ପାଟଣା: କେନ୍ଦୁଝରଜିଲ୍ଲା ପାଟଣା ମହାବିଦ୍ୟାଳୟ ପରିସରରେ ଆଜି ‘ସମ୍ବାଦ’ ପକ୍ଷରୁ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ପରିବେଶକୁ ନଷ୍ଟ କରି ବିକାଶ ଆଡ଼କୁ ଧାଇଁବା ମାନବ ସମାଜ ପ୍ରତି ଶୁଭଙ୍କର ନୁହେଁ ବୋଲି କହିଥିଲେ। ମଣିଷ ଜୀବନ ଯେତେ ସୁଖମୟ ହେବାରେ ଲାଗିଛି, ଆମେ ସେତେ ସଙ୍କଟମୁହାଁ ହେଉଛୁ। ଭିତ୍ତିଭୂମିର ବିକାଶ, ରାସ୍ତାଘାଟ, କୋଠାବାଡ଼ି ନିର୍ମାଣ ନାଁରେ ବ୍ୟାପକ ଜଙ୍ଗଲ ନଷ୍ଟ ଏହାର ମୁଖ୍ୟ କାରଣ। ଏଭଳି ସମୟରେ ‘ସମ୍ବାଦ’ ପକ୍ଷରୁ ପୁନଶ୍ଚ ପୃଥିବୀ-ପରିବେଶ ପଞ୍ଚାୟତ ଭଳି ଜନଜାଗରଣ କାର୍ଯ୍ୟକ୍ରମକୁ ବିଧାୟକ ପ୍ରଶଂସା କରି ଗଛଟିଏର ସୁରକ୍ଷା ଓ ଜଙ୍ଗଲ ରକ୍ଷା ଆମ ସମସ୍ତଙ୍କର ପ୍ରାଥମିକତା ହେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ।
ମୁଖ୍ୟବକ୍ତା ‘ସମ୍ବାଦ’ କେନ୍ଦୁଝର ଜିଲ୍ଲା ପ୍ରତିନିଧି ସୁବ୍ରତ ସ୍ୱାଇଁ ଯୋଗ ଦେଇ ମଣିଷର ରୁକ୍ଷ ବ୍ୟବହାର ପାଇଁ ପ୍ରକୃତି ଆଜି ଅଶାନ୍ତ ହେବାରେ ଲାଗିଛି, ବର୍ଷାଋତୁରେ ଆମକୁ ପଙ୍ଖାର ଆଶ୍ରା ନେବାକୁ ପଡୁଛି ଏବଂ ଜଳବାୟୁ ପରିବର୍ତ୍ତନ ସମଗ୍ର ମାନବ ସମାଜ ପ୍ରତି ବିପଦ ସୃଷ୍ଟି କରୁଛି ବୋଲି କହିଥିଲେ। ପରିବେଶ ସନ୍ତୁଳନ ରକ୍ଷା ପାଇଁ ସମସ୍ତେ ଗଛ ଲଗାଇବାକୁ ସେ ଆହ୍ବାନ ଦେଇଥିଲେ। ସମ୍ମାନିତ ଅତିଥି ମହାବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଧର୍ମେନ୍ଦ୍ର କୁମାର ସାହୁ ଜଳବାୟୁ ପରିବର୍ତ୍ତନ ଯୋଗୁ ଜଙ୍ଗଲ ଓ ଝରଣାର ମାଟି କେନ୍ଦୁଝର ଆଜି ଉତ୍ତପ୍ତ ଜିଲ୍ଲା ତାଲିକାରେ ଯୋଡ଼ି ହୋଇଛି ବୋଲି କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ପାଟଣା ରେଞ୍ଜର ବନବିହାରୀ ସର୍ଦ୍ଦାର, ଅଧ୍ୟାପକ ଜଗନ୍ନାଥ ମହାନ୍ତ, ସମିତିସଭ୍ୟ ମୋହନ ସୁନ୍ଦର ମହାନ୍ତ ପ୍ରମୁଖ ଯୋଗ ଦେଇ ‘ସମ୍ବାଦ’ର ଏହି କାର୍ଯ୍ୟକ୍ରମ ଓ ପ୍ରତିଷ୍ଠାତା ସୌମ୍ୟରଂଜନ ପଟ୍ଟନାୟକଙ୍କୁ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ପାଟଣା ‘ସମ୍ବାଦ’ ପ୍ରତିନିଧି ମହେଶ୍ୱର ପୃଷ୍ଟି ଅଧ୍ୟକ୍ଷତା କରିଥିବାବେଳେ ବିଜ୍ଞାପନ ଅଧିକାରୀ ପାର୍ଥସାରଥୀ ନାୟକ ଧନ୍ୟବାଦ ଦେଇଥିଲେ। ସଭା ପରେ ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା। ମୁଖ୍ୟ ଅତିଥି ବିଧାୟକ ଅଖିଳ ଚନ୍ଦ୍ର ନାଏକ ଏହାର ଶୁଭାରମ୍ଭ କରିଥିଲେ।