ଗଡ଼ପୋଷ: ଆମ ପିଲାବେଳେ ଯେମିତି ସବୁଜ ସୁନ୍ଦର ପରିବେଶ ଥିଲା, ଆଜି ସେଭଳି ନାହିଁ। ପରିବେଶ ସୁରକ୍ଷିତ ରହିଲେ ମାନବ ସମାଜ ତିଷ୍ଠି ରହିପାରିବ। କେବଳ ସରକାରଙ୍କ ଉପରେ ଛାଡ଼ିଦେଲେ ଚଳିବ ନାହିଁ, ଏଥି ପାଇଁ ଜନ ସହଯୋଗର ଆବଶ୍ୟକତା ରହିଛି। ସମସ୍ତଙ୍କ ସହଯୋଗ ରହିଲେ ‘ପୁନଶ୍ଚ ପୃଥିବୀ’ର ସ୍ବପ୍ନ ସମ୍ଭବ ହୋଇପାରିବ ବୋଲି ‘ସମ୍ବାଦ’ ପକ୍ଷରୁ ଆୟୋଜିତ ‘ପରିବେଶ ପଞ୍ଚାୟତ’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ବଲପୁରଜିଲ୍ଲା ପରିଷଦ ସଭାପତି କୁମୁଦିନୀ ନାୟକ କହିଛନ୍ତି।
ବିକାଶ ଅଧିକ ଓ ବିନାଶ କମ୍ ହେଉ: ସୌମ୍ୟରଂଜନ
ପରିବେଶ ସୁରକ୍ଷାରେ ସମସ୍ତେ ସାମିଲ ହୁଅନ୍ତୁ: ଗୌରବମୟ
ବନ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ପ୍ରମୁଖ କର୍ତ୍ତବ୍ୟ ହେଉ: ସୁବାସ
ସୋମବାର ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବିଧାନସଭା କ୍ଷେତ୍ର ଅନ୍ତର୍ଗତ ବାମରା ବ୍ଲକ୍ ଗଡ଼ପୋଷ ପିଏମ୍ଶ୍ରୀ ହାଇସ୍କୁଲ ପରିସରରେ ଆୟୋଜିତ ‘ପରିବେଶ ପଞ୍ଚାୟତ’ରେ ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ନାୟକ କହିଲେ, ସରକାର ଆସିବ, ଯିବ। କିନ୍ତୁ ସରକାରୀ ଯୋଜନାର ସଫଳ ରୂପାୟନ ଦିଗରେ ମୋର ପ୍ରୟାସ ଜାରି ରହିବ। ପରିବେଶ ସୁରକ୍ଷା ଓ ଆମର ଆଗାମୀ ପିଢ଼ିକୁ ଏକ ସୁନ୍ଦର ପୃଥିବୀ ଉପହାର ଦେବାରେ ମୋର କର୍ତ୍ତବ୍ୟ ସର୍ବଦା ଅପରିବର୍ତ୍ତିତ ରହିବ। ଜନସଚେତନତା ପାଇଁ ‘ପରିବେଶ ପଞ୍ଚାୟତ’ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ଏଥିପାଇଁ ‘ସମ୍ବାଦ’ ପରିବାରକୁ ମୁଁ ଧନ୍ୟବାଦ ଦେଉଛି ବୋଲି ଶ୍ରୀମତୀ ନାୟକ କହିଥିଲେ। ସଭାରେ ଅଧ୍ୟକ୍ଷତା କରି ‘ସମ୍ବାଦ’ ଗ୍ରୁପ୍ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ଏବେ ବିକାଶ ନାମରେ ଅଧିକ ବିନାଶ କରାଯାଉଛି। ସବୁଜ ସୁନ୍ଦର ପୃଥିବୀକୁ ନଷ୍ଟ କରିବାକୁ ପ୍ରୟାସ ଚାଲିଛି। ବ୍ୟାପକ ଗଛ କଟାଯାଉଛି। ବିକାଶ ଅଧିକ ହେଉ, ବିନାଶ କମ୍ ହେଉ। ଆମେ ଜନ୍ମ ନେଲା ସମୟରେ ପୃଥିବୀ ଯେମିତି ଥିଲା, ସଂସାର ତ୍ୟାଗ କରିବା ସମୟରେ ଯଦି ତା’ଠୁ ଅଧିକ ସୁନ୍ଦର ରହିଛି, ତା’ହେଲେ ଆମ ଜୀବନ ସଫଳ ହେଲା ବୋଲି ଭାବିବା। ଭୂତଳ ଜଳସ୍ତର କମୁଛି, ତାପମାତ୍ରା ସାଂଘାତିକ ଭାବେ ବଢ଼ି ଚାଲିଛି। ଆଗରୁ ଟିଟଲାଗଡ଼କୁ ‘ତତଲାଗଡ଼’ କୁହାଯାଉଥିଲା। ଏବେ ତ ଭୁବନେଶ୍ବରରେ ତାପମାତ୍ରା ୪୫ ଡିଗ୍ରି ହେଲାଣି। ତେଣୁ ଆମ ପରବର୍ତ୍ତୀ ପିଢ଼ିକୁ ତତଲା କଡ଼େଇରେ ଭାଜି ହେବାରୁ ମୁକ୍ତି ଦେବା ପାଇଁ ପରିବେଶ ସୁରକ୍ଷା ଦିଗରେ ଆଗେଇ ଆସିବାକୁ ଶ୍ରୀ ପଟ୍ଟନାୟକ ଆହ୍ବାନ ଦେଇଥିଲେ।
ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କୁଚିଣ୍ଡା ଉପଜିଲ୍ଲାପାଳ ଡ. ଗୌରବମୟ ପ୍ରଧାନ କହିଲେ, ସବୁଜ ସୁନ୍ଦର ପରିବେଶ ନଷ୍ଟ ହେବା ବର୍ତ୍ତମାନ ସମୟର ସବୁଠୁ ବଡ଼ ଆହ୍ବାନ। ସାରା ବିଶ୍ବ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ବିପର୍ଯ୍ୟୟ ପରିଚାଳନା ମଧ୍ୟ ଚ୍ୟାଲେଞ୍ଜ ସୃଷ୍ଟି କଲାଣି। ସବୁବର୍ଗର ଲୋକଙ୍କ ସହାୟତା ମିଳିଲେ ପରିବେଶ ସୁରକ୍ଷା ଅଭିଯାନ ସଫଳ ହେବ ବୋଲି ଡ. ପ୍ରଧାନ କହିଥିଲେ। ମୁଖ୍ୟବକ୍ତା ଭାବେ ଯୋଗଦେଇ ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ତଥା ପ୍ରକୃତିବନ୍ଧୁ ସୁବାସ ଚନ୍ଦ୍ର ନାଏକ କହିଲେ, ଯୁଗଯୁଗ ପୂର୍ବରୁ ସାଧୁ ସନ୍ନ୍ୟାସୀ ବୃକ୍ଷର ମହତ୍ତ୍ବକୁ ବୁଝି ଦେବତା ମାନ୍ୟତା ଦେଇଥିଲେ। ଯେତିକି ଦ୍ରୁତ ଗତିରେ ଆମେ ବିକାଶ କରୁଛୁ, ସେତିକି ଦ୍ରୁତ ଗତିରେ ପରିବେଶ ନଷ୍ଟ ହେଉଛି। ବନ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ଦିଗରେ ପ୍ରୟାସ କରିବାକୁ ସେ ଆହ୍ବାନ ଦେଇଥିଲେ। ‘ସମ୍ବାଦ’ ପଶ୍ଚିମ ଓଡ଼ିଶା ସଂସ୍କରଣର ଡିଜିଏମ୍ ସୁବ୍ରତ ନାୟକ କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିବା ବେଳେ ବରିଷ୍ଠ ଜିଲ୍ଲା ପ୍ରତିନିଧି ରତ୍ନାକର ଭୋଇ ସ୍ବାଗତ ଭାଷଣ ଏବଂ ଏଜିଏମ୍ ଗଜେନ୍ଦ୍ରନାଥ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ। ଗଡ଼ପୋଷ ‘ସମ୍ବାଦ’ ପ୍ରତିନିଧି ସତୀଶ ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବୃକ୍ଷରୋପଣ ସହିତ ରକ୍ତଦାନ ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା।