଲ୍ଲାର ପ୍ରକୃତିରାଣୀ। ଚାରିଆଡ଼ୁ ପ୍ରଦୂଷଣର ଚକ୍ରବ୍ୟୁହରେ ଉବୁଟୁବୁ ହେଉଛି ଝାରସୁଗୁଡ଼ା ଜିଲ୍ଲା। ଜିଲ୍ଲାରେ ସବୁବେଳେ ପରିବେଶ ପ୍ରଦୂଷଣକୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ଜାତୀୟ ସବୁଜ ଟ୍ରିବୁନାଲରେ ଏଠାକାର ପ୍ରଦୂଷଣକୁ ନେଇ ମାଳମାଳ ମକଦ୍ଦମାର ମଧ୍ୟ ଅନ୍ତ ଘଟୁନି।

ଜିଲ୍ଲାର ଝାରସୁଗୁଡ଼ା, ବ୍ରଜରାଜନଗର ଓ ବେଲପାହାଡ଼ ସହର ଗୋଟିଏ ଗୋଟିଏ ଛୋଟ ସହର ହୋଇଥିବା ବେଳେ ଏଠାରେ ପ୍ରଦୂଷଣର ମାତ୍ରା ସର୍ବାଧିକ। ଦେଶର ଶହେ ପ୍ରଦୂଷଣ ସହର ମଧ୍ୟରେ ଝାରସୁଗୁଡ଼ାର ଓ ବ୍ରଜରାଜନଗର ସହରର ନାମ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପ୍ରକାଶ କରି ସାରିଛି। ଜିଲ୍ଲାର ବିଭିନ୍ନ କ୍ଷେତ୍ର ଭିନ୍ନ ଭିନ୍ନ କାରଣ ଯୋଗୁଁ ପ୍ରଦୂଷିତ ହେଉଥିବା ଜଣାଯାଇଛି। ବିଶେଷ କରି କାରଖାନାର ବିଷାକ୍ତ ଧୂଆଁ, କାରଖାନାର କଠିଣ ଓ ତରଳ ବର୍ଜ୍ୟ, କୋଇଲା ଖଣିରୁ  ହେଉଥିବା ପ୍ରଦୂଷଣ, ଖଣି ସଂପ୍ରସାରଣ ଯୋଗୁଁ  ଘଟୁଥିବା ଜଙ୍ଗଲ କ୍ଷୟ, ଜିଲ୍ଲାର ନଦୀନାଳ ଉପରେ ମାଫିଆଙ୍କ ନିୟନ୍ତ୍ରଣ ପ୍ରଭୃତି ପ୍ରଦୂଷଣର ମୁଖ୍ୟ କାରଣ ପାଲଟିଛି।

ଏଭଳି  ପ୍ରଦୂଷଣ କେବଳ ଯେ ଝାରସୁଗୁଡ଼ା ପାଇଁ ବିପଦ ତାହା ନୁହେଁ ଏହା ସାରା ସମାଜ ପାଇଁ ବିପଦ ଆଣୁଛି ବୋଲି ବହୁ ସ୍ବେଚ୍ଛାସେବୀ ଓ ସର୍ଭେ ସଂସ୍ଥା ତାଙ୍କ ରିପୋର୍ଟରେ ମତ ପ୍ରଦାନ କରି ସାରିଛନ୍ତି। ପରିବେଶ କ୍ଷେତ୍ରରେ କାର୍ଯ୍ୟ  କରୁଥିବା ‘ଗ୍ରୀନ୍ପିସ୍’ ଓ ସର୍ଭେ ସଂସ୍ଥା ‘ୱେଟଲାଣ୍ଡ ଇଣ୍ଟର ନେସ୍ନାଲ ସାଉଥ-ଏସିଆ’ (ୱାଇଜା)ର ରିପୋର୍ଟ ଅନୁଯାୟୀ ଦେଶର ଯେଉଁ କେତେକ ସ୍ଥାନରେ ମାରାତ୍ମକ ସଲଫର୍ ଡାଇ ଅକ୍ସାଇଡ଼୍  ନିର୍ଗମନକାରୀ ଶିଳ୍ପସଂସ୍ଥା ରହିଛି ସେଥି ମଧ୍ୟରେ ଝାରସୁଗୁଡ଼ା ସର୍ବାଗ୍ରେ ରହିଛି। ଏଥି ସହିତ ନିକଟରେ ବୋହି ଯାଇଥିବା ହୀରାକୁଦ ଜଳ ଭଣ୍ଡାରରେ ଫିକାଲ କୋଲିଫର୍ମ ଏବଂ ଟୋଟାଲ କୋଲିଫର୍ମ ଜୀବାଣୁ ସହ ଉକ୍ତ ପାଣିରେ ଫ୍ଲୋରାଇଡ଼୍ର ମାତ୍ରା ବିପଦ ସଂକୁଳ ଅବସ୍ଥାରେ ଥିବା ମଧ୍ୟ ଉଲ୍ଲେଖ କରାଯାଇଛି ସାରିଛି। ଜିଲ୍ଲାରେ ବ୍ୟାପକ କୋଇଲା ଖଣି ଥିବାରୁ  କୋଇଲା ଉତ୍ତୋଳନ ଓ ପରିବହନ ପ୍ରଦୂଷଣର ଅନ୍ୟ ଏକ କାରଣ ହୋଇଥିବା ବେଳେ ଖଣି ସଂପ୍ରସାରଣ ଯୋଗୁଁ  ପରିବେଶ ଧ୍ବସଂ ପାଇଛି।

