ବଲାଙ୍ଗୀର/ଦେଓଗାଁ: ଜଳବାୟୁ ପରିବର୍ତ୍ତନ କେବଳ ବଡ଼ ଓ ବିକଶିତ ରାଷ୍ଟ୍ରର ଚିନ୍ତା ନୁହେଁ। ଛୋଟଛୋଟ ଗାଁରେ ମଧ୍ୟ ଏ ନେଇ ଉଦ୍‌ବେଗ ପ୍ରକାଶ ପାଉଛି। ଗାଁ ଗହଳିରେ ଲୋକେ କ୍ରମଶଃ ପରିବେଶ ସୁରକ୍ଷା ସଂକ୍ରାନ୍ତରେ ସଚେତନ ‌ହେଉଛନ୍ତି। ଏହି ଦିଗରେ ‘ସମ୍ବାଦ’ର ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମ ଉଲ୍ଲେଖନୀୟ। ତୃଣମୂଳ ସ୍ତରରେ ସଚେତନତା ଲାଭ କଲେ ହିଁ ପରିବେଶ ବଞ୍ଚିବ ବୋଲି ବଲାଙ୍ଗୀର ସଦର ବ୍ଲକ୍‌ ଅନ୍ତର୍ଗତ ଚାନ୍ଦିଲି ପାହାଡ଼ ପାଦଦେଶରେ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବିଧାୟକ କଳିକେଶ ନାରାୟଣ ସିଂହଦେଓ ମତବ୍ୟକ୍ତ କରିଛନ୍ତି। ଶ୍ରୀ ସିଂହଦେଓ ଆହୁରି କହିଥିଲେ ଯେ ସୁସ୍ଥ ପରିବେଶରେ ବଞ୍ଚିବା ପାଇଁ ମଣିଷର ଯେଭଳି ଅଧିକାର ରହିଛି, କୀଟପତଙ୍ଗ, ଜୀବଜନ୍ତୁ ମଧ୍ୟ ସମାନ ଅଧିକାର ରଖୁଛନ୍ତି।

Advertisment

ପରିବେଶ ସୁରକ୍ଷା ଉଦ୍ୟମ ପ୍ରଥମେ ନିଜ‌ଆଡ଼ୁ ହେଉ: କଳିକେଶ

ଏହି ଅଧିକାରକୁ ସଂରକ୍ଷିତ ରଖି ପରିବେଶକୁ ସୁରକ୍ଷା ଦେବା ସମସ୍ତଙ୍କର ଦାୟିତ୍ବ। ଏହି ପ୍ରୟାସ ପ୍ରଥମେ ନିଜସ୍ବ ହେବା ଆବଶ୍ୟକ। ନିଜେ ପ୍ରୟାସ କଲେ ହିଁ ଏହା ସଂପ୍ରସାରିତ ହେବ ବୋଲି ସେ କହିଥିଲେ। ଆଲୋଚନାରେ ଭାଗ ନେଇ ବରିଷ୍ଠ ନେତା ଲକ୍ଷ୍ମଣ ମେହେର ଗ୍ରାମାଞ୍ଚଳରେ ଜଙ୍ଗଲ ହ୍ରାସ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ପରିବେଶ ନଷ୍ଟ ହେଲେ ମାନବ ଜାତିର ଅଧୋଗତି ହେବ। ଶିବ ପୁରାଣରେ ମଧ୍ୟ ବୃକ୍ଷରୋପଣର ମହିମା ରହିଛି। ଗୋଟିଏ ଦେବାଳୟ ତୋଳିବାଠାରୁ ଶହେ ଗୁଣା ଅଧିକ ପୁଣ୍ୟ ଗୋଟିଏ ଗଛ ଲଗାଇଲେ ମିଳେ ବୋଲି ବର୍ଣ୍ଣିତ ରହିଛି। ଏବେଠାରୁ ସଚେତନ ହୋଇ ପ୍ରୟାସ ନ କଲେ ଆଗାମୀ ପିଢ଼ି ଏକ ଅସ୍ବାସ୍ଥ୍ୟକର ପରିବେଶରେ ବଞ୍ଚିବ ବୋଲି ସେ ମତ ରଖିଥିଲେ। ଦେଓଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୟାନିଧି ଖମାରୀ ପରିବେଶ ଓ ସମାଜ ମଧ୍ୟରେ ସନ୍ତୁଳନ ରଖିବା ସକାଶେ ବୃକ୍ଷରୋପଣ ହିଁ ଏକମାତ୍ର ମାଧ୍ୟମ ବୋଲି କହିଥିଲେ। ‘ସମ୍ବାଦ’ ଜିଲ୍ଲା ପ୍ରତିନିଧି ଅଞ୍ଜନ ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଦେଓଗାଁ ପ୍ରତିନିଧି କିଶୋର ସାହୁ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ କନକ ନ୍ୟୁଜ୍‌ କ୍ୟାମେରାମ୍ୟାନ୍‌ ସୁବ୍ରତ ନାଏକ, ଶେଷଦେବ ମେର୍ଲି ସହଯୋଗ କରିଥିଲେ।