ପଦ୍ମପୁର/ରାୟଗଡ଼ା: ସାମୟିକ ଖୁସି ପାଇଁ ଆମେ ପ୍ରତି ମୁହୂର୍ତ୍ତରେ ପରିବେଶକୁ ବିଭିନ୍ନ ଉପାୟରେ ନଷ୍ଟ କରୁଛୁ। ଏହାକୁ ରୋକାଯିବ ଉଚିତ। ନଚେତ୍ ପୂର୍ବପୁରୁଷ ଦତ୍ତ ସମ୍ପତ୍ତି ଧ୍ବଂସ ହୋଇଯିବ। ଆଗାମୀ ପିଢ଼ି ନିଶ୍ବାସ ପ୍ରଶ୍ବାସ ନେଇ ପାରିବେନି। ପଦ୍ମପୁର ଆରିୟନ ଓ ଜ୍ଞାନଜ୍ୟୋତି ମହାବିଦ୍ୟାଳୟରେ ‘ସମ୍ବାଦ’ ପକ୍ଷରୁ ଅନୁଷ୍ଠିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ଗୁଣପୁର ବିଧାୟକ ସତ୍ୟଜିତ୍ ଗମାଙ୍ଗ।
ଶ୍ରୀ ଗମାଙ୍ଗ କହିଛନ୍ତି, ଗୁଣପୁର କୃଷି ପ୍ରଧାନ ଅଞ୍ଚଳ। ଏଠାକାର ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରନ୍ତି। ଚାଷରୁ ଅଧିକା ଲାଭ ପାଇବା ପାଇଁ ମାତ୍ରାଧିକ କୀଟନାଶକ ଓ ସାର ବ୍ୟବହାର କରୁଛନ୍ତି ଚାଷୀ। ଫଳରେ ଏଠାକାର ଜଳବାୟୁ ବିଗିଡ଼ିଯିବା ସହ ମାଟିର ଉର୍ବରତା କମିଗଲାଣି। ଜଳବାୟୁ ପରିବର୍ତ୍ତନ କାରଣରୁ ଗୁଣପୁର ଏବେ ଜିଲ୍ଲାର ସର୍ବାଧିକ ଉତ୍ତପ୍ତ ଅଞ୍ଚଳରେ ପରିଣତ ହୋଇଛି। ବଂଶଧାରା ନଦୀରୁ ମାତ୍ରାଧିକ ବେଆଇନ ବାଲି ଚାଲାଣ ଯୋଗୁଁ ନଦୀର ଗତିପଥ ପ୍ରତିବର୍ଷ ବଦଳୁଛି।ଏବେଠୁ ସଚେତନ ହୋଇ ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ ନ କଲେ ଏହାର ଭୟାବହ ପରିଣାମ ଭୋଗିବାକୁ ପଡ଼ିବ।
ମୁଖ୍ୟବକ୍ତା ଭାବେ ରାଜ୍ୟସ୍ତରୀୟ ପୁରସ୍କାରପ୍ରାପ୍ତ କୃଷକ ତଥା ଯୁବ କୃଷି ଉଦ୍ୟୋଗୀ ରାଜୀବ ଲୋଚନ ସାହୁ ଯୋଗଦେଇ କହିଛନ୍ତି, ସୁନ୍ଦର ପୃଥିବୀକୁ ଆମେ ପୂର୍ବ ପୁରୁଷଙ୍କଠାରୁ ଉପହାର ରୂପେ ପାଇଥିଲେ। କିନ୍ତୁ ଆମର ଭୁଲ ଯୋଗୁଁ ପ୍ରକୃତିର ପ୍ରମୁଖ ଉପାଦାନ ଜଳ, ବାୟୁ ଓ ମାଟି ନଷ୍ଟ ହୋଇଗଲାଣି। ଜଳବାୟୁ ପରିବର୍ତ୍ତନ କାରଣରୁ ଆମ ଅଞ୍ଚଳରେ ନଦୀ ଥାଇ ବନ୍ୟା ହେଉନାହିଁ। ବର୍ଷା ଅଭାବରୁ ବଡ଼ନାଳ ଜଳସେଚନ ପ୍ରକଳ୍ପରେ ମାତ୍ର ୩୦% ପାଣି ମହଜୁଦ୍ ଅଛି। ସ୍ବାଭାବିକ ବର୍ଷା ନହେଲେ ଜିଲ୍ଲାର ଭାତହାଣ୍ଡି କୁହାଯାଉଥିବା ଗୁଣପୁର ଉପଖଣ୍ଡ ଅଞ୍ଚଳରେ ମରୁଡ଼ି ସ୍ଥିତ ଉପୁଜିବ। ସମ୍ମାନିତ ଅତିଥି ଭାବେ ଗୁଣପୁର ରେଞ୍ଜର ଗଙ୍ଗାଧର ମିଶ୍ର ଯୋଗଦେଇ କହିଲେ, ନିଜେ ଦାୟିତ୍ବ ନେଇ ବୃକ୍ଷରୋପଣ କରିବା ସହ ଏହାର ସୁରକ୍ଷା ମଧ୍ୟ ନେବାକୁ ପଡ଼ିବ। ଶ୍ରୀ ମିଶ୍ର ଏହି ଅବସରରେ ପରିବେଶ ସୁରକ୍ଷା ପାଇଁ ଶପଥ ପାଠ କରାଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଶିକ୍ଷକ ରମେଶ ଚନ୍ଦ୍ର ପଣ୍ଡା, ଆରଜି ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଉଦୟ ଚନ୍ଦ୍ର ସାହୁ, ରସାୟନ ବିଜ୍ଞାନ ଅଧ୍ୟାପକ ରମେଶ ଚନ୍ଦ୍ର ପଣ୍ଡା ଯୋଗଦେଇ ପରିବେଶର ସୁରକ୍ଷା ସମ୍ପର୍କିତ ମତ ଦେଇଥିଲେ। କାର୍ଯ୍ୟକ୍ରମରେ ଜ୍ଞାନଜ୍ୟୋତି ମହାବିଦ୍ୟାଳୟର ପ୍ରିନସିପାଲ୍ ଜନ୍ମେଜୟ ଦାଶ ସଭାପତିତ୍ବ କରିଥିଲେ। ଆରଜି ମହାବିଦ୍ୟାଳୟର ଅଧ୍ୟାପକ ଅଶୋକ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ‘ସମ୍ବାଦ’ର ରାୟଗଡ଼ା ଜିଲ୍ଲା ପ୍ରତିନିଧି ଶିବ ପ୍ରସାଦ ଦୋରା, ପଦ୍ମପୁର ବ୍ଲକ ପ୍ରତିନିଧି ନୀଳମାଧବ ପାଢ଼ୀ, ଗୁଣପୁର କନକ ନ୍ୟୁଜ୍ ପ୍ରତିନିଧି ବିଜୟ କୁମାର ସୁନାମୁଦି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଆରିୟନ ଗ୍ରୁପର ଚେୟାରମ୍ୟାନ୍ ଯଶସ୍ବୀ ଦାଶ, ପ୍ରଶାସନିକ ଅଧିକାରୀ ମନୋଜ ପାତ୍ର, ମହେଶ ପାଟଖଣ୍ଡାଳ, ରବୀନ୍ଦ୍ରନାଥ ମହାପାତ୍ର, ସୁନୀଲ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/21/untitled-12-2025-08-21-06-33-09.jpg)