ଝାରସୁଗୁଡ଼ା: ‘ମଣିଷ ଶରୀର ପଞ୍ଚଭୂତରେ ତିଆରି। ମାଟି, ପାଣି, ପବନ, ଆକାଶ ଓ ଅଗ୍ନିକୁ ନେଇ ମଣିଷ ଶରୀର ଗଢ଼ା। ମଣିଷ ନିଜ ସୁବିଧା ପାଇଁ ଏହି ପଞ୍ଚଭୂତକୁ ପ୍ରଦୂଷିତ କରିଚାଲୁଛି। ମଣିଷ କେବଳ ଉପଭୋଗ କରିବାକୁ ଏହି ପୃଥିବୀକୁ ଆସିନି। ବରଂ ପର ପିଢ଼ି ପାଇଁ କିଛି ଛାଡ଼ି ଯିବା ତାହାର କର୍ତ୍ତବ୍ୟ। ଏହି ପଞ୍ଚଭୂତର ସୁରକ୍ଷା ହୋଇ ନ ପାରିଲେ ପୃଥିବୀରେ ଜୀବଜଗତ ହିଁ ରହିବନି’। ଆଜି ବ୍ରଜରାଜନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ରମ୍ପେଲା ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ପରିବେଶ ପଞ୍ଚାୟତରେ ଝାରସୁଗୁଡ଼ା ମହିଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ସରୋଜ କୁଅଁର ମୁଖ୍ୟଅତିଥି ଭାବେ ଯୋଗଦେଇ ଏଭଳି କିଛି ବକ୍ତବ୍ୟ ରଖିଥିଲେ।

Advertisment

କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ସାମାଜିକ କର୍ମୀ ବିରଞ୍ଚି ସାହୁ ଯୋଗଦେଇ ବ୍ୟାପକ ଶିଳ୍ପାୟନ ଓ ଅବିଚାରିତ ଖଣି ଖନନ ଝାରସୁଗୁଡ଼ା ଜିଲ୍ଲା ପାଇଁ କାଳ ସାଜିବ ବୋଲି ମତବ୍ୟକ୍ତ କରିଥିଲେ। ଏବେଠୁ ଲୋକେ ସଚେତନ ନହେଲେ କେତେବେଳେ ଝାରସୁଗୁଡ଼ା ଯେ ଭୂମିକମ୍ପରେ ପ୍ରଭାବିତ ହୋଇ ଭୂ-ଗର୍ଭକୁ ଚାଲିନଯିବ ସେକଥା କିଏ କହିବ। ଶିଳ୍ପପତି, ପୁଞ୍ଜିପତିଙ୍କ ଇଚ୍ଛା ପୂରଣ କରିବାକୁ ଯାଇ ସରକାର ଝାରସୁଗୁଡ଼ା ଜିଲ୍ଲା ଉପରେ ଶିଳ୍ପର ବୋଝ ଲଦି ଦେଉଛନ୍ତି। ବିଗତ ୧୦ ବର୍ଷର ଚିତ୍ରକୁ ଦେଖିଲେ ଝାରସୁଗୁଡ଼ା ଜିଲ୍ଲାରେ ଯେତିକି ଗଛ ଲାଗିଛି, ତା’ଠାରୁ ଢେର ଅଧିକ ଗଛ କଟାଯାଇଛି। କମ୍ପାନିମାନେ ଯେତିକି ବୃକ୍ଷରୋପଣ କରିଥିବା ଦର୍ଶାଉଛନ୍ତି, ପ୍ରକୃତରେ ଯଦି ସେତିକି ଗଛ ଲାଗୁଛି ତେବେ ଯାଉଛି କୁଆଡ଼େ ବୋଲି ଶ୍ରୀ ସାହୁ ପ୍ରଶ୍ନ କରିଥିଲେ।  ମୁଖ୍ୟ ଅତିଥି ଡ. କୁଅଁର ଏକାଧିକ ଉଦାହରଣ ଦେଇ ଜଳବାୟୁ ପରିବର୍ତ୍ତନ ଓ ପରିବେଶ ପ୍ରଦୂଷଣର ସ୍ଥିତି ଲୋକଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। ଝାରସୁଗୁଡ଼ା ଜିଲ୍ଲାରେ ପ୍ରତିବର୍ଷ ଭୂତଳ ଜଳସ୍ତର ୪ ଫୁଟ୍‌ ତଳକୁ ଖସି ଯାଉଥିବା ବେଳେ ଏହାର ସମାଧାନ ନହେଲେ ୨୦୫୦ ମସିହା ବେଳକୁ ଝାରସୁଗୁଡ଼ା ଜିଲ୍ଲା ଏକ ମରୁଭୂମି ପାଲଟି ଯାଇଥିବ ବୋଲି ଡ. କୁଅଁର କହିଥିଲେ। ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ଅରୁଣ ପ୍ରଧାନ ଯୋଗଦେଇ ପରିବେଶ ସୁରକ୍ଷା କଥା କେବଳ ବୈଠକରେ ସୀମିତ ନରହୁ ବୋଲି କହିଥିଲେ। ସ‌ମସ୍ତେ କହୁଛନ୍ତି ଦେଶ ଆଗକୁ ଯାଉଛି, ତାହା ସତ। କିନ୍ତୁ ଆମର ପରିବେଶ ପଛୁଆ ଚାଲୁଛି, ଏହା ବି ସତ। ପରିବେଶ ସୁରକ୍ଷା ନିଜ ଘରୁ ଆରମ୍ଭ କରାଯାଉ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଥିଲେ। ପରିବେଶ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲେ କିଭଳି ନାନା ପ୍ରତିବନ୍ଧକ ସାମନାକୁ ଆସି ଛିଡ଼ା ହେଉଛି ସେନେଇ ସରପଞ୍ଚ ବିମଳା କିଷାନ ମତବ୍ୟକ୍ତ କରିଥିଲେ। ସମିତି ସଭ୍ୟ ସରୋଜ କଲେତ ଓ ରମାକାନ୍ତ ମିର୍ଦ୍ଧା ମଧ୍ୟ ଅନୁରୂପ ପ୍ରସଙ୍ଗ ଦୋହରାଇ ଆମେ ଆଗେ ସଚେତନ ହେଲେ ଅନ୍ୟମାନଙ୍କୁ କରିପାରିବା ବୋଲି କହିଥିଲେ। ସମ୍ବାଦ ଜିଲ୍ଲା ପ୍ରତିନିଧି ତେଜସ୍କର ମହାପାତ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ ଇବ୍‌ ଥର୍ମାଲ ପ୍ରତିନିଧି ସୁରେଶ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ‘ସମ୍ବାଦ’ ପକ୍ଷରୁ ଅଶାନ୍ତ ଜେନା, ଲିଙ୍ଗ ବଢ଼େଇ, କିଶୋର ପିଙ୍ଗ, ଭୋନାଥ ବଢ଼େଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।