ଖଲ୍ଲିକୋଟ/ବ୍ରହ୍ମପୁର: ନିଜର ସ୍ବାର୍ଥ ପାଇଁ ମଣିଷ ସମାଜ ପରିବେଶକୁ ଧ୍ବଂସ କରି ଚାଲିଛି। କେତେବେଳେ କଳକାରଖାନା ପାଇଁ ଜଙ୍ଗଲ କଟା ହେଉଛି ତ ଆଉ କେତେବେଳେ ଘର ତିଆରି ଲାଗି ଗଛ କାଟି ଦେଉଛନ୍ତି। ଏଥିପାଇଁ ହାତୀ ଠାରୁ ହରିଣ ପର୍ଯ୍ୟନ୍ତ ବନ୍ୟଜନ୍ତୁ ଏବେ ଜନବସତି ମୁହାଁ ହେଉଛନ୍ତି। ଗଛକଟା ଯୋଗୁଁ ବାୟୁମଣ୍ଡଳରେ ଦିନକୁ ଦିନ ଅମ୍ଳଜାନର ମାତ୍ରା ହ୍ରାସ ପାଇବାରେ ଲାଗିଛି। ଏଭଳି ଧାରା ଜାରି ରହିଲେ ଭବିଷ୍ୟତ ପିଢ଼ି ବଞ୍ଚି ପାରିବେ ନାହିଁ। ଏଣୁ ପରପିଢ଼ିର ସୁରକ୍ଷା ପାଇଁ ଆମକୁ ପରିବେଶକୁ ବଞ୍ଚାଇବାକୁ ପଡ଼ିବ ବୋଲି ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମତ ବ୍ୟକ୍ତ କରିଛନ୍ତି।

Advertisment

ଗଞ୍ଜାମଜିଲ୍ଲା ଖଲ୍ଲିକୋଟ ବ୍ଲକ୍ କେଶପୁର ଡିଗ୍ରି ମହାବିଦ୍ୟାଳୟରେ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଧାୟକ ଶ୍ରୀ ସେଠୀ ‘ସମ୍ବାଦ’ର ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ସେ କହିଲେ ଯେ, ବିଭିନ୍ନ କାରଣରୁ ପରିବେଶର ସନ୍ତୁଳନ ବିଗିଡ଼ିବାରେ ଲାଗିଛି। ବର୍ଷକରେ ୬ଟି ଋତୁ ମଧ୍ୟରୁ ଏବେ ୩ଟି ଅନୁଭବ କରି ହେଉଛି। ଏହି ୩ଟି ଋତୁ ମଧ୍ୟରୁ ଅଧିକ ସମୟ ଗ୍ରୀଷ୍ମ ଋତୁ ହିଁ ଜଣାପଡ଼ୁଛି। ବର୍ଷା ଓ ଶୀତ କମୁଥିବା ବେଳେ ଖରା ବଢ଼ି ଚାଲିଛି। ଜଳାଭାବ ଯୋଗୁଁ ନଈ, ନାଳ ସବୁ ଶୁଖି ଯାଉଛି। ଫଳରେ ଚାଷୀଙ୍କୁ ଚାଷ କାର୍ଯ୍ୟରେ ଆବଶ୍ୟକ ଅନୁସାରେ ପାଣି ମିଳୁ ନାହିଁ। ଏଥିରୁ ରକ୍ଷା ପାଇବା ପାଇଁ ହେଲେ ବ୍ୟାପକ ବୃକ୍ଷରୋପଣ କରିବା ଆବଶ୍ୟକ। ସପ୍ତାହକୁ ଗୋଟିଏ ଲେଖାଏଁ ଗଛ ଲଗାଇ ତା’ର ଯତ୍ନ ନିଅନ୍ତୁ ବୋଲି ମୁଖ୍ୟଅତିଥି ବିଧାୟକ ଶ୍ରୀ ସେଠୀ ଆହ୍ବାନ କରିଥିଲେ। 


କେଶପୁର ଡିଗ୍ରି ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶୋକ କୁମାର ପଲାଇଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ବରିଷ୍ଠ ପରିବେଶବିତ୍‌ ବିନୋଦ ବିହାରୀ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଖଲ୍ଲିକୋଟ ‘ସମ୍ବାଦ’ ସାହିତ୍ୟ ଘର ସମ୍ପାଦକ ତଥା ଅଧ୍ୟାପକ ବିଷ୍ଣୁପ୍ରସାଦ ଦାଶ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଶ୍ରୀ ପଟ୍ଟନାୟକ କହିଥିଲେ, ପରିବେଶ ବଞ୍ଚିଲେ ଯାଇ ଆମେ ବଞ୍ଚିବା। ଗଛ, ମାଟି, ପାଣି, ପବନ ଯଦି ନ ରହିବ ମନୁଷ୍ୟ ସମାଜର ସତ୍ତା ରହିବ ନାହିଁ। ଏଣୁ ବିକାଶ ନାଁରେ ହେଉଥିବା ବିନାଶକୁ ଆମକୁ ରୋକିବାକୁ ପଡ଼ିବ। ବୃକ୍ଷରୋପଣ ଦ୍ବାରା ହିଁ ଆମେ ପରିବେଶକୁ ସୁରକ୍ଷା ଦେଇ ପାରିବା। ପରିବେଶ ସୁରକ୍ଷିତ ରହିଲେ ଆମର ଭବିଷ୍ୟତ ପିଢ଼ି ମଧ୍ୟ ସୁରକ୍ଷିତ ରହିବ ବୋଲି କହିଥିଲେ। ପ୍ରାରମ୍ଭରେ ‘ସମ୍ବାଦ’ ଗଞ୍ଜାମ ଜିଲ୍ଲା ପ୍ରତିନିଧି ସୁଦୀପ୍ତ ଷଡ଼ଙ୍ଗୀ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଖଲ୍ଲିକୋଟ ବ୍ଲକ୍ ପ୍ରତିନିଧି ମନମୋଦନ ସାହୁ ଧନ୍ୟବାଦ ଦେଇଥିଲେ।