ବ୍ୟାସନଗର: ଭିତ୍ତିଭୂମି ବିକାଶ ଓ ସହରୀକରଣ ପାଇଁ ବ୍ୟାପକ ଗଛକଟା ଚାଲିଛି। ବିଷାକ୍ତ ଧୂଆଁ ବାୟୁମଣ୍ଡଳକୁ ପ୍ରଦୂଷିତ କରୁଛି। ରସାୟନିକ ସାର ବ୍ୟବହାର ଯୋଗୁଁ ମାଟିର ଉର୍ବରତା ହ୍ରାସ ପାଉଛି। ଖାଦ୍ୟ ବଦଳରେ ମଣିଷ ବିଷ ଖାଉଛି। ମାଟି, ପାଣି, ପବନ ସବୁ କିଛି ଏବେ ପ୍ରଦୂଷିତ। ଏ ସୁନ୍ଦର ପୃଥିବୀକୁ ରକ୍ଷା କରିବାକୁ ହେବ। ଆଗାମୀ ପିଢ଼ିଙ୍କ ପାଇଁ ଏବେଠାରୁ ସଚେତନ ହେବାକୁ ପଡ଼ିବ। ସମସ୍ତଙ୍କୁ ଏକାଠି ହେବାକୁ ହେବ। ପରିବେଶର ସୁରକ୍ଷା କେବଳ ସରକାର ଓ ସାମାଜିକ ଅନୁଷ୍ଠାନର କାର୍ଯ୍ୟ ନୁହେଁ। ଏହା ପ୍ରତ୍ୟେକ ବ୍ୟକ୍ତିଙ୍କ ଉତ୍ତରଦାୟିତ୍ବ। କୋରେଇ ନିର୍ବାଚନମଣ୍ଡଳୀ ଅଞ୍ଚଳର ଭୂତଳ ଜଳସ୍ତର ହ୍ରାସ ଚିନ୍ତାଜନକ ହୋଇପଡ଼ିଛି। ମାତ୍ରାଧିକ ଭୂତଳ ଜଳ ଉତ୍ତୋଳନ ଯୋଗୁଁ ଏଠାରେ ପାନୀୟ ଜଳ ସଙ୍କଟ ଉପୁଜିଛି। ଶିଳ୍ପାୟନ ଯୋଗୁଁ ବାୟୁ ପ୍ରଦୂଷଣ ବଢ଼ୁଛି। ତାପମାତ୍ରା ବୃଦ୍ଧି ହେଉଛି। ଏହାର ନିରାକରଣ ପାଇଁ ପରିବେଶ କମିଟି ଗଠନ ଅପରିହାର୍ଯ୍ୟ ବୋଲି ‘ସମ୍ବାଦ’ ଗ୍ରୁପ୍‌ ପକ୍ଷରୁ ଅନୁଷ୍ଠିତ ପ୍ରଥମ ‘ପରିବେଶ ପଞ୍ଚାୟତ’ରେ ଯୋଗଦେଇ ବକ୍ତା, ପରିବେଶବିତ୍‌ ମତପୋଷଣ କରିଛନ୍ତି।

Advertisment

ଆଜି କୋରେଇ ନିର୍ବାଚନମଣ୍ଡଳୀର ବ୍ୟାସନଗର ପୌରାଞ୍ଚଳର ବ୍ୟାସସରୋବର ଜଗନ୍ନାଥ ମନ୍ଦିର‌ ପରିସରରେ ପ୍ରଥମ ‘ପରିବେଶ ପଞ୍ଚାୟତ’ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୋ‌ରେଇ ବିଧାୟକ ଆକାଶ ଦାସନାୟକ କୋରେଇରେ ଭୂତଳ ଜଳସ୍ତର ହ୍ରାସ ପାଉଥିବାରୁ ଚିନ୍ତା ପ୍ରକଟ କରିଥିଲେ। ଅନେକ ବୃହତ୍‌ ଶିଳ୍ପାନୁଷ୍ଠାନ ରହିଥିବାରୁ ଭୂତଳ ଜଳ କମୁଛି ବୋଲି ସେ କହିଥିଲେ। ଦଳମତ ନିର୍ବିଶେଷରେ ପ୍ରତି ପଞ୍ଚାୟତରେ ପରିବେଶ ସୁରକ୍ଷା କମିଟି ଗଠନ କରିବାକୁ ବିଧାୟକ ପ୍ରସ୍ତାବ ଦେଇଥିଲେ। ଏହି କମିଟି ବୃକ୍ଷରୋପଣ, ଜଳ ସଂରକ୍ଷଣ ଓ ପ୍ରଦୂଷଣ ନିୟନ୍ତ୍ରଣ କ୍ଷେତ୍ରରେ କାମ କରିବ। ସେହିପରି ବ୍ୟାସନଗର ସହର ସମେତ ବିଭିନ୍ନ ଗ୍ରାମରେ ପାନୀୟଜଳ ସମସ୍ୟାର ସମାଧାନ ପାଇଁ ଯୋକଡ଼ିଆସ୍ଥିତ ଖରସ୍ରୋତା ନଦୀରୁ ବ୍ୟାସନଗରକୁ ଜଳଯୋଗାଣ ପାଇଁ କାମ ଚାଲିଛି। ଏହା ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ ହେବ। ଏହା କାର୍ଯ୍ୟକ୍ଷମ ହେଲେ ଭୂତଳ ଜଳ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ବର୍ଷାଜଳ ସଂରକ୍ଷଣ ପାଇଁ ପଦକ୍ଷେପ ନିଆଯିବ ବୋଲି ବିଧା‌ୟକ ପ୍ରତିଶ୍ରୁତି ଦେଇଥିଲେ।
ପରିବେଶବିତ୍‌ ଅଭିରାମ ଦାସ କହିଥିଲେ, ମଣିଷ ଅର୍ଥାଭାବ ହେଲେ ଜାଣିପାରୁଛି। ମାତ୍ର ପାଣି ଓ ବିଶୁଦ୍ଧ ବାୟୁର ଅଭାବକୁ ଅନୁଭବ କରିପାରୁନି। ଏନେଇ ଲୋକଙ୍କୁ ସଚେତନ ହେବାକୁ ପଡ଼ିବ। କରୋନା ସମୟରେ ଅମ୍ଳଜାନର ଆବଶ୍ୟକତାକୁ ଲୋକେ ଉପଲବ୍ଧି କରିଥିଲେ। ଭଲ ବାୟୁ ବା ଅମ୍ଳଜାନ ପାଇବା ପାଇଁ ହେଲେ ଗଛର ଆବଶ୍ୟକତା ରହିଛି। ଗୋଟିଏ ବରଗଛ ତା’ର ଜୀବନକାଳ ମଧ୍ୟରେ ମଣିଷ ସମାଜକୁ ଯେତିକି ଦେଇଥାଏ, ମଣିଷ ତା’ର ଋଣ କେବେ ପରିଶୋଧ କରିପାରିବ ନାହିଁ ବୋଲି ଶ୍ରୀ ଦାସ କହିଥିଲେ।

‘ସମ୍ବାଦ’ ଗ୍ରୁପ୍‌ ସମ୍ପାଦକ ତନୟା ପଟ୍ଟନାୟକ କହିଥି‌ଲେ, ଜଗନ୍ନାଥଙ୍କ ଆଶୀର୍ବାଦରୁ ମା’ ବିରଜାଙ୍କ କ୍ଷେତ୍ରରୁ ‘ପରି‌ବେଶ ପଞ୍ଚାୟତ’ ଆରମ୍ଭ ହେଲା। ଗତ ତିନିବର୍ଷ ଧରି ‘ସମ୍ବାଦ’ର ‘ପୁନଶ୍ଚ ପୃଥିବୀ’ ପୃଷ୍ଠାରେ ପରିବେଶ ସମ୍ପର୍କିତ ଅନେକ ଖବର ପ୍ରକାଶ ପାଇଛି। ଚଳିତ ବର୍ଷ ଆଉ ପାଦେ ଆଗକୁ ଯାଇ ଏଭଳି ଏକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ପରିବେଶ ସୁରକ୍ଷା ଅଭିଯାନକୁ ଆହୁରି ବ୍ୟାପକ କରାଯିବ। ଏବେ ରାଜ୍ୟର ୧୪୭ଟି ନିର୍ବାଚନମଣ୍ଡଳୀରେ ଏହି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସ୍ଥିର ହୋଇଛି। ଏହି କାର୍ଯ୍ୟକ୍ରମ ଆଗାମୀ ୧୨ବର୍ଷ ଅର୍ଥାତ ୨୦୩୬ ପର୍ଯ୍ୟନ୍ତ ଚାଲିବ। ଏଥିରେ ସାଧାରଣ ଲୋକେ ସାମିଲ ହୋଇ ପରିବେଶ ସମସ୍ୟା ସମ୍ପର୍କରେ ଆଲୋଚନା କଲେ ଏହା ଆନ୍ଦୋଳନର ରୂପ ନେବ। ଆଗାମୀ ପିଢ଼ି ପାଇଁ ଏବେଠାରୁ ଏକାଠି ହେବାକୁ ଆହ୍ବାନ ଦେଇଥିଲେ। ସମସ୍ତେ ନିଜନିଜ ସ୍ତରରେ ଏ ନେଇ ଉଦ୍ୟମ କଲେ ଏକ ସୁସ୍ଥ ଓ ସବୁଜ ପରିବେଶ ସୃଷ୍ଟି ହୋଇପାରିବ ବୋଲି ଶ୍ରୀମତୀ ପଟ୍ଟନାୟକ କହିଥିଲେ। ଏହି କାର୍ଯ୍ୟକ୍ରମରେ ଯାଜପୁର ଅଞ୍ଚଳର ବହୁ ବୁଦ୍ଧିଜୀବୀ, ପରିବେଶପ୍ରେମୀ ଆଲୋଚନାରେ ଭାଗନେଇ ନିଜନିଜର ପ୍ରସ୍ତାବ ରଖିଥିଲେ।