ପିପିଲି: ପରିବେଶ ଅନୁକୂଳ ବିକାଶ ପାଇଁ ବୃକ୍ଷରୋପଣର ଆବଶ୍ୟକତା ଜରୁରୀ ହୋଇପଡ଼ିଛି। ଜଳ ସଂରକ୍ଷଣ ସହ ନଦୀ, ନାଳ, ହ୍ରଦ, ସମୁଦ୍ର ଓ ବେଳାଭୂମି ଆଦିକୁ ପ୍ରଦୂଷଣମୁକ୍ତ ରଖିବା ଏବେ ଏକ ନୂଆ ଆହ୍ବାନ ହୋଇଛି। ଏହାକୁ ଦୃଷ୍ଟିରେ ରଖି ପରିବେଶର ଯତ୍ନ ନେବା ସହ ସଚେତନତା ସୃଷ୍ଟି କରିବା ପାଇଁ ପିପିଲି ଓ ଡେଲାଙ୍ଗ ଅଞ୍ଚଳର ପ୍ରତି ପଞ୍ଚାୟତରେ ପରିବେଶ ସୈନିକ ସ୍ବେଚ୍ଛା‌ସେବୀ କାର୍ଯ୍ୟ କରିବେ। ଆଜି ‘ସମ୍ବାଦ’ ଗ୍ରୁପ୍‌ ପକ୍ଷରୁ ମଙ୍ଗଳପୁରଠାରେ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ ଏହା କହିଛନ୍ତି।

Advertisment

ବିଧାୟକ ଶ୍ରୀ ପଟ୍ଟନାୟକ କହିଲେ ଯେ ପରିବେଶ ପଞ୍ଚାୟତ ‘ସମ୍ବାଦ ଓ ଆମ ଓଡ଼ିଶା’ର ଏକ ନିଆରା ପଦକ୍ଷେପ। ପ୍ରତି ପଞ୍ଚାୟତର ସ୍ବେଚ୍ଛାସେବୀ ଯୁବକ ଯୁବତୀମାନେ ଏହି କାର୍ଯ୍ୟକୁ ନିୟମିତ ଆଗେଇ ନେଇ ପାରିବେ। ଫଳରେ ‘ସମ୍ବାଦ’ର ଏହି କାର୍ଯ୍ୟକ୍ରମ ଆହୁରି ବ୍ୟାପକ ହୋଇପାରିବ। ପଞ୍ଚାୟତସ୍ତରରେ ପରିବେଶ ସୈନିକମାନେ ସ୍ଥାନୀୟ ଅଞ୍ଚଳକୁ ସବୁଜ ସୁନ୍ଦର କରିବା ସହ ପରିବେଶ ପ୍ରଦୂଷଣ ରୋକିବା ଦିଗରେ କାର୍ଯ୍ୟ କରିବେ। ପଥପ୍ରାନ୍ତ ବୃକ୍ଷରୋପଣ ପାଇଁ ସଚେତନତା ସୃଷ୍ଟି କରିବା ସହ ପ୍ଲାଷ୍ଟିକ୍‌ ବ୍ୟବହାର ହ୍ରାସ କରିବା ଓ ପ୍ରଦୂଷଣକାରୀ ଯାନବାହନ ବ୍ୟବହାର ଯଥାସମ୍ଭବ କମ୍‌ କରାଯିବା ଉପରେ ବିଧାୟକ ଶ୍ରୀ ପଟ୍ଟନାୟକ ଗୁରୁତ୍ବ ଆରୋପ କରିଥିଲେ। ଭୂତଳ ଜଳସ୍ତର ବୃଦ୍ଧି ପାଇଁ ଜଳଅମଳ ପ୍ରକଳ୍ପ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏ ଦିଗରେ ସଚେତନତା ଆବଶ୍ୟକ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ରାସ୍ତା ନିର୍ମାଣ ଆଳରେ ଗଛକଟା, ଭୂତଳ ଜଳସ୍ତର ହ୍ରାସ, ବନାଗ୍ନି ଆଦି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ‘ସମ୍ବାଦ’ର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ସୌମ୍ୟରଂଜନ ପଟ୍ଟନାୟକଙ୍କ ଆଜି ଜନ୍ମଦିବସ ଅବସରରେ ବିଧାୟକ ଶୁଭକାମନା ଜଣାଇଥିଲେ।