ବୋରିଗୁମ୍ମା/କୋରାପୁଟ: ପରିବେଶ ଆମ ସଂପତ୍ତି। କିନ୍ତୁ ଆମେ ପ୍ଲାଷ୍ଟିକ ବ୍ୟବହାର କରି ତାକୁ ନଷ୍ଟ କରୁଛୁ। ଗାଡ଼ି ଧୂଆଁରେ ବି ପରିବେଶ ନଷ୍ଟ ହେଉଛି। ପରିବେଶକୁ ବଞ୍ଚାଇବା ପାଇଁ ଗଛ ଲାଗୁଛି ସତ, କିନ୍ତୁ ଜଙ୍ଗଲ ହ୍ରାସ ସ୍ଥିତି ଉଦ୍ବେଗଜନକ। ଏମିତି ସମୟରେ ପରିବେଶର ଗୁରୁତ୍ବ ଜଣାଇବା ପାଇଁ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ପରିବେଶ ପଞ୍ଚାୟତ ଆମ ସମାଜ ପାଇଁ ଦିଗଦର୍ଶକ ସାଜିଛି। ପରିବେଶର ସୁରକ୍ଷା ଲାଗି ରୋଡ୍ମ୍ୟାପ୍ ପ୍ରସ୍ତୁତ କରୁଛି। ବୋରିଗୁମ୍ମା ଭୈରବ ସ୍ନାତକ ମହାବିଦ୍ୟାଳୟରେ ଅନୁଷ୍ଠିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଏହା କହିଛନ୍ତି।
ପଞ୍ଚାୟତରେ ପରିବେଶ ଠିକ୍ ରହିଲେ ଆମ ସମସ୍ତଙ୍କ ଭବିଷ୍ୟତ ଉଜ୍ଜ୍ବଳ ହେବ। ପରିବେଶ ରୂପକ ସଂପତ୍ତିର ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ବ। ପରିମଳ ବ୍ୟବସ୍ଥାକୁ ସୁସ୍ଥ ରଖିବା ପାଇଁ ଜୟପୁର ବ୍ଲକରେ ପ୍ରତି ପଞ୍ଚାୟତକୁ ଗାଡ଼ି ଦିଆଯାଉଛି। ଆଗକୁ ବୋରିଗୁମ୍ମା ବ୍ଲକରେ ଗାଡ଼ି ଦିଆଯିବ। ପ୍ଲାଷ୍ଟିକ ଭଳି ବିପଦକୁ ନେଇ ସାରା ବିଶ୍ବ ଚିନ୍ତିତ। ଗଛ ଲଗାଇବା, ଜୀବନ ବଞ୍ଚାଇବା ବୋଲି ବିଧାୟକ ଶ୍ରୀ ବାହିନୀପତି ଆହ୍ବାନ ଦେଇଥିଲେ। ସେହିପରି ମହିଳାଙ୍କ ସୁରକ୍ଷା ଲାଗି ବିଧାୟକ ସଚେତନ କରି ସମ୍ବେଦନଶୀଳ ଘଟଣା ବିଷୟରେ ତାଙ୍କୁ ଜଣାଇ ପାରିବେ ବୋଲି ନିଜ ମୋବାଇଲ ନମ୍ବର ଦେଇଥିଲେ। ଜାତୀୟ ସେବା ଯୋଜନା ଅଧିକାରୀ ଡ. ସଦାଶିବ ତ୍ରିପାଠୀ ମଞ୍ଚାସୀନ ହୋଇ ସିନ୍ଥେଟିକ୍ ପଲିଥିନ୍ ଭୂପୃଷ୍ଠର ଓଜନସ୍ତର ଉପରେ ଗଭୀର ପ୍ରଭାବ ପକାଉଛି ବୋଲି କହିଥିଲେ। ଯାହାର ପରିମାଣ ହେଲା ଅଗଷ୍ଟ ମାସରେ ପ୍ରବଳ ଗରମ ଅନୁଭୂତ ହେବା। ସବୁଜ ବିପ୍ଳବ ନାମରେ ରାସାୟନିକ ସାର ବ୍ୟବହାର ପରିବେଶକୁ କ୍ଷତିଗ୍ରସ୍ତ କରୁଛି। ଗୋଚାଲାଣ ଯୋଗୁଁ ଜୈବିକ ସାର ଅଭାବ ପରିଲକ୍ଷିତ ହୋଇଛି। ପ୍ଲାଷ୍ଟିକର ବହୁଳ ବ୍ୟବହାର ଠାରୁ ଦୂରେଇ ରହିବା ପାଇଁ ବ୍ୟାପକ ପରିମାଣରେ ବୃକ୍ଷରୋପଣର ଆବଶ୍ୟକତା ରହିଛି ବୋଲି କହିଥିଲେ।
କଲେଜ ପରିଚାଳନା ବୋର୍ଡ ସଭାପତି କେ. ନାଗରାଜୁ ଦୋରା କହିଲେ,ସମ୍ବାଦ’ କେବଳ ଖବର ପ୍ରକାଶରେ ସୀମିତ ହୋଇ ରହିନାହିଁ। ପରିବେଶ ସୁରକ୍ଷା ଓ ସାମାଜିକ ପ୍ରଗତିର ଏକ ବଳିଷ୍ଠ ମାଧ୍ୟମ ପାଲଟିଛି। ଯୁବ ରେଡ୍କ୍ରସ ସଂଯୋଜିକା ସନ୍ତୋଷିନୀ ପାଢ଼ୀ, ବୋରିଗୁମ୍ମା ଶିକ୍ଷା ଓ ଉନ୍ନୟନ ଟ୍ରଷ୍ଟ ସଭାପତି ରାମଚନ୍ଦ୍ର ପାଢ଼ୀ, ପରିଚାଳନା ବୋର୍ଡର ସୁବାସ ନାୟକ କହିଲେ, କଲେଜ ପକ୍ଷରୁ ବୃକ୍ଷରୋପଣ ସହ ରକ୍ଷଣାବେକ୍ଷଣ କାର୍ଯ୍ୟକ୍ରମ ଚାଲୁ ରହିବ। ସମ୍ବାଦ ଜୟପୁର ସଂସ୍କରଣ ମୁଖ୍ୟ ନବୀନ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ କଲେଜ ଅଧ୍ୟକ୍ଷ ସୌମେନ୍ଦ୍ର କୁମାର ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ସମ୍ବାଦ ଜିଲ୍ଲା ପ୍ରତିନିଧି ପ୍ରଦୀପ କୁମାର ପାଢ଼ୀ, ବୋରିଗୁମ୍ମା ବ୍ଲକ ପ୍ରତିନିଧି ବିଶ୍ବଜିତ ପାଣିଗ୍ରାହୀ ଓ କଲେଜ କର୍ମଚାରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।