ରେଙ୍ଗାଲି: ବିକାଶକୁ ଆମେ ଅଟକାଇପାରିବା ନାହିଁ। କିନ୍ତୁ ବିକାଶ ନାଁ’ରେ ବିନାଶକୁ ବି ଡାକିବା ଠିକ୍ ନୁହେଁ। ବିନାଶ ଆଡ଼କୁ ଗତି କରିବା ପୂର୍ବରୁ ପୃଥବୀ ମା’ ପାଇଁ କିଛି କରିବାକୁ ପଡ଼ିବ। ପୃଥିବୀର ସୁନ୍ଦର ପରିବେଶକୁ ବଞ୍ଚାଇରଖି ନ ପାରିଲେ ଦୁର୍ଦ୍ଦିନ ଆସିବା ସ୍ବାଭାବିକ ବୋଲି ସ୍ଥାନୀୟ ବିଧାୟକ ସୁଦର୍ଶନ ହରିପାଲ ‘ସମ୍ବାଦ’ ପକ୍ଷରୁ ରେଙ୍ଗାଲି ନିର୍ବାଚନମଣ୍ଡଳୀର ମଙ୍ଗଳପୁରଠାରେ ଆୟୋଜିତ ‘ପରିବେଶ ପଞ୍ଚାୟତ’ରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ କହିଛନ୍ତି।
ବିଧାୟକ ଶ୍ରୀ ହରିପାଲ କହିଲେ, ଅନେକ ଶିଳ୍ପାନୁଷ୍ଠାନ ଗଢ଼ି ଉଠିଥିବାରୁ ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବିଧାନସଭା କ୍ଷେତ୍ର ଏକ ଧନୀ ଅଞ୍ଚଳ ଭାବେ ପରିଗଣିତ ହୋଇଥାଏ। ବିଧାନସଭା ପରିସରରେ ଥିବାବେଳେ ମୋ’ ଆଡ଼କୁ ଇଙ୍ଗିତ କରି ଅନ୍ୟ ବିଧାୟକମାନେ ‘ଓଡ଼ିଶାର ଧନୀ ଅଞ୍ଚଳର ବିଧାୟକ’ ବୋଲି କହିଥାନ୍ତି। ହେଲେ ଏହି ଅଞ୍ଚଳର ଲୋକେ କେଉଁ ଅବସ୍ଥାରେ ଅଛନ୍ତି, ତାହା କେବଳ ରେଙ୍ଗାଲି ବିଧାନସଭା କ୍ଷେତ୍ରର ଅଧିବାସୀଙ୍କୁ ହିଁ ଜଣା। ପ୍ରଦୂଷଣ ସାଙ୍ଗକୁ ବର୍ତ୍ତମାନ ସବୁଆଡ଼େ ଯେଉଁ ହାରରେ ଜଙ୍ଗଲ ଧ୍ବଂସ ପାଇବାରେ ଲାଗିଛି, ଆଗାମୀ ଦିନରେ କେବଳ ମାନବ ସଭ୍ୟତା ନୁହେଁ; ସଂପୂର୍ଣ୍ଣ ଜୀବଜଗତ ବି ଲୋପ ପାଇଯିବାର ଆଶଙ୍କା ରହିଛି। ଭଲ ପରିବେଶ ପାଇଁ ଆମକୁ ଗଛ ଲଗାଇବାକୁ ପଡ଼ିବ। ସୁନ୍ଦର ପୃଥବୀ ପାଇଁ ଲୋକଦେଖାଣିଆ ଭାବେ ଗଛ ନ ଲଗାଇ ଏହାକୁ ବଞ୍ଚାଇ ରଖିବାକୁ ହେବ। ଅନ୍ତତଃପକ୍ଷେ ନିଜ ପଡ଼ା, ଗାଁ, ପଞ୍ଚାୟତ, ବ୍ଲକ୍ ଆଉ ଜିଲ୍ଲାର ପରିବେଶ ଭଲ ରଖିବାକୁ ବିଧାୟକ ଶ୍ରୀ ହରିପାଲ ଲୋକଙ୍କୁ ଆହ୍ବାନ ଦେବା ସହିତ ‘ପୁନଶ୍ଚ ପୃଥବୀ’ ଭଳି ଦୂରଦୃଷ୍ଟିସଂପନ୍ନ ମହତ ପଦକ୍ଷେପ ନିମନ୍ତେ ‘ସମ୍ବାଦ’ର ସଂପାଦକଙ୍କୁ କୃ୍ତଜ୍ଞତା ଜଣାଇଥିଲେ। ପରିବେଶ ସୁରକ୍ଷା ନିମନ୍ତେ ଛାତ୍ର-ଯୁବସମାଜକୁ ଆଗେଇ ଆସିବାକୁ ଆହ୍ବାନ ଦେବା ସହିତ କେବଳ ନିଜ କିମ୍ବା ନିଜ ପରିବାର ପାଇଁ ନ ବଞ୍ଚି ଅନ୍ୟମାନଙ୍କ (ମାନବ ସମାଜ) ପାଇଁ ମଧ୍ୟ ବଞ୍ଚିବାକୁ ପଡ଼ିବ ବୋଲି କହିଥିଲେ।
ରେଙ୍ଗାଲି ବିଧାନସଭା କ୍ଷେତ୍ରରେ ପରିବେଶ ପଞ୍ଚାୟତ
ପରିବେଶ ସୁରକ୍ଷାରେ ଛାତ୍ର-ଯୁବ ସମାଜର ଭୂମିକା ଗୁରୁତ୍ବପୂର୍ଣ୍ଣ
‘ସମ୍ବାଦ’ ସମ୍ବଲପୁର ସଂସ୍କରଣର ଉପମହାପ୍ରବନ୍ଧକ (ବାର୍ତ୍ତା) ସୁବ୍ରତ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସିତାଂଶୁ ତ୍ରିପାଠୀ କହିଲେ, ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ତାଙ୍କ ପଞ୍ଚସୂତ୍ରୀ କାର୍ଯ୍ୟକ୍ରମ ମଧ୍ୟରୁ ଗୋଟିଏରେ ବୃକ୍ଷରୋପଣକୁ ଗୁରୁତ୍ବ ଦେଇଥିଲେ। ସେତେବେଳେ ତାଙ୍କୁ ଏଥିପାଇଁ ସମାଲୋଚନା କରାଯାଇଥିଲା। ଯଦି ସେହି ସମୟରେ ଏହାକୁ ଗୁରୁତ୍ବ ଦିଆଯାଇଥାନ୍ତା, ଆଜି ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡୁନଥାନ୍ତା କିମ୍ବା ଏବେ ‘ପୁନଶ୍ଚ ପୃଥବୀ’ର ଆହ୍ବାନ ଦେବାକୁ ପଡ଼ିନଥାନ୍ତା। ଶିଳ୍ପ ପ୍ରଦୂଷଣ ସହିତ ଓଡ଼ିଶାର ଜୀବନରେଖା ମହାନଦୀର ପ୍ରଦୂଷଣ ଏବେ ବଡ଼ ଚିନ୍ତାର ବିଷୟ। ପରିବେଶ ପ୍ରଦୂଷଣ ରୋକିବା ପାଇଁ ବୃକ୍ଷରୋପଣ ଦିଗରେ ଛାତ୍ର ଆଉ ଯୁବସମାଜର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଥିଲେ। ସମ୍ମାନିତ ଅତିଥି ସୁରଜମଲ କଲେଜର ଅଧ୍ୟକ୍ଷ ଡ. ମନୋଜ ପଣ୍ଡା କହିଲେ, ଶିଳ୍ପ ସ୍ଥାପନ ନାମରେ ଜଙ୍ଗଲ ଧ୍ବଂସ ସହିତ ପରିବେଶ ପ୍ରଦୂଷଣ ଚିନ୍ତାର କାରଣ ପାଲଟିଛି। ଆଗାମୀ ପିଢ଼ି ପାଇଁ ପୃଥବୀର ସୁନ୍ଦର ପରିବେଶକୁ ସୁରକ୍ଷିତ ରଖିବା ନିମନ୍ତେ ବ୍ୟାପକ ବୃକ୍ଷରୋପଣ କରିବାକୁ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ। ରେଙ୍ଗାଲି ବ୍ଲକ୍ ପ୍ରତିନିଧି ହିମାଂଶୁ ମିଶ୍ର ଓ ସୁବ୍ରତ ପାଢ଼ୀଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ସମ୍ବଲପୁରର ବରିଷ୍ଠ ଜିଲ୍ଲା ପ୍ରତିନିଧି ରତ୍ନାକର ଭୋଇ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଏଜିଏମ୍ ଗଜେନ୍ଦ୍ରନାଥ ମଲ୍ଲିକ ମଞ୍ଚାସୀନ ଥିଲେ। ‘କନକ ନ୍ୟୁଜ୍’ର ସମ୍ବଲପୁର ବ୍ୟୁରୋ ମୁଖ୍ୟ ବିଷ୍ଣୁପ୍ରସାଦ ଦ୍ବିବେଦୀ ଧନ୍ୟବାଦ ଅର୍ପଣ କରିଥିଲେ। ସଭା ପୂର୍ବରୁ ୨୦୦ଟି ଚାରାରୋପଣ କରାଯାଇଥିଲା।