ରାୟଗଡ଼ା: କଳକାରଖାନା ଯୋଗୁଁ ବଢ଼ୁଛି କଂକ୍ରିଟ୍ ଜଙ୍ଗଲ। ଯାହାର ପ୍ରଭାବ ପରିବେଶ ଉପରେ ପଡ଼ୁଛି। ନାଗାବଳୀ ନଦୀ ଜଳ ବିଷାକ୍ତ ହେବା ସହିତ ଭୂତଳ ଜଳସ୍ତର ଖସିବାରେ ଲାଗିଛି। ଏଥି ପ୍ରତି ଆମ ସମସ୍ତେ ସତର୍କ ହୋଇ ଶିଳ୍ପାନୁଷ୍ଠାନଗୁଡ଼ିକୁ ପ୍ରଶ୍ନ ପଚାରିବାର ସମୟ ଆସିଛି। ଯଦି ଏଠାକାର କମ୍ପାନି ପରିବେଶର ସୁରକ୍ଷା ପ୍ରତି ଉତ୍ତରଦାୟୀ ହେବେନି ତେବେ ଆମକୁ ଧ୍ବଂସ ମୁଖକୁ ଯିବାକୁ ଅଧିକା ସମୟ ଲାଗିବନି।
ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ରାୟଗଡ଼ା ବିଧାୟକ ଆପଲାସ୍ବାମୀ କାଡ୍ରାକା। ବିଶ୍ବବିଦ୍ୟାଳୟ ନିର୍ଦ୍ଦେଶକ ଡ. ରାଜେଶ କୁମାର ପାଢ଼ୀଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ କାଡ୍ରାକା କହିଲେ, ରାୟଗଡ଼ା ଜିଲ୍ଲାରେ ଥିବା ଶିଳ୍ପାନୁଷ୍ଠାନଗୁଡ଼ିକ ବିକାଶ ନାଁରେ ପରିବେଶର କ୍ଷତି କରୁଛନ୍ତି। ଜଙ୍ଗଲ ଧ୍ବଂସ କାରଣରୁ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସମସ୍ତେ ଅନୁଭବ କରୁଛନ୍ତି। କମ୍ପାନିଗୁଡ଼ିକୁ ଉତ୍ତରଦାୟୀ ନ କଲେ ଆଗାମୀ ବଂଶଧରକୁ ଅନ୍ଧାର ଭିତରକୁ ଠେଲି ଦେବା ଭଳି ସ୍ଥିତି ଉପୁଜିବ। ପରିବେଶର ସୁରକ୍ଷା ପାଇଁ ନିଜ ଅଞ୍ଚଳରେ ଗଛ ଲଗାଇବା ସହ ୪ବର୍ଷ ଧରି ପରିବାର ସଦସ୍ୟ ଭଳି ଗଛର ଦାୟିତ୍ବ ନିଅନ୍ତୁ ବୋଲି ବିଧାୟକ କହିଥିଲେ। ମୁଖ୍ୟବକ୍ତା ଭାବେ ରାୟଗଡ଼ା ସ୍ବଂୟଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ. ପ୍ରସନ୍ନ କୁମାର ଗନ୍ତାୟତ ଯୋଗଦେଇ କହିଥିଲେ, ସହରୀକରଣ ଯୋଗୁଁ ଜଙ୍ଗଲ କ୍ଷୟ ହୋଇ ଋତୁଚକ୍ର ଉପରେ ପ୍ରଭାବ ପକାଇ ବର୍ଷାର ଢାଞ୍ଚାକୁ ପ୍ରଭାବିତ କରୁଛି। ସ୍ବଳ୍ପ ବୃଷ୍ଟିପାତ ଏହାର ବଡ଼ ଉଦାହରଣ। ବର୍ତ୍ତମାନ ପରିସ୍ଥିତରେ ମିୟାୱାକି ପଦ୍ଧତିରେ ସବୁଜ ବନୀକରଣ ସୃଷ୍ଟି କରିବା ଉପଯୋଗୀ ସାବ୍ୟସ୍ତ ହୋଇଛି।
ଏହି ବନୀକରଣ ପଦ୍ଧତି ପରିବେଶ ସମସ୍ୟାର ମୁକାବିଲା କରିବା ସହ ଅଳ୍ପ ସମୟ ମଧ୍ୟରେ ଘଞ୍ଚ ଜଙ୍ଗଲ ବୃଦ୍ଧି କରି ଜଳବାୟୁ ପରିବର୍ତ୍ତନ ପ୍ରଭାବକୁ ରୋକୁଛି। ପୂର୍ବରୁ ଏହି ଅଞ୍ଚଳର ଆଦିବାସୀ ନିଜସ୍ବ ଖର୍ଚ୍ଚରେ ରଥଯାତ୍ରା ସମୟରେ ଚାରା କିଣି ପରିବେଶ ସୁରକ୍ଷାର ଯୋଦ୍ଧା ହୋଇ ଆମକୁ ସୁନ୍ଦର ପରିବେଶ ଦେଇଥିଲେ ବୋଲି ଶ୍ରୀ ଗନ୍ତାୟତ କହିଥିଲେ। ସଭାପତିତ୍ବ ଅଭିଭାଷଣରେ ସେଞ୍ଚୁରିଅନ୍ ନିର୍ଦ୍ଦେଶକ ଶ୍ରୀ ପାଢ଼ୀ କହିଥିଲେ, ପ୍ରକୃତି ସହ ସମସ୍ତେ ବର୍ତ୍ତମାନ ଖେଳୁଛନ୍ତି ଏବଂ ପରିବେଶ ନଷ୍ଟ କରୁଛନ୍ତି। ଯଥାଶୀଘ୍ର ଏଥିରୁ ନିବୃତ୍ତ ନ ହେଲେ ଆଗାମୀ ପିଢ଼ି ଧ୍ବଂସମୁଖକୁ ଚାଲିଯିବେ। କାର୍ଯ୍ୟକ୍ରମକୁ ‘ସମ୍ବାଦ’ ର ରାୟଗଡ଼ା ଜିଲ୍ଲା ପ୍ରତିନିଧି ଶିବ ପ୍ରସାଦ ଦୋରା ପରିଚାଳନା କରିଥିଲେ। ଆମ ଓଡ଼ିଶା ସଦସ୍ୟ ବି. ଶ୍ରୀନିବାସ ଓ କନକ ନ୍ୟୁଜ୍ ପ୍ରତିନିଧି ସ୍ମୃତିରଞ୍ଜନ ମହାନ୍ତି ସହଯୋଗ କରିଥିଲେ।