ଜଳବାୟୁ ପରିବର୍ତ୍ତନ ବର୍ତ୍ତମାନ ସମୟର ବଡ଼ ଆହ୍ବାନ। ଏହି ଆହ୍ବାନକୁ ଉପଲବ୍ଧି କରି ‘ସମ୍ବାଦ’ ଗ୍ରୁପ୍‌ ପକ୍ଷରୁ ଅଗଷ୍ଟକ୍ରାନ୍ତି ଦିବସରୁ ଆରମ୍ଭ ହୋଇଛି ଜଳବାୟୁ ସୁରକ୍ଷା ଅଭିଯାନ ‘ପୁନଶ୍ଚ ପୃଥିବୀ’ର ୬୦ ଦିନିଆ ଯାତ୍ରା। ପରିବେଶ ସୁରକ୍ଷା ଅଭିଯାନକୁ ବ୍ୟାପକ କରିବା ପାଇଁ ରାଜ୍ୟର ୧୪୭ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ‘ପରିବେଶ ‘ପଞ୍ଚାୟତ’ କାର୍ଯ୍ୟକ୍ରମ ଆୟୋଜନ ହେବ। ଏହି କାର୍ଯ୍ୟକ୍ରମ ଆସନ୍ତା ୨୦୩୬ ପର୍ଯ୍ୟନ୍ତ ଚାଲିବ। ଆଜି ‌କୋରେଇ ନିର୍ବାଚନମଣ୍ଡଳୀରେ ପ୍ରଥମ ପରିବେଶ ପଞ୍ଚାୟତ ଆୟୋଜିତ ହୋଇଛି। ଆସନ୍ତାକାଲି ପାଇଁ ଆଜି ଅର୍ଥାତ୍‌ ଆଗାମୀ ପିଢ଼ି ପାଇଁ ଏବେଠାରୁ ଏକାଠି ହେବାକୁ ଆହ୍ବାନ ଦିଆଯାଇଛି। ବ୍ୟକ୍ତିଗତ ସ୍ତରରେ ନିଜ ଘରେ, ବିଭିନ୍ନ ସଂଗଠନ, ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, ସଂଘ ପକ୍ଷରୁ ପରିବେଶ କମିଟି ଗଠନ ପୂର୍ବକ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ କରି ଏ ସଂପର୍କିତ ଫଟୋ ଓ ଭିଡିଓ ‘ସମ୍ବାଦ’କୁ ପଠାଇପାରିବେ। ପରିବେଶ ସୁରକ୍ଷା ଆନ୍ଦୋଳନରେ ଆଗଧାଡ଼ିର ସୈନିକ ସାଜି ଲୋକେ ଆଗକୁ ବଢ଼ିଲେ ଏକ ସୁସ୍ଥ ଓ ସବୁଜ ପରିବେଶ ସୃଷ୍ଟି ହୋଇପାରିବ। ଏହା ହିଁ ଏହି ଅଭିଯାନର ମୂଳଲକ୍ଷ୍ୟ।

Advertisment

ଭୁବନେଶ୍ବର: ପରିବେଶ କ୍ରାନ୍ତିର ଡକରାରେ ସାମିଲ ହୋଇ ‘ପରିବେଶ ପଞ୍ଚାୟତ’ କରିଛି ବକୁଳ ଫାଉଣ୍ଡେସନ। ସତ୍ୟନଗର ବକୁଳ ଫାଉଣ୍ଡେସନ କାର୍ଯ୍ୟାଳୟରେ ଏହାର ସଦସ୍ୟ ଓ ଶୁଭେଚ୍ଛୁମାନେ ଏକାଠି ହୋଇ ପରିବେଶ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି। ବକୁଲ୍‌ ଫାଉଣ୍ଡେସନର ପ୍ରତିଷ୍ଠାତା ସୁଜିତ ମହାପାତ୍ରଙ୍କ ଅଧ୍ୟକ୍ଷତା କରି କହିଥିଲେ ‘ସମ୍ବାଦ’ ଗ୍ରୁପ୍‌ର ଜଳବାୟୁ ସୁରକ୍ଷା ଅଭିଯାନ ପୁନଶ୍ଚ ପୃଥିବୀ ଗଢ଼ିବାରେ ବଡ଼ ସହାୟକ ହେବ। ଆଞ୍ଚଳିକ ତଥା ଅନୁଷ୍ଠାନ ସ୍ତରରେ ମଧ୍ୟ ପରିବେଶ ପଞ୍ଚାୟତ କରିବାର ଆବଶ୍ୟକତା ରହିଛି। ଏହାଫଳରେ ତୃଣମୂଳସ୍ତରରେ ପରିବେଶ ସଂକ୍ରାନ୍ତୀୟ ଅନେକ ସମସ୍ୟାକୁ ଅନୁଧ୍ୟାନ କରି ସମାଧାନ କରାଯାଇ ପାରିବ। ଏହି ଅବସରରେ ଫିରୋଜ୍‌ କହିଥିଲେ, ପାଖ ବାଟକୁ ଯିବାକୁ ହେଲେ ସେ ଅଧିକାଂଶ ସମୟ ସାଇକଲ୍‌ ବ୍ୟବହାର କରୁଛନ୍ତି ଅଥବା ବସ୍‌ରେ ଯାତ୍ରା କରୁଛନ୍ତି। ଏହି କଥାରେ ସଂସ୍କାର ମିଶ୍ର ଅନୁପ୍ରାଣିତ ହୋଇ ସେ ମଧ୍ୟ ସାଇକଲ୍‌ ବ୍ୟବହାର କରିବେ ବୋଲି କହିଥିଲେ। ଆଇଏଏସ୍‌ ବି. ପରମେଶ୍ବରନ୍‌ କହିଥିଲେ ‌ଯେ, ସାର୍ଟର କଲର୍‌ ଚିରିଗଲେ ସମ୍ପୂର୍ଣ୍ଣ ସାର୍ଟକୁ ନଫିଙ୍ଗି କେବଳ କଲର୍‌କୁ ବଦଳାଇଦିଏ। ନୁର୍‌ ଯାହାଁ ବେଗମ୍‌ କହିଲେ ଜରି ବ୍ୟାଗ୍‌ ବ୍ୟବହାର କରିବା ପରିବର୍ତ୍ତେ ସେ କପଡ଼ା ବ୍ୟାଗ୍‌ ବ୍ୟବହାର କରନ୍ତି। ଟାଟା କମ୍ପାନିରେ କାର୍ଯ୍ୟରତ କଳାଦେବୀ କହିଥିଲେ ବାହାରକୁ ଗଲେ ସେ ନିଜ ବ୍ୟାଗ୍‌ରେ ଚା'କପ୍‌ ନେଇ ଯାଆନ୍ତି।

ଫଳରେ ଫ୍ଲାଷ୍ଟିକ୍‌ ମିଶା ପେପର୍‌ କପ୍‌ ବ୍ୟବହାର କମିବ। ଏହାପରେ ନିଷ୍ପତ୍ତି ହୋଇଥିଲା ବକୁଳ ଫାଉଣ୍ଡେସନକୁ ବାହାରୁ ଆସୁଥିବା ଖାଦ୍ୟ ପଲିଥିନ୍‌ରେ ଆସିବ ନାହିଁ। ଦହିବରା ହେଉ କି ବରା, ସିଙ୍ଗଡ଼ା, ଚଟଣି, ସବୁ କିଛି ଡବାରେ ଅଣାଯିବ। ମୃଦୁ ପାନୀୟ କିଣାଯିବ ନାହିଁ। ଏହା ବଦଳରେ ଲେମ୍ବୁ ଓ ବରଫ ସରବତ କରାଯିବ। ବାହାରକୁ ଗଲେ ପାଣିବୋତଲ ଘରୁ ନେଇ ଯିବେ। ବଳୁକ ଫାଉଣ୍ଡେସନର କୌଣସି କାର୍ଯ୍ୟକ୍ରମକୁ ସଦସ୍ୟମାନେ ଆସିବାକୁ ଥିଲେ,ଜଣେ ଅନ୍ୟ ଜଣଙ୍କ ଗାଡ଼ିରେ ସାଙ୍ଗ ହୋଇ ଆସିବେ। ଫଳରେ ବାୟୁ ପ୍ରଦୂଷଣ ହେବନାହିଁ। ସେହିପରି ଚାରାରେ ବ୍ୟବହାର କରାଯାଉଥିବା ଜରି ବଦଳରେ ପରିବେଶକୁ ସୁହାଇବା ଭଳି ଅନ୍ୟ କ’ଣ ବ୍ୟବହାର କରାଯିବ ସେ ସମ୍ପର୍କରେ ଅନୁସନ୍ଧାନ କରାଯିବ। ଏଥିସହ ବର୍ଷାଜଳ ସରଂକ୍ଷଣ, ବାୟୁ ପ୍ରଦୂଷଣକୁ ରୋକିବା, ଘର ଅଗଣାକୁ କଂକ୍ରିଟ୍‌ ନକରିବା ଭଳି ନିଷ୍ପତ୍ତି ନିଆଯାଇଛି। ଏହି ସବୁ ନିଷ୍ପତ୍ତି ଫାଉଣ୍ଡେସନ କାର୍ଯ୍ୟାଳୟ ସହ ବ୍ୟକ୍ତିଗତସ୍ତରରେ ନିଜ ଘରେ କାର୍ଯ୍ୟକାରୀ କରିବା ପାଇଁ ସଦସ୍ୟମାନେ ସହମତି ପ୍ରକାଶ କରିଥିଲେ।