ବରଗଡ଼: ପରିବେଶ ସୁରକ୍ଷା ପାଇଁ ସମସ୍ତେ ଚିନ୍ତିତ ଓ ଚେଷ୍ଟିତ। ହେଲେ ଏହି ଆନ୍ଦୋଳନକୁ ଠିକଣା ବାଟରେ ଆଗେଇବାକୁ ହେବ। ‘ସମ୍ବାଦ’ ଏହାର ନେତୃତ୍ବ ନେଇଛି। ଗନ୍ଧମାର୍ଦ୍ଦନ ସୁରକ୍ଷା ପାଇଁ ଯେଭଳି ଏକ ଜନଆନ୍ଦୋଳନ ମୁଣ୍ଡ ଟେକିଥିଲା, ଏବେ ‘ପରିବେଶ ପଞ୍ଚାୟତ’ ମ‌ାଧ୍ୟମରେ ସମାନ ପ୍ରକ୍ରିୟା ଆରମ୍ଭ ହୋଇଛି। ମାଟି ଓ ଭାଷାର ଅସ୍ମିତା ପାଇଁ ଲଢ଼େଇ କରୁଥିବା ‘ସମ୍ବାଦ’ ପରିବେଶ ସୁରକ୍ଷା ପାଇଁ ଆଗେଇ ଆସିବା ଶୁଭଙ୍କର ବୋଲି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ମତବ୍ୟକ୍ତ କରିଛନ୍ତି। ରବିବାର ବରଗଡ଼ ଜିଲ୍ଲା ପାଇକମାଳସ୍ଥିତ କସ୍ତୁରବା ଗାନ୍ଧୀ ମାତୃ ନିକେତନଠାରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶ୍ରୀ ପୁରୋହିତ କହିଥିଲେ, ଗନ୍ଧମାର୍ଦ୍ଦନରୁ ବାଲ୍‌କୋ ହଟାଓ ଆନ୍ଦୋଳନ ଦେଶରେ ଏକ ସଫଳ ଜନଆନ୍ଦୋଳନ ଭାବେ ପରିଗଣିତ। କମ୍ପାନି ଏଠାରେ ୫୨ କୋଟି ଟଙ୍କା ଖର୍ଚ୍ଚ କରିସାରିଥିଲା। ୪୭ ବର୍ଷର ଖଣି ପଟ୍ଟା ପାଇସାରିଥିଲା। କିନ୍ତୁ ଲୋକେ ସଂଗଠିତ ହୋଇ ଆନ୍ଦୋଳନ ଜରିଆରେ ବାଲ୍‌କୋକୁ ହଟାଇଥିଲେ। ପରିବେଶ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ବାଲ୍‌କୋ ଆନ୍ଦୋଳନର ପ୍ରତିବିମ୍ବ ‘ସମ୍ବାଦ’ର ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଛି। ବର୍ତ୍ତମାନ ବିକାଶ ରାସ୍ତାରେ ବିନାଶର ବାଟ ଖୋଳା ଚାଲିଛି। ଏହାର ସନ୍ତୁଳନ ପାଇଁ ‘ସମ୍ବାଦ’ର ପ୍ରଚେଷ୍ଟା ପ୍ରଶଂସନୀୟ ବୋଲି ସେ କହିଥିଲେ। 

Advertisment

ଅନ୍ୟମନସ୍କ ହେବା ସମୟର ଆହ୍ବାନ: ସୌମ୍ୟରଂଜନ
ପରିବେଶ ସୁରକ୍ଷା ଦିଗରେ ‘ସମ୍ବାଦ’ ସେନାପତି: ଡିଏଫ୍‌ଓ

କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ଯୁବପିଢ଼ିଙ୍କୁ ଅନ୍ୟମନସ୍କ ହେବାକୁ ପରାମର୍ଶ ଦେଇଥିଲେ। ଶ୍ରୀ ପଟ୍ଟନାୟକ ଯୁକ୍ତି ଦର୍ଶାଇଥିଲେ, ବର୍ତ୍ତମାନ ବିକାଶ ଓ ବିନାଶର ଗଣିତ ବୁଝିବା କାଠିକର ପାଠ। ଏଭଳି ସ୍ଥିତିରେ ମଣିଷ ନିଜ କଥା ଚିନ୍ତା ନ କରି ଅନ୍ୟମନସ୍କ ହେବାକୁ ପଡ଼ିବ। ଅନ୍ୟମନସ୍କ ହେଲେ ଅନ୍ୟର କଥା ତଥା ପରିବେଶ ସୁରକ୍ଷା କଥା ମନକୁ ଆସିବ। ପରିବେଶ ସୁରକ୍ଷା ପାଇଁ କେବଳ ସରକାରଙ୍କ ଉପରେ ନିର୍ଭରଶୀଳ ହେବା ଉଚିତ ନୁହେଁ। ଭବିଷ୍ୟତ ପିଢ଼ିକୁ ଏକ ସୁସ୍ଥ ପରିବେଶ ସମ୍ପ୍ରସାରିତ କରିବା ସମସ୍ତଙ୍କର ଦାୟିତ୍ବ। ନଚେତ୍, ଆଗାମୀ ପିଢ଼ି ଏକ ଦୁଃସ୍ଥ ପରିବେଶର ଉତ୍ତରାଧିକାରୀ ହେବ। ତେଣୁ ଅନ୍ୟମନସ୍କ ହେବା ସମୟର ଆହ୍ବାନ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ମୁଖ୍ୟବକ୍ତା ବରଗଡ଼ ଡିଏଫ୍‌ଓ ବିକ୍ରମଦେବ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ଏକ ଉଦ୍‌ବେଗଜନକ ଚିତ୍ର ଦେଇଥିଲେ। ଜିଲ୍ଲାର ଭୌଗୋଳିକ ପରିସୀମାର ୩୩ ପ୍ରତିଶତ ସବୁଜିମା ରହିବା କଥା।

ହେଲେ ବରଗଡ଼ରେ ଏହା ମାତ୍ର ୧୮ ପ୍ରତିଶତ ରହିଛି। ଆଗକୁ ଜିଲ୍ଲାରେ ୨.୮୩ ଲକ୍ଷ ଚାରାରୋପଣ କରାଯିବ ଏବଂ ୯ ଲକ୍ଷ ଚାରା ବଣ୍ଟନ କରାଯିବ ବୋଲି ସେ ସୂଚନା ଦେଇଥିଲେ। ବ୍ୟାପକ ବୃକ୍ଷରୋପଣ ଏବଂ ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ କରି ଏହି ଦିଗରେ ‘ସମ୍ବାଦ’ ସେନାପତି ସାଜିଛି ବୋଲି ସେ କହିଥିଲେ। ସମ୍ମାନିତ ଅତିଥି ନୃସିଂହନାଥ ମନ୍ଦିର ପରିଚାଳନା ଟ୍ରଷ୍ଟର ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ, କସ୍ତୁରବା ଗାନ୍ଧୀ ମାତୃନିକେତନର ସଭାପତି ସ୍ବର୍ଣ୍ଣପ୍ରଭା ପାଣିଗ୍ରାହୀ ଏବଂ ପାଇକମାଳ ବିଡିଓ ପ୍ରଫୁଲ୍ଲ ଅଦୁ ପରିବେଶ ସୁରକ୍ଷା ଦିଗରେ ‘ସମ୍ବାଦ’ର ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ। ପ୍ରାରମ୍ଭରେ ‘ସମ୍ବାଦ’ ପଶ୍ଚିମ ଓଡ଼ିଶା ସଂସ୍କରଣର ଉପମହାପ୍ରବନ୍ଧକ (ବାର୍ତ୍ତା) ସୁବ୍ରତ ନାୟକ ସ୍ବାଗତ ଭାଷଣ ସହ ଅତିଥି ପରିଚୟ ଦେଇଥିଲେ। ପରିବେଶବିତ୍‌ ଅଜିତ ପାଣିଗ୍ରାହୀ ପରିବେଶ ସଂଗୀତ ଗାନ କରିଥିଲେ। ଜିଲ୍ଲା ପ୍ରତିନିଧି ବିଶ୍ବଜିତ ଦାଶ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଏଜିଏମ୍‌ ଗଜେନ୍ଦ୍ରନାଥ ମଲ୍ଲିକ ଧନ୍ୟବାଦ ଦେଇଥିଲେ।