ଭୁବନେଶ୍ବର: ପରିବେଶ ସୁରକ୍ଷା ସମ୍ପର୍କରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଜୁନ୍‌ ୫ ତଥା ବିଶ୍ବ ପରିବେଶ ଦିବସରୁ ‘ସମ୍ବାଦ’ ପକ୍ଷରୁ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯିବ। ଜଳବାୟୁ ପରିବର୍ତ୍ତନ ମୁକାବିଲାକୁ ଆନ୍ଦୋଳନର ରୂପ ଦିଆଯାଇଥିବା ପରିପ୍ରେକ୍ଷୀରେ ଗତବର୍ଷ ଭଳି ଏଥର ମଧ୍ୟ ରାଜ୍ୟର ୧୪୭ଟି ନିର୍ବାଚନମଣ୍ଡଳୀରେ ‘ପରିବେଶ ପଞ୍ଚାୟତ’ ଅନୁଷ୍ଠିତ ହେବ। ଏହି କ୍ରମରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ନିର୍ବାଚନମଣ୍ଡଳୀରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ। ସ୍ଥାନୀୟ ବିଧାୟକ ଧ୍ରୁବଚରଣ ସାହୁ ଓ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସହିତ ଅନ୍ୟ ଅତିଥିମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ପର୍ଯ୍ୟାୟକ୍ରମେ ଅକ୍ଟୋବର ୪ ତାରିଖ ଅର୍ଥାତ୍‌ ୪ ମାସ ମଧ୍ୟରେ ସମସ୍ତ ନିର୍ବାଚନମଣ୍ଡଳୀରେ ବିଧାୟକମାନଙ୍କୁ ସାମିଲ କରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। 

Advertisment

ସ୍ଥାନୀୟ ଅଞ୍ଚଳର ପରିବେଶ ଯୋଦ୍ଧା, ପରିବେଶ କର୍ମୀ, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ସାମିଲ ହୋଇ ନିର୍ବାଚନମଣ୍ଡଳୀର ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ଆଲୋଚନା କରିବେ। ଗତବର୍ଷ ଯେଉଁ ସବୁ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା, ତାହାର ପ୍ରଭାବ କେତେ ପଡ଼ିଛି, ଜନସାଧାରଣଙ୍କଠାରୁ ଆରମ୍ଭ କରି ଲୋକ ପ୍ରତିନିଧି ଏକ୍ଷେତ୍ରରେ କେତେ ସତର୍କ ହୋଇଛନ୍ତି, ତାହାର ସମୀକ୍ଷା ହେବ। ଏଥିସହ ଆସୁଥିବା ଆହ୍ବାନକୁ ମୁକାବିଲା ଲାଗି ରଣନୀତି ଧାର୍ଯ୍ୟ କରିବା ଏହି ପରିବେଶ ପଞ୍ଚାୟତର ମୁଖ୍ୟ ଉଦ୍ଦେଶ୍ୟ ହେବ। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ଲାଗି ‘ସମ୍ବାଦ ଓ କନକ ନ୍ୟୁଜ୍‌’ ସଂପାଦକ ତନୟା ପଟ୍ଟନାୟକ ଅନୁରୋଧ କରିଛନ୍ତି। 

ଅନୁରୂପ ଭାବେ ‘ସମ୍ବାଦ’ ଓ ‘ସମ୍ବାଦ ସାହିତ୍ୟଘର’ ତରଫରୁ ଚଳିତ ବର୍ଷର ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଗତବର୍ଷମାନଙ୍କ ଭଳି ଏବର୍ଷ ମଧ୍ୟ ‘ସମ୍ବାଦ ସାହିତ୍ୟଘର’ର ସଦସ୍ୟ, ଉଦ୍ୟୋକ୍ତା, ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ, ପରିବେଶକୁ ଭଲପାଉଥିବା ବ୍ୟକ୍ତି ଓ ଶୁଭେଚ୍ଛୁମାନଙ୍କୁ ନେଇ ଏହି ଅଭିଯାନ ଆରମ୍ଭ ହେବ। ଅଗଷ୍ଟ ୧୮ ତାରିଖ ଯୁବ ସ୍ବାଭିମାନ ଦିବସରେ ଏହା ଉଦ୍‌ଯାପିତ ହେବ।