ଜିଲ୍ଲା ଭିତରେ ଓ ଜିଲ୍ଲା ସୀମାକୁ ଲାଗି ବ୍ୟାପକ ତାପଜ ବିଦ୍ୟୁତ କାରଖାନା ଥିବାରୁ ଏଠାରୁ  ଉଡ଼ନ୍ତା ପାଉଁଶ ଓ ରାସାୟନିକ ବର୍ଜ୍ୟ ଏବେ ଚିନ୍ତାର କାରଣ ପାଲଟିଛି। ଉଡ଼ନ୍ତା ପାଉଁଶର ସୁପରିଚାଳନା ହେଉନଥିବା ଯୋଗୁଁ  ପ୍ରଦୂଷଣ ଉଗ୍ର ହେବାରେ ଲାଗିଛି। ମାଫିଆ ମାନେ ପ୍ରଶାସନକୁ ହାତ କରି କାରଖାନା ଠାରୁ  ସୁବିଧାଜନକ ଦୂରତାରେ ଥିବା ଜନବସତି ମଧ୍ୟରେ ଏକାଧିକ ସମତଳ ଜମିକୁ  ଖାଲୁଆ ଜମି ଦେଖାଇ ସେଠାରୁ କୋଟି କୋଟି ଟଙ୍କାର ମାଟି ଖୋଳି ବିକ୍ରି କରିବା ପରେ କୃତ୍ରିମ ଗାତ ସୃଷ୍ଟି କରି ସେଥିରେ ଲକ୍ଷ ଲକ୍ଷ ଟନ୍ ଉଡ଼ନ୍ତା ପାଉଁ ପୋତି ଜନବସତି ଅଞ୍ଚଳକୁ ପ୍ରଦୂଷିତ କରି ପକାଉଥିବା ଏକ ଯୋଜନାବଦ୍ଧ ଚାଲ କରାଯାଇ ଆସୁଛି।  ଏହି  କାରବାରରେ କୋଟି କୋଟି ଟଙ୍କାର ମୁନାଫା ହେଉଥିବାରୁ  ଏହାକୁ ଶାସକ ପ୍ରଶାସକ ସଭିଏଁ ସହଯୋଗ କରି ଆସୁଥିବା କୁହାଯାଉଛି। ଏହି ପାଉଁଶ ଗୁଣ୍ଡ ବାୟୁ ମଣ୍ଡଳ ସହିତ ବିଭିନ୍ନ ଜଳ ଭଣ୍ଡାର, ଜଙ୍ଗଲ ଜମି ଓ ପ୍ରାକୃତିକ ଜଳ ଉତ୍ସ ଗୁଡ଼ିକୁ  ଭୀଷଣ ଭାବରେ ପ୍ରଦୂଷିତ କରିବାରେ ଲାଗିଛି।

ଏଠାରେ ଥିବା ଜେଏସ୍ଡବ୍ଲୁ, ବେଦାନ୍ତ ଆଲୁମିନା, ଆଦିତ୍ୟ ଆଲୁମିନା, ଏସ୍ଏମ୍ସି ଭଳି ଏ’ ଶ୍ରେଣୀର ଶିଳ୍ପ କାରଖାନା ରହିଛି। ଜିଲ୍ଲାର ଲଖନପୁର ବ୍ଲକରେ ଟିଆର୍ଏଲ୍, ଓପିଜିସି କାରଖାନା ଥିବା ବେଳେ ଝାରସୁଗୁଡ଼ା ସୀମାକୁ ଲାଗି ଏନ୍ଟିପିସିର ତାପଜ ବିଦ୍ୟୁତ ପ୍ରକଳ୍ପ ରହିଛି। ଏବେ ଝାରସୁଗୁଡ଼ା-ସମ୍ବଲପୁର ସୀମାରେ ଆଉ ଏକ ବୃହତ ତାପଜ ବିଦ୍ୟୁତ କେନ୍ଦ୍ର ସ୍ଥାପନ ହେବାକୁ ଯାଉଛି। ଜିଲ୍ଲାରେ ଥିବା ତାପଜ ବିଦ୍ୟୁତ କାରଖାନା ଓ ଲୌହ କାରଖାନା ଗୁଡ଼ିକରେ ଦୈନିକ ହଜାର ହଜାର ଟନ୍ କୋଇଲା ଦହନ ହେବା ଫଳରେ ଏଥିରୁ ସଲଫର୍ ଡାଇ ଅକ୍ସାଇଡ଼୍, ନାଇଟ୍ରୋଜେନ୍ ଅକ୍ସାଇଡ଼୍, କାର୍ବନ ମୋନକ୍ସାଇଡ଼ ଭଳି ମାରାତ୍ମକ ଗ୍ୟାସ ଓ ରସାୟନିକ ଦ୍ରବ୍ୟ ନିର୍ଗତ ହୋଇ ବାୟୁ ମଣ୍ଡଳରେ ମିଶୁଛି। ଏହା ସହିତ ଏହି କାରଖାନା ମାନଙ୍କ ମଧ୍ୟରୁ ବିଭିନ୍ନ କଠିନ ବର୍ଜ୍ୟ ତଥା ଫ୍ଲାଏଆସ ଉତ୍ପନ୍ନ ହୋଇ ଏହି ଅଞ୍ଚଳର ବାୟୁମଣ୍ଡଳକୁ ପ୍ରଦୂଷଣ କରିବାରେ ମୁଖ୍ୟ କାରଣ ପାଲଟିଛି।

ଜିଲ୍ଲାର ବିଭିନ୍ନ ଜଳାଶୟ ମଧ୍ୟ ପ୍ରଦୂଷଣ ହେଉଥିବା ଯୋଗୁଁ ବହୁ ସମୟରେ ମାଛ ମଡ଼କ ଘଟଣା ସହିତ ବିଭିନ୍ନ କାରଖାନାରୁ ନିର୍ଗତ ବିଷାକ୍ତ ଗ୍ୟାସ ଯୋଗୁଁ ଚାଷଜମି ପୋଡ଼ିଯାଇ ଲକ୍ଷାଧିକ ଟଙ୍କାର ଫସଲ କ୍ଷତି ହେଉଥିବା ଭଳି ଘଟଣା ଅତୀତରେ ଅନେକ ଥର ଘଟିଛି। ଶିଳ୍ପାୟନ ସହିତ ଖଣି ସଂପ୍ରସାରଣ ଜିଲ୍ଲାରେ ଜଙ୍ଗଲ ସଂପଦକୁ  ପ୍ରଭାବିତ କରିଛି।  ଜିଲ୍ଲାର ଭୌଗଳିକ ଦୃଷ୍ଟି କୋଣରୁ ଦେଖିବାକୁ ଗଲେ ଏଠାରେ ପ୍ରାକୃତିକ ପରିବେଶରେ ଭାରସାମ୍ୟ ରକ୍ଷା ପାଇଁ ୩୫ ପ୍ରତିଶତ ଜଙ୍ଗଲର ଆବଶ୍ୟକତା ଥିବା ବେଳେ ଏବେ ଖଣିଖାଦାନ ଓ ଶିଳ୍ପ ପ୍ରତିଷ୍ଠା ଯୋଗୁଁ ପ୍ରାକୃତିକ ଜଙ୍ଗଲ କ୍ରମଶଃ ଧ୍ବସଂ ପାଇ ଏହା ୧୪.୭ ପ୍ରତିଶତକୁ ତଳକୁ ଖସି ଆସିଥିବା ଜଣାଯାଇଛି। ଜିଲ୍ଲାର ବହୁ ଚାଷୀ ଓ ଜଙ୍ଗଲ ନିକଟରେ ରହୁଥିବା ଅଧିବାସୀଙ୍କ କହିବାନୁଯାୟୀ ଜିଲ୍ଲାରେ ପ୍ରଦୂଷଣଜନିତ କାରଣ ଯୋଗୁଁ   ଜଙ୍ଗଲ ଗୁଡ଼ିକରେ ପୂର୍ବରୁ ହେଉଥିବା ବିରଳ ଉଦ୍ଭିଦ ସହିତ ବିଭିନ୍ନ ଔଷଧୀୟ ଗୁଳ୍ମ ଯଥା ଛତାବରୀ, ପାନ୍ଅଏରି, ରାଧାକୃଷ୍ଣ, ଅପାମାର୍ଗ, ଗୁଞ୍ଜ, ଗୁଳୁଚି ଲହ, ଚପ୍କୋଲୋଠୋ, ବାସଙ୍ଗ, ଚିରୋମାରୋ ପ୍ରଭୃତି ସଂପୂର୍ଣ୍ଣ ବିଲୋପ ହୋଇଯାଇଛି। ଏଠାରେ ଥିବା ହରିଡ଼ା, ତେନ୍ତୁଳି ଭଳି ବୃକ୍ଷରୁ ଫଳ ଧାରଣ କ୍ଷମତା ମଧ୍ୟ ଧିରେ ଧିରେ ହ୍ରାସ ପାଇଥିବା ଦେଖାଯାଇଛି।

ଜିଲ୍ଲାରେ ଥିବା କାରଖାନା ଗୁଡ଼ିକ କାଗଜ କଲମରେ ଯାହା ଉତ୍ପାଦନ ଦେଖାଉଛନନ୍ତି ତାର ଦୁଇଗୁଣ ଉତ୍ପାଦନ କରାଯାଉଥିବାରୁ  ସେହି ଅନୁପାତରେ ବର୍ଜ୍ୟ ମଧ୍ୟ ବାହାରି ଥାଏ। ପ୍ରତି ଦିନ ହଜାର ଟନ୍ ପାଉଁଶ ନିର୍ଗତ ହେଉଥିବା ବେଳେ ଏହି ପାଉଁଶ ଏବେ ରାଜନୈତିକ ପ୍ରସଙ୍ଗ ପାଲଟିଯାଇଛି। ବାୟୁ ମଣ୍ଡଳରେ ଭାସୁଥିବା ବିଷାକ୍ତ  ଗୁଣ୍ଡ ସବୁଜ ବୃକ୍ଷଲତା ସହିତ ଉର୍ବର ଚାଷଜମି, ଭୂଗର୍ଭ ଜଳ ଏବଂ ମୁକ୍ତବାୟୁକୁ ପ୍ରଭାବିତ କରୁଥିବା ବିଶେଷଜ୍ଞ ମାନେ ମତ ଦେଇଛନ୍ତି। ଜିଲ୍ଲାରେ ବାସ୍ତବରେ ଶିଳ୍ପ ଜନିତ ପ୍ରଦୂଷଣର ପ୍ରଭାବ ବହନ କରିବାର କ୍ଷମତା କେତେ ତାର ପ୍ରକୃତ ମୂଲ୍ୟାୟନ ହେବା ଆବଶ୍ୟକତା ରହିଛି। ବିଭିନ୍ନ କାରଖାନା ବର୍ଜ୍ୟବସ୍ତୁ ସୁପରିଚାଳନାକୁ ନେଇ ସ୍ବଚ୍ଛତା ନଥିବାରୁ ପ୍ରଶାସନ, କମ୍ପାନୀ ଓ ସାଧାରଣ ଜନତାଙ୍କ ମଧ୍ୟରେ ପରସ୍ପର ପ୍ରତି ସଂଦେହ ବାତାବରଣ ସୃଷ୍ଟି ହେଉଛି। ପରିବେଶ ବୈଜ୍ଞାନିକଙ୍କ ମତରେ ବାୟୁମଣ୍ଡଳରେ ଭାସୁଥିବା ବିଷାକ୍ତ କଣିକା ଯେତେ ଛୋଟ ତାହା ସ୍ବାସ୍ଥ୍ୟ ପାଇଁ ସେତେ ବିପଦ।

ସମ୍ବନ୍ଧିତ ଖବର