କଟକ: କଟକ ସହର ପାଇଁ ସମସ୍ୟା ଡାକି ଆଣୁଛି ପ୍ରଦୂଷିତ ବାୟୁ, ପାଣି ଓ ପଲିଥିନ। ସମସ୍ୟାର ସମାଧାନ ପାଇଁ ‌ବର୍ତ୍ତମାନଠାରୁ ସଚେତନ ଆଉ ସତର୍କ ନ ‌ହେଲେ ଆଗକୁ ପରିସ୍ଥିତି ସାଂଘାତିକ ହେବ। ପରିବେଶ ସୁରକ୍ଷା ପାଇଁ ମିଳିତ ଉଦ୍ୟମ ଆବଶ୍ୟକ ବୋଲି ବାରବାଟୀ-କଟକ ନିର୍ବାଚନମଣ୍ଡଳୀରେ ‘ସମ୍ବାଦ’ ଗ୍ରୁପ୍‌ର ସଂପାଦକ ତନୟା ପଟ୍ଟନାୟକଙ୍କ ଆବାହକତ୍ବରେ ଆୟୋଜିତ ପରିବେଶ ପଞ୍ଚାୟତରେ ମତପ୍ରକାଶ ପାଇଛି। ସତ୍ୟବ୍ରତ ଷ୍ଟାଡିୟମ ପରିସରରେ ଆୟୋଜିତ ଏହି ପରିବେଶ ପଞ୍ଚାୟତରେ ଆଲୋଚନା ଆରମ୍ଭ କରିଥିଲେ ବିଶିଷ୍ଟ ପରିବେଶବିତ୍‌ ଡକ୍ଟର ଆଶୁତୋଷ ଦେବତା। ଡକ୍ଟର ଦେବତା କହିଥିଲେ ଯେ ବିଭିନ୍ନ କାରଣ ପାଇଁ କଟକର ପାଣି, ପବନ ଓ ମାଟି ବିଷାକ୍ତ ହେବାରେ ଲାଗିଛି। ନଦୀରେ ପାଣି ପରିମାଣ କମୁଥିବା ବେଳେ ସହରର ଭୂତଳ ଜଳ ମଧ୍ୟ କମୁଛି।

Advertisment

ଭୂତଳ ଜ‌ଳରେ ଆଇରନ୍‌, କ୍ଲୋରାଇଡ ଓ ମର୍କୁରିର ପରିମାଣ ବଢୁଛି। ଅନ୍ୟପଟେ ସହରରୁ ଗଛସଂଖ୍ୟା କମୁଥିବାରୁ ଏହାର ପ୍ରଭାବ ପରିବେଶ ଉପରେ ପଡୁଛି। ୨୦୨୪ ମେ’ ଗତ ଶହେ ବର୍ଷ ମଧ୍ୟରେ ସର୍ବାଧିକ ତତଲା ମାସ ଭାବେ ପରିଗଣିତ ‌ହୋଇଛି। ସହର ମଧ୍ୟରେ କଂକ୍ରିଟ ରାସ୍ତା ନିର୍ମାଣ, ନଦୀକୁ ନର୍ଦ୍ଦମା ଓ ଦୂଷିତ ପାଣି ଛାଡିବା, ଆବର୍ଜନାକୁ ଖୋଲାରେ ରଖିବା, ପଲିଥିନର ବହୁଳ ବ୍ୟବହାର ପରିବେଶକୁ ବିଗାଡୁଛି ବୋଲି ଡକ୍ଟର ନିରଞ୍ଜନ ତ୍ରିପାଠୀ, ଡକ୍ଟର ବିଶ୍ବଜିତ, ଧର୍ମେଶ ନାୟକ, ଡକ୍ଟର ଦ୍ବୀପାୟନ ପଟ୍ଟନାୟକ, ଅମୀୟରଞ୍ଜନ ବିଶ୍ବାଳ, ଭିକାରି ଦାସ, ବିଶ୍ବଜିତ ସୂର୍ଯ୍ୟବଂଶୀ, ବିଷ୍ଣୁମୋହନ ଦାସସାମନ୍ତ, ସରୋଜ ସାହୁଙ୍କ ଭଳି ବହୁ ବିଶିଷ୍ଟ ବ୍ୟକ୍ତି ମତ ରଖି ବ୍ୟାପକ ବୃକ୍ଷରୋପଣ ସହ ତାହାର ସୁରକ୍ଷା ଏବଂ ବର୍ଷାଜଳ ସଂରକ୍ଷଣ ଉପରେ ମତ ଦେଇଥିଲେ।

publive-image

କାର୍ଯ୍ୟକ୍ରମରେ ବାରବାଟୀ-କଟକ ବିଧାୟିକା ସୋଫିଆ ଫିରଦୋସ କହିଥିଲେ ଯେ ପରିବେଶ ପଞ୍ଚାୟତରେ କଟକ ପ୍ରସଙ୍ଗକୁ ନେଇ ଯେଉଁ ମତ ପ୍ରକାଶ ପାଇଛି, ତାହାର ସମାଧାନ ଦିଗରେ ସେ ଯଥା ସମ୍ଭବ କାର୍ଯ୍ୟ କରିବେ। ରାଜ୍ୟରେ ସ୍ବତନ୍ତ୍ର ସବୁଜ ନୀତି (ଗ୍ରିନ ପଲିସି) ପ୍ରଣୟନ ଉପରେ ଗୁରୁତ୍ବ ଦେଇ ବିଧାୟିକା ଏ ପ୍ରସଙ୍ଗ ବିଧାନସଭାରେ ମଧ୍ୟ ଉଠାଇବେ ବୋଲି କହିଥିଲେ। ରାଜ୍ୟ ସରକାର ବଜେଟରେ ପରିବେଶର ସୁରକ୍ଷା ପାଇଁ ସ୍ବତନ୍ତ୍ର ପାଣ୍ଠି ରଖିବା ଆବଶ୍ୟକ ବୋଲି ସୋଫିଆ ମତ ଦେଇଥିଲେ। ଅଧିକ ଅମ୍ଳଜାନ ଦେଉଥିବା ଗଛ ଲଗାଇବା, ସୌର ଶକ୍ତିର ବ୍ୟବସ୍ଥା ଓ ବର୍ଷାଜଳ ସଂରକ୍ଷଣ ଦିଗରେ ପଦକ୍ଷେପ ନେବାର ସମୟ ପହଞ୍ଚିଛି ବୋଲି କହିବା ସହିତ ‘ସମ୍ବାଦ’ ଗ୍ରୁପ୍‌ର ‘ପରିବେଶ ପଞ୍ଚାୟତ’ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ବିଧାୟିକା ସୋଫିଆ ଫିର‌ଦୋସ କହିଥିଲେ।

‘ସମ୍ବାଦ’ ଗ୍ରୁପ୍‌ର ସଂପାଦିକା ତନୟା ପଟ୍ଟନାୟକ କହିଥିଲେ ଯେ ଓଡ଼ିଶାର ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀର ପରିବେଶକୁ ଜାଣିବା ସହ ଏହା ଉପରେ ଅଧିକ ତଥ୍ୟ ରଖିବା ହେଉଛି ‘ପରିବେଶ ପଞ୍ଚାୟତ’ର ମୂଳ ଲକ୍ଷ୍ୟ। ରାଜ୍ୟର ୧୪୭ଟି ନିର୍ବାଚନମଣ୍ଡଳୀର ପରିବେଶ ରିପୋର୍ଟ କାର୍ଡ ପ୍ରସ୍ତୁତ କରାଯିବ। କ୍ଲାଇମେଟ୍‌ ଆଟଲାସ୍‌ ପ୍ରସ୍ତୁତ ଦିଗରେ ପଦକ୍ଷେପ ନିଆଯିବ। ରାଜ୍ୟ ସରକାରଙ୍କ ନିକଟରେ ବିଧାୟକମାନେ ତାଙ୍କ ଅଞ୍ଚଳର ରିପୋର୍ଟ କାର୍ଡକୁ ରଖିବା ସହ ସେଗୁଡିକର ସମାଧାନ ଦିଗରେ ଉଦ୍ୟମ କରିବେ। ରାଜ୍ୟ ପରିବେଶକୁ ସୁରକ୍ଷା ଦେବା ପାଇଁ ଓଡ଼ିଶା ସରକାର କ୍ଲାଇମେଟ୍‌ ବଜେଟ୍‌ ବ୍ୟବସ୍ଥା କରିବା ଦିଗରେ ପ୍ରସ୍ତାବ ରଖାଯିବ ବୋଲି ଶ୍ରୀମତୀ ପଟ୍ଟନାୟକ କହିଥିଲେ।