ସୁନ୍ଦରଗଡ଼/ହେମଗିର: ଜନଶୁଣାଣି ସଭାରେ ଏମ୍‌ସିଏଲ୍‌ ଖଣି ପ୍ରଭାବିତ ଗାଁ ଲୋକଙ୍କୁ ପଶିବାକୁ ଦେଲେନି। ପୁଲିସ ଲଗାଇ ଗାଁମୁଣ୍ଡରେ ଜୋରଜବରଦସ୍ତ ଅଟକାଇ ଦେଲେ। ଆଉ ଏମ୍‌ସିଏଲ୍‌ରେ ଚାକିରି କରୁଥିବା ଲୋକଙ୍କୁ ନେଇ ସାରିଦେଲେ ଜନଶୁଣାଣି। ଗାଁ ଲୋକଙ୍କୁ ପୁଲିସ ଛାଡ଼ିଲାବେଳକୁ ସେପଟେ ସଭା ଶେଷ। ହାଇକୋର୍ଟଙ୍କ ଆଦେଶରେ ମହାନଦୀ କୋଇଲା ଖଣି କମ୍ପାନି (ଏମ୍‌ସିଏଲ୍‌) ଇବ୍‌ ଭ୍ୟାଲିର କୁଲଡ଼ା ଖୋଲାମୁହଁ କୋଇଲାଖଣି କ୍ଷେତ୍ରର ଖଣି ପରିମିତ ଅଞ୍ଚଳ ବୃଦ୍ଧି ପାଇଁ ୧୮ ତାରିଖରୁ ୫ଟି ପ୍ରଭାବିତ ଗାଁରେ ପରିବେଶଜନିତ ଜନଶୁଣାଣି ଚାଲିଥିବାବେଳେ ଆଜି ଅନ୍ତିମ ଦିନରେ ତୁମୁଲିଆ ଗାଁ ବରପଡ଼ା ପଡ଼ିଆରେ ଆୟୋଜିତ ସଭାରେ ଏମିତି  ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଯାହାକୁ ନେଇ ତୁମୁଲିଆ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଜନଶୁଣାଣି ନାଁରେ ପ୍ରଶାସନ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଏମ୍‌ସିଏଲ୍‌ ପ୍ରହସନ କରିଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଥିଲେ। ଲୋକଙ୍କ ମତ ନ ନେଇ ଏମ୍‌ସିଏଲ୍‌କୁ ଜମି ଦେବା ଷଡ଼୍‌ଯନ୍ତ୍ରକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ଗାଁ ଲୋକେ ଆଜି ରୋକଠୋକ ଶୁଣାଇ ଦେଇଛନ୍ତି। କେବଳ ସେତିକି ନୁହେଁ, ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ‘ପେସା’ ଆଇନ ଓ ଜଙ୍ଗଲ ଅଧିକାର ଆଇନ ଅନୁସାରେ ଏଠାକାର ଅଧିବାସୀ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରୁଥିବାରୁ ବିନା ଗ୍ରାମସଭା, ବିନା ଥାଇଥାନରେ ହେଉଥିବା ଜନଶୁଣାଣିକୁ ସମ୍ପୂର୍ଣ୍ଣ ବାତିଲ କରିବା ଲାଗି ଦାବି କରିଛନ୍ତି।

ଏମ୍‌ସିଏଲ୍‌ କର୍ମଚାରୀଙ୍କୁ ନେଇ ଶୁଣାଣି
ଗାଁରେ ଉତ୍ତେଜନା, ଶୁଣାଣି ବାତିଲ ଦାବି 

Advertisment

ଉଲ୍ଲେଖଯୋଗ୍ୟ, କୁଲଡ଼ା ଖଣିକ୍ଷେତ୍ରରେ ବାର୍ଷିକ ୨୧ ମିଲିୟନ ଟନ୍‌ କୋଇଲା ଉତ୍ପାଦନ ବଳବତ୍ତର ରଖିବାକୁ ୬୩୪.୨୦୫ ହେକ୍ଟର ପରିମିତ ଅଞ୍ଚଳରୁ ୯୨୧.୩୦୫ ହେକ୍ଟରକୁ ବୃଦ୍ଧି କରିବାକୁ ସ୍ଥିର ‌ହୋଇଛି। ଏହି ଅଞ୍ଚଳ ଲାଲମା ସଂରକ୍ଷିତ ଜଙ୍ଗଲରେ ଆସୁଥିବାରୁ ଏଥିରେ ନିର୍ଭର କରୁଥିବା ଛଟେନପାଲି ଥଇଥାନ କଲୋନିରେ ରହୁଥିବା ସିଆରମାଲ, କୁଇସିରା, ବାଙ୍କିବାହାଲ, ସରଡେଗା ଓ ତୁମୁଲିଆ ଗାଁଲୋକଙ୍କୁ ନେଇ ପରିବେଶ ମଞ୍ଜୁରି ପାଇଁ ଆବଶ୍ୟକ ଜନଶୁଣାଣି କରିବାକୁ ଜିଲ୍ଲାପାଳ ୨୧.୬.୨୦୨୪ ଓ ୪.୭.୨୦୨୪ରେ ନୋଟିସ୍‌ କରିଥିଲେ। ତେବେ ପ୍ରଭାବିତ ଗାଁଗୁଡ଼ିକର ୧୦ କିଲୋମିଟର ଦୂର ଏମ୍‌ସିଏଲ୍‌ ବସୁନ୍ଧରା ଷ୍ଟାଡିୟମରେ ଏହାର ଆୟୋଜନ ପାଇଁ ସ୍ଥିର କରାଯାଇଥିବାରୁ ଲୋକେ ବିରୋଧ କରିଥିଲେ। ଖଣି ପ୍ରଭାବିତ ତୁମୁଲିଆ ଓ ସରଡେଗା ତରଫରୁ ଏହା ବିରୋଧରେ ହାଇକୋର୍ଟରେ ଅର୍ଜି ଦିଆଯାଇଥିଲା। ଖଣି ପ୍ରଭାବିତ ଗାଁ ନିକଟରେ ଜନଶୁଣାଣି ଆୟୋଜନ ପାଇଁ ଆଦେଶ କରିବାକୁ ଅର୍ଜିରେ ଅନୁରୋଧ କରାଯାଇଥିଲା। କୋର୍ଟ ୫ଟି ଗାଁରେ ସ୍ବତନ୍ତ୍ର ଜନଶୁଣାଣି କରିବାକୁ ୩.୧୦.୨୦୨୪ରେ ଆଦେଶ କରିଥିଲେ।

ଏହି ଅନୁସାରେ ୧୮ ତାରିଖରୁ ବିଭିନ୍ନ ଗାଁରେ ଜନଶୁଣାଣି ଚାଲିଥିଲା। ୨୦ ତାରିଖ ଗୁରୁବାର ତୁମୁଲିଆରେ ଜନଶୁଣାଣି ଥିଲା। ଗାଁଠାରୁ ୧ କିଲୋମିଟର ଦୂର ବରପଡ଼ା ପଡ଼ିଆରେ ସଭା ଆୟୋଜିତ ହୋଇଥିବା ବେଳେ ସକାଳେ ୩ଟି ବସ୍‌ ଓ ୩୦ଟି ଚାରିଚକିଆ ଯାନରେ ଏମ୍‌ସିଏଲ୍‌ରେ ଚାକିରି କରୁଥିବା ବିସ୍ଥାପିତ କର୍ମଚାରୀଙ୍କୁ ଅଣାଯାଇଥିଲା। ଗାଁ ଲୋକେ ସଭାସ୍ଥଳକୁ ଗଲାବେଳକୁ ଗାଁ ମୁଣ୍ଡରେ ପୁଲିସ ସମୟ ହୋଇନି କହି ସମସ୍ତଙ୍କୁ ଅଟକାଇ ଦେଇଥିଲା।