ଅତାବିରା/ଭେଡ଼େନ: ବର୍ତ୍ତମାନ ଅନେକ ସ୍ଥାନରେ ବୃକ୍ଷରୋପଣ କରାଯାଉଛି। ହେଲେ ରକ୍ଷଣାବେକ୍ଷଣ ଅଭାବରୁ ଅଧିକାଂଶ ଗଛ ବଞ୍ଚିପାରୁନାହିଁ। ତେଣୁ ବୃକ୍ଷରୋପଣ ଅପେକ୍ଷା ଲଗାଯାଇଥିବା ଗଛର ରକ୍ଷଣାବେକ୍ଷଣ ଉପରେ ପ୍ରାଥମିକତା ଦେବା ଆବଶ୍ୟକ ବୋଲି ବରଗଡ଼ ଜିଲ୍ଲା ଅତାବିରା ନିକଟ ଲାଦରପାଲି ରାମଚଣ୍ଡୀ ମନ୍ଦିର ପରିସରରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ‘ପରିବେଶ ପଞ୍ଚାୟତ’ କାର୍ଯ୍ୟକ୍ରମରେ ଅତିଥିମାନେ ମତପ୍ରକାଶ କରିଛନ୍ତି। ଏହାସହ ଜମିରେ ମାତ୍ରାଧିକ କୀଟନାଶକ ପ୍ରୟୋଗ ଦ୍ୱାରା ଭୂତଳ ଜଳ ମଧ୍ୟ ବିଷାକ୍ତ ହେବାରେ ଲାଗିଛି ବୋଲି ଅତିଥିମାନେ ଉଦ୍ବେଗ ପ୍ରକାଶ କରିଛନ୍ତି।
‘ସମ୍ବାଦ’ ଅତାବିରା ବ୍ଲକ ପ୍ରତିନିଧି ରାଜେଶ ପଣ୍ଡାଙ୍କ ଅଧ୍ୟକ୍ଷତା ତଥା ଭେଡ଼େନ ବ୍ଲକ ପ୍ରତିନିଧି ମୁକୁନ୍ଦ ଷଡ଼ଙ୍ଗୀ ଓ ‘ଆମ ଓଡ଼ିଶା’ ଆଜୀବନ ସଦସ୍ୟ ଅମୃତ ବାରିକଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଅତାବିରା ଏନ୍ଏସି ଅଧ୍ୟକ୍ଷ ବନମାଳୀ ବରିହା, ସମ୍ମାନିତ ଅତିଥି ଭାବେ ଡୁମାଲ ପରିଷଦର ରାଜ୍ୟ ସଭାପତି ଦୟାସାଗର ମେଣ୍ଡଲି, ପ୍ରକୃତିବନ୍ଧୁ ସୁବାସ ପ୍ରଧାନ, ବରିଷ୍ଠ ଶିକ୍ଷକ ଧର୍ମରାଜ ପ୍ରଧାନ, ପ୍ରକୃତିବନ୍ଧୁ ତଥା ଶିକ୍ଷୟିତ୍ରୀ ଅନସୂୟା ଦେବତା ପ୍ରମୁଖ ଯୋଗଦେଇ ପରିବେଶ ସୁରକ୍ଷା ଓ ସଚେତନତା ଉପରେ ନିଜ ନିଜର ମତ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପରିବେଶବିତ୍ ସୁଧୀର ପଣ୍ଡା, ବାଳମୁକୁନ୍ଦ ସାହୁ, ଦୁର୍ଲ୍ଲଭ ଗଡ଼ତିଆ, ବସୁଦେବ ପ୍ରଧାନ, ବବ୍ରୁବାହନ ମିଶ୍ର, ଯତୀନ୍ଦ୍ର ପ୍ରଧାନ, ଏକାଦଶିଆ ସାହୁ, ରୁଷଭ ବିଶି, ସାଗରଲାଲ ବାରିକ, ମନୋଜ ଭୋଇ, ପୁରନ୍ଦର ପ୍ରଧାନ, ବାବୁଲୁ ଡନସନା, ସରୋଜ ରଥ, ହେମନ୍ତ ଭୋଇ, ହେମବନ୍ତ ପ୍ରଧାନ, ନାଗୁରୁ ଭୋଇ, ସୁଶାନ୍ତ ସେଟ, ଯୁବରାଜ ପ୍ରଧାନ, ଶେଷଦେବ ନାଏକ, ପଞ୍ଚମ ପ୍ରଧାନ, ଚିନା ଭୁଏ ପ୍ରମୁଖ ଉପସ୍ଥିତ ଥିଲେ। ସମ୍ବାଦ-ସାହିତ୍ୟଘର ସଦସ୍ୟ ମନୋଜ ଭୋଇ ଧନ୍ୟବାଦ ଦେଇଥିଲେ।