ଦଶପଲ୍ଲା: ନୟାଗଡର ରାଜପାଟଣାସ୍ଥିତ ପାୱାର ଗ୍ରିଡ୍‌ ହେଉଛି ଜିଲ୍ଲାର ୮ଟି ବ୍ଲକ୍‌ର ଜୀବନ ରେଖା। ଏହି ଗ୍ରିଡ୍‌ରୁ ଜିଲ୍ଲାର ପ୍ରତ୍ୟେକ ବ୍ଲକ୍‌କୁ ବିଦ୍ୟୁତ୍ ସଂଯୋଗ ହୋଇଛି। କେଉଁଠି ଗଛ ଉପୁଡ଼ିଲେ କିମ୍ବା ମେଘ ପବନ ହେଲେ ଘଣ୍ଟାଘଣ୍ଟା ଧରି ଅନ୍ଧାରରେ ରହୁଛନ୍ତି ଜିଲ୍ଲାବାସୀ। ଖାଲି ସେତିକି ନୁହେଁ ଗ୍ରିଡ୍‌ର ରକ୍ଷଣାବେକ୍ଷଣ ବାବଦରେ ବିଭିନ୍ନ ସମୟରେ ଘଣ୍ଟାଘଣ୍ଟା ଧରି ବିଦ୍ୟୁତ୍ କାଟ୍ ହେଉଥିଲେ ମଧ୍ୟ ଉପଭୋକ୍ତାଙ୍କ ଦୁଃଖ ବୁଘିବାକୁ କେହିନାହାନ୍ତି। ଦିନକୁ ଦିନ ଉପଭୋକ୍ତାଙ୍କ ସଂଖ୍ୟା ବୃଦ୍ଧି ପାଇବା ସହିତ ବିଦ୍ୟୁତ୍ ବ୍ୟବହାର ପରିମାଣ ମଧ୍ୟ ବୃଦ୍ଧି ପାଉଛି। ଯାହାକୁ ନେଇ ଗତ ଗ୍ରୀଷ୍ମ ଦିନେ ଉପଭୋକ୍ତାଙ୍କୁ ଆବଶ୍ୟକ ବିଦ୍ୟୁତ୍ ଯୋଗାଇବାରେ ବିଦ୍ୟୁତ୍‌ ବଣ୍ଟନ କମ୍ପାନି ବିଫଳ ହୋଇଥିଲା। ଏସବୁ ସମସ୍ୟାକୁ ଦୂରେଇବା ପାଇଁ ତଥା ପାୱାର ଗ୍ରିଡ୍‌ ଉପରୁ ବୋଝ କମାଇବା ପାଇଁ ଦଶପଲ୍ଲା ବ୍ଲକ୍‌ର ଟାକରାଠାରେ ଏକ ପାୱାର ଗ୍ରିଡ୍‌ ନିର୍ମାଣ କରାଯାଇଛି। ଗ୍ରିଡ୍‌ର ନିର୍ମାଣ କାର୍ଯ୍ୟ ଶେଷ ହେବା ସହ ଏହାର ଯାଞ୍ଚ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଏହାକୁ କାର୍ଯ୍ୟକ୍ଷମ କରାଯାଇ ପାରୁନି।

Advertisment

ଯାହାକି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ପରିବେଶ ମଞ୍ଜୁରି ମିଳି ପାରୁନଥିବା ହେତୁ ଏହା କାର୍ଯ୍ୟକ୍ଷମ ହେବାରେ ବାଧା ଉପୁଜିଛି। ବିଭାଗୀୟ ଅଧିକାରୀ ତଥା ଆସ୍କା ଡିଭିଜନର ଏସ୍‌ଡିଓ ରବିନାରାୟଣ ଖଟୁଆଙ୍କ କହିବା ଅନୁଯାୟୀ ଟାକରା ପଛ ପାର୍ଶ୍ବରେ ଜଙ୍ଗଲ ରହିଛି। ସେହି ରାସ୍ତା ଅତିକ୍ରମ କରିବା ପାଇଁ ହେଲେ ପରିବେଶ ମଞ୍ଜୁରି ଆବଶ୍ୟକ ପଡ଼ୁଛି। ଯାହାକୁ ନେଇ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟକୁ ଅନୁମତି ମଗାଯାଇଛି। ଅନୁମତି ମିଳିବା ପରେ ଏହା ଭଞ୍ଜନଗରର ମେରା ମୁଣ୍ଡୁଳି ଲାଇନ୍‌କୁ ସଂଯୋଗ କରାଯିବା ପରେ ଏହି ଗ୍ରିଡ୍‌ କାର୍ଯ୍ୟକ୍ଷମ ହୋଇ ପାରିବ ବୋଲି କହିଛନ୍ତି। ୨୦୨୦/୨୧ ଠାରୁ ଏହା କାର୍ଯ୍ୟକ୍ଷମ ହେବାକୁ ଲକ୍ଷ୍ୟ ଧାର୍ଯ୍ୟ ରହିଥିଲେ ମଧ୍ୟ ହୋଇ ପାରୁନଥିବା କହିଛନ୍ତି। ବଡ଼କଥା ହେଉଛି ଏହି ଗ୍ରିଡ୍‌ କାର୍ଯ୍ୟକ୍ଷମ ହେବାପରେ ଜିଲ୍ଲାର ୩ଟି ବ୍ଲକ୍‌ ତଥା ଦଶପଲ୍ଲା, ନୂଆଗାଁ ଓ ଗଣିଆ ବ୍ଲକ୍‌ର ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ବ ବିଦ୍ୟୁତ୍ ଉପଭୋକ୍ତା ଉପକୃତ ହୋଇ ପାରିବେ। ଏଥି ସହିତ ନୟାଗଡ଼ ଗ୍ରିଡ୍‌ ଉପରୁ ବୋଝ କମିବା ସହ ଜିଲ୍ଲାବାସୀ ଆଶ୍ବସ୍ତ ହେବେ ବୋଲି କୁହାଯାଉଛି